କବିତା : କି ସୁଖ ପାଇଲ ?

ସୌମେନ୍ଦ୍ର କୁମାର ଦାସ

କି ସୁଖ ପାଇଲ ଭକ୍ତ ଜନେ ଦେଇ ଏପରି ଦାରୁଣ ଦୁଃଖ
କେଉଁ ଦୋଷେ ପୁରୀ ହରାଇଲା ଶିରୀ କୁହ ପ୍ରଭୁ ପଦ୍ମମୁଖ ।।

ଫୋନି ବାତ୍ୟା ଆସି ଶ୍ରୀକ୍ଷେତ୍ରକୁ ଗ୍ରାସି କଲା ସବୁ ଛାରଖାର
ଉଜୁଡିଲା କେତେ ସବୁଜ ବନାନୀ ଭାଙ୍ଗିଲା ଗରିବ ଘର ।।

ବାଲୁଖଣ୍ଡ ବନେ କିଆନନ୍ଦ ମନେ ଖେଳୁଥିଲେ କେତେ ମୃଗ
ସଭିଙ୍କ ଜୀବନ ଦୀପ ଲିଭିଗଲା ଅନ୍ଧକାର ଚଉଦିଗ ।।

 

ଯେଉଁ କଳ୍ପବଟ ଥିଲା ଯେ ଅକ୍ଷତ ମହାପ୍ରଳୟ ସଲୀଳେ
ଭାଙ୍ଗି ଡାଳପତ୍ର ଥୁଣ୍ଟା ଦିଶୁଅଛି ଦୃଷ୍ଟିପଥ ଅନ୍ତରାଳେ ।।

କହୁଛନ୍ତି ସର୍ବେ ତୁମ୍ଭେ କୋପକରି ରଚିଲ ଏ ଧ୍ବଂସ ଲୀଳା
ସବୁ ନାଟର ଯେ ଗୋବର୍ଦ୍ଧନ ତୁମେ ଭବଜଳେ ଭାସେ ଭେଳା ।।

ନୀତି କାନ୍ତି ସବୁ ବିଭ୍ରାଟ କରିଲେ ତୁମ ପଣ୍ଡା ପଡିହାରୀ
ସେ ସବୁ ନିମନ୍ତେ ସଭିଙ୍କୁ ଦଣ୍ଡିଲ ଭକ୍ତ ପ୍ରାଣଖିଆ ହରି ।।

କାହିଁ କେତେ ଦିନ ଅଭୁକ୍ତ ରହିଛ ଅନିଦ୍ରା ରହିଛ କେତେ
ଫେରିଛନ୍ତି ଭକ୍ତ ନ ପାଇ ଦର୍ଶନ ପ୍ରସାଦ ବିଷାଦ ଚିତ୍ତେ ।।

କୁହନ୍ତି ଜଗତେ ତୁମେ ପରଂବ୍ରହ୍ମ ନିର୍ଗୁଣ ଅବ୍ୟକ୍ତ ରୂପ
ନ ଲାଗେ ତୁମକୁ ଭୋକ,ଶୋଷ,ନିଦ୍ରା, ସୁଖ ,ଦୁଃଖ,ପୁଣ୍ୟ,ପାପ ।।

ଲୋକାଚାର ବୋଲି ଏ ସର୍ବ ଲୀଳାକୁ ତୁମ୍ଭେ ଭିଆଇଛ ଯେଣୁ
ଭକତ ପ୍ରୀତ୍ୟର୍ଥେ ନିଜ ସଂସାରରେ ନିଜକୁ ବାନ୍ଧିଛ ତେଣୁ ।।

ଇଚ୍ଛାରେ ତୁମର ଗଢା ଏ ସଂସାର , ଜୀବ, ବୃକ୍ଷ, ଲତା ଯେତେ
ଧ୍ବଂସ କରି ତାକୁ କି ସୁଖ ପାଇବ ବିଚିତ୍ର ଲାଗଇ ମୋତେ ।।

ଲୀଳାକୁ ତୁମର ବୁଝି ନ ପାରଇ ଆହେ ମଣିମା ଅନନ୍ତ
କେଉଁ ଦୋଷ ଧରି ହେଲେ ଏତେ ସରି ତୁମରି ସର୍ବେ ଭକତ ।।

ସବୁ ଆଶା ଛାଡି କର ପତ୍ର ଯୋଡି ଚାହିଁ ତବ ପଦ୍ମମୁଖ
ସର୍ବେ ଡାକୁଛନ୍ତି ନିଳାଦ୍ରିନାଥ ହେ କୃପା ନେତ୍ରେ ଥରେ ଦେଖ ।।

ତୁମ୍ଭ କରୁଣାରୁ ହସିଉଠୁ ଧରା ଶାନ୍ତି ରହୁ ଚଉଦିଗେ
ପ୍ରଭୁ ଶ୍ରୀ ଛାମୁରେ ଅଧମ ସୌମେନ୍ଦ୍ର କର ପତ୍ର ଯୋଡି ମାଗେ ।।

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.