ମାଓବାଦୀଙ୍କ ନୂଆ ରଣକୌଶଳ: ଜବାନଙ୍କ ବାଟ ଓଗାଲୁଛି ପାଳଭୂତ

ଛତିଶଗଡ଼,୩୦/୧୧: ଓଡିଶା ସମେତ ସୀମାନ୍ତ ଛତିଶଗଡ଼ରେ ମାଓ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ପୁଲିସ ଏବଂ ଯବାନଙ୍କ କମ୍ବିଂ ଅପରେସନ ସତ୍ତ୍ୱେ ଅନେକ ସ୍ଥଳରେ ମାଓବାଦୀ ଚକମା ଦେଉଛନ୍ତି। ଅନେକ ସମୟରେ ସୁରକ୍ଷା ପାଇଁ ମୁତୟନ ଥିବା ଯବାନମାନଙ୍କ ଉପରକୁ ଆକ୍ରମଣ କରୁଛନ୍ତି। ପୋଲିସଙ୍କୁ ଚକମା ଦେବା ପାଇଁ ସେମାନେ ନୂଆ ଋଣକୌଶଳ ଆପଣାଇଛନ୍ତି । ଅପରପକ୍ଷେ ନକ୍ସଲଙ୍କ ଦମନ ପାଇଁ ସୀମାନ୍ତ ଛତିଶଗଡ଼ରେ ଅପରେସନ ଜୋରଦାର ହୋଇଛି। ପ୍ରତିଦିନ କୌଣସି ନା’ କୌଣସି ଅଞ୍ଚଳରେ ପୁଲିସ ଚଢ଼ାଉ ଖବର ମିଳୁଛି। ସେହିପରି ବହୁ କ୍ୟାଡର ନକ୍ସଲ ପୁଲିସ ଗୁଳିରେ ନିହତ ହୋଇଥିବା ସୂଚନା ମିଳୁଛି। ତେବେ ଏବେ ସବୁଆଡୁ ସ୍ଥିତିରେ ସ୍ପାଇକ ହୋଲ, ନିରାଶ ହେବାପରେ ମାଓବାଦୀ ନୂଆ ରଣ କୌଶଳ ଆରମ୍ଭ କରିଛନ୍ତି। ସୀମାନ୍ତ ଛତିଶଗଡ଼ର ଦୁର୍ଗମ ଗାଁକୁ ରହିଥିବା ରାସ୍ତାଘାଟରେ ବନ୍ଧୁକ ଧରି ଠିଆ ହୋଇଛନ୍ତି ପାଳ ଭୂତ।

ମଣିଷ ଆକୃତିର ଏହି ପାଳ ଭୂତକୁ ପୋଷାକ ପିନ୍ଧା ଯାଇଛି। ଗଛ ଓ ପଥର ଆଢ଼ୁଆଳରେ ଠିଆ କରାଯାଇଛି। କାଠ ଖଣ୍ଡକୁ ବନ୍ଧୁକ ଭଳି ହାତରେ ବାନ୍ଧି ଦିଆଯାଇଛି। ଏହାକୁ ଯେ କେହିବି ଦୂରରୁ ଦେଖିଲେ ମଣିଷ ବୋଲି ଭ୍ରମରେ ପଡିଯିବ। କମ୍ବିଂ ଅପରେସନରେ ଯାଉଥିବା ଯବାନଙ୍କୁ ଭ୍ରମିତ କରିବା ପାଇଁ ସେମାନେ ଏପରି କରୁଛନ୍ତି। ଯବାନମାନେ ଭ୍ରମରେ ପଡ଼ି ଗୁଳି ଚଳାଇବେ। ଗୁଳି ଫୁଟିବାର ଶବ୍ଦ ଶୁଣି ସେମାନେ ସତର୍କ ହୋଇ ପଳାୟନ କରିବେ ଅଥବା ପାଲଟା ଆକ୍ରମଣ କରିବେ। ବର୍ତ୍ତମାନ ସୁକମା ପୁଲିସ ସୁକମା ଏବଂ ଦନ୍ତେୱାଡା ସୀମାନ୍ତ ଜଂଗଲରେ ଏଭଳି ଚାରୋଟି ପାଳ ଭୂତକୁ ଜବତ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.