ଭୁବନେଶ୍ବର: ନୃତ୍ୟ, ଗୀତ, ଡ୍ରୋନ୍ ସୋ’ ଓ ଆତସବାଜୀର ମହା ଆଡ଼ମ୍ବର ସହ କଳିଙ୍ଗ ରଚିଲା ନୂଆ ଇତିହାସ। ହକି ମହାକୁମ୍ଭ ବର୍ଣ୍ଣାଢ୍ୟ ଉଦ୍ଘାଟନୀର ମୂକସାକ୍ଷୀ ହେଲା କୋଟିକୋଟି ଆଖି। ଏଥିସହ ବାଜିଲା ବିଶ୍ବକପ୍ ବିଗୁଲ୍। କିଙ୍ଗ୍ଖାନ୍ ଶାହରୁଖ୍ଙ୍କ ‘ଚକ୍ ଦେ ଇଣ୍ଡିଆ’ ଚଳଚ୍ଚିତ୍ରର ମନଲୋଭା ସଂଳାପ ସାଙ୍ଗକୁ ଏ ଆର୍ ରହେମାନଙ୍କ କଣ୍ଠରେ ଜୟ ହିନ୍ଦ୍ହିନ୍ଦ୍ ଜୟ ଇଣ୍ଡିଆ…, ମା’ ତୁଝେ ସଲାମ୍…ଓ ଜୟ ହୋ…ରେ ଉଚ୍ଛୁଳି ଉଠିଥିଲା ଷ୍ଟାଡିୟମ। ପଦ୍ମପାଖୁଡ଼ାରୁ ବାହାରିଥିଲେ ମାଧୁରୀ। ସଂଳାପ ମିଶା ନୃତ୍ୟମୁଦ୍ରାରେ ମାଧୁରୀଙ୍କ ଅଭିନୟ ଦେଖି ଚମତ୍କୃତ ହୋଇଥିଲେ ଦର୍ଶକ। ଠିକ୍ ୫ଟା ୫୧ରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ସବ୍ୟସାଚୀ ଓ ଅର୍ଚିତାଙ୍କ ସହ ୧୯୭୫ ମସିହା ହକି ବିଶ୍ବକପ୍ ବିଜେତା ଭାରତୀୟ ଦଳ ଆସିବା ପରେ ଷ୍ଟାଡିୟମରେ ବସିଥିବା ପ୍ରତ୍ୟେକ ଦର୍ଶକ ଛିଡ଼ା ହୋଇ ତାଳି ମାରି ସମ୍ମାନ ବ୍ୟକ୍ତ କରିଥିଲେ। ୬ଟା ୫୫ ମିନିଟ୍ରେ ବିଶ୍ବକପ୍ ଉଦ୍ଘାଟନ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରି ଦର୍ଶକଙ୍କୁ ପଚାରିଲେ, ଆପଣମାନେ ଖୁସି ତ..। ଦର୍ଶକ ଏକ ସ୍ବରରେ କହିଥିଲେ, ହଁ…। ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ବି ବହୁତ ଖୁସି..।
ଏହାର ମାତ୍ର କେଇ ମିନିଟ୍ ପରେ ଶାହରୁଖ୍ ଏକ ସ୍ବତନ୍ତ୍ର ‘ହାର୍ଟବିଟ୍ ଗାଡ଼ି’ରେ ହକି ଷ୍ଟିକ୍ ସହ ଷ୍ଟାଡିୟମ ପରିକ୍ରମା କରିବା ବେଳେ ଉଚ୍ଛୁଳି ଉଠିଥିଲା ପୂରା ଷ୍ଟାଡିୟମ। ଭାରତୀୟ ହକି ଦଳକୁ ଓଡ଼ିଶା ବହୁ ତାରକା ଖେଳାଳି ଭେଟି ଦେଇଥିବା ନେଇ ଶାହରୁଖଙ୍କ ମୁହଁରୁ ଶୁଣିବା ପରେ ପଡ଼ିଆ ସାରା ଖୁସିର ତରଙ୍ଗ ଖେଳି ଯାଇଥିଲା। ଏହି ଉଦ୍ଘାଟନୀ ପର୍ବରେ ସାମିଲ୍ ହୋଇଥିବାରୁ ଓଡ଼ିଶା ଓ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞ ବୋଲି ଶାହରୁଖ୍ କହିଥିଲେ। ୭ଟା ୨୩ ପର୍ଯ୍ୟନ୍ତ ପଡ଼ିଆରେ ରହିବା ଭିତରେ ସବୁ ଆଖି ଥିଲା ଶାହରୁଖ୍ଙ୍କ ଉପରେ।
ପରେ ଧକ୍ଧକ୍ ଗାର୍ଲ ମାଧୁରୀ ଏକ ଭିନ୍ନ ଶୈଳୀରେ ଧରିତ୍ରୀ ଭିତରୁ ବାହାରି ‘ଦି ଆର୍ଥ ସଙ୍ଗ୍’ରେ ବିଶ୍ବ ଏକତାର ଗାଥା ବଖାଣିଥିଲେ। ବ୍ଲାକ୍ ଆଣ୍ଡ୍ ହ୍ବାଇଟ୍, ଇଷ୍ଟ୍ ଟୁ ୱେଷ୍ଟ୍ ଭଳି କଥାବସ୍ତୁରେ ଶାସ୍ତ୍ରୀୟ, ପାଶ୍ଚାତ୍ୟ ଓ ଲୋକନୃତ୍ୟର ମହାମିଳନ ହୋଇଥିଲା। ଗୋଟିଏ ସଂଗୀତରେ ଭିନ୍ନଭିନ୍ନ ଶୈଳୀର ନୃତ୍ୟ ସମଗ୍ର ବିଶ୍ବର ନୃତ୍ୟ ପରମ୍ପରାକୁ ଏକାଠି ଉପଭୋଗ କରିବାର ଅବସର ଆଣି ଦେଇଥିଲା।
ସବୁଠୁ ଆକର୍ଷଣ ସାଜିଥିଲା ଡ୍ରୋନ୍ ସୋ’। ଆଲୁଅ ଖଚିତ ଡ୍ରୋନ୍ର ଶୂନ୍ୟ ଆକାଶରେ କାଉଣ୍ଟ୍ ଡାଉନ୍ ପରେ ହକି ବାଡ଼ି ଓ ହାର୍ଟ ବିଟ୍ର ଚିତ୍ର ଆଙ୍କିଥିଲା। ସବୁଠୁ ଆକର୍ଷଣ ସାଜିଥିଲା ଶୂନ୍ୟ ଆକାଶରେ ଡ୍ରୋନ୍ ଆଲୁଅରେ ଫରଫର ତ୍ରିରଙ୍ଗା। ଫ୍ରାନ୍ସର ଜଣେ ଯୁବକଙ୍କ ଦ୍ବାରା ଏହିଭଳି ସୋ’ ଦେଖଣାହାରୀଙ୍କ ମନ କିଣି ନେଇଥିଲା। ଏମ୍ଟିଭି ଫେମ୍ ଗୌରବ କପୁର, ଆର୍ଜେ ରୋନକ୍ ଏବଂ ଆର୍ଜେ ମଲିଷ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।