ନୂଆଦିଲ୍ଲୀ,୧/୧୨: ବ୍ୟାଙ୍କରୁ ମିଳୁଥିବା ବିଭିନ୍ନ ମାଗଣା ସେବା ପାଇଁ ଏବେ ଚାର୍ଜ ଦେବାକୁ ପଡିବ।ସର୍ବନିମ୍ନ ଜମା ରଖିବା, ଚେକ୍ ବହି ଜାରି କରିବା ଆଦି ବିଭିନ୍ନ ପ୍ରକାର ମାଗଣା ସେବା ଆଉ ମାଗଣା ହୋଇ ରହିବ ନାହିଁ। ଆୟକର ବିଭାଗ ଓ ବ୍ୟାଙ୍କଗୁଡିକ ମଧ୍ୟରେ ୪୦ ହଜାର କୋଟି ଟଙ୍କାର ଟିକସକୁ ନେଇ ବିବାଦ ଉପୁଜିବା ପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ, ପିଏନ୍ବି ଓ ଏକ୍ସିସ୍ ବ୍ୟାଙ୍କ ଏହାର ବୋଝକୁ ଗ୍ରାହକଙ୍କ କାନ୍ଧରେ ପକାଇବାକୁ ସଜବାଜ ହେଉଛନ୍ତି।
ଗତ ଦୁଇ ମାସ ପୂର୍ବେ ଆୟକର ବିଭାଗ ପକ୍ଷରୁ ଟିକସ ଦେବାକୁ ଦାବି କରି ବ୍ୟାଙ୍କଗୁଡିକୁ ପ୍ରିଲିମିନାରି ନୋଟିସ ଜାରି କରାଯାଇଥିଲା। ଆୟକର ବିଭାଗ(ଆଇଟି) ନିଜ ଜିଦ୍ରେ ଅଟଳ ରହିଲେ ବ୍ୟାଙ୍କଗୁଡିକ ଚେକ୍ ବୁକ୍, ଆଡିଶନାଲ କ୍ରେଡିଟ କାର୍ଡ, ଆଡିଶନାଲ ଏଟିଏମ୍ ବ୍ୟବହାର, ଫୁଏଲ ରିଫଣ୍ଡ ସରଚାର୍ଜ ଉପରେ ମାସିକ ଅଥବା ତ୍ରୈମାସିକ ଭିତ୍ତିରେ ୧୮% ଜିଏସ୍ଟି ଆଦାୟ କରିବାକୁ ଯାଉଛନ୍ତି।
ଗ୍ରାହକଙ୍କଠାରୁ କେତେ ଟଙ୍କାର ଚାର୍ଜ ଆଦାୟ କରାଯିବ, ଏହା ସମ୍ପୃକ୍ତ ବ୍ୟାଙ୍କ ସ୍ଥିର କରିବେ। ମାଗଣା ସେବାର ମୂଲ୍ୟ କେତେ ତାହା ନିର୍ଦ୍ଧାରଣ ପରେ ହିଁ ସେହି ହିସାବରେ ଟିକସ ଆଦାୟ ହେବ। ସର୍ବନିମ୍ନ ଜମା ରଖୁ ନ ଥିବା ଗ୍ରାହକଙ୍କଠାରୁ ବ୍ୟାଙ୍କ ଜରିମାନା ବାବଦରେ ଯେଉଁ ଚାର୍ଜ ଅସୁଲ କରେ ତାହା ଉପରେ ଜିଏସ୍ଟି ଦେବାକୁ ପଡିପାରେ। ଟିକସ ବିଶେଷଜ୍ଞଙ୍କ କହିବାନୁଯାୟୀ ଏପ୍ରିଲରେ ବ୍ୟାଙ୍କଗୁଡିକୁ ଯେଉଁ ସେବା ଟିକସ ନୋଟିସ ଦିଆଯିବା ପରେ କିଛି ସ୍ପଷ୍ଟୀକରଣ ଦିଆଯାଇଥିଲା। ଏହାସତ୍ତ୍ୱେ ଏବେ ବ୍ୟାଙ୍କଗୁଡିକୁ ପୁନର୍ବାର ନୋଟିସ ପଠାଯାଇଛି। ଏହାପରେ ବ୍ୟାଙ୍କ ଉଦ୍ୟୋଗ ନିଜର ଅସୁବିଧାକୁ ଅର୍ଥ ମନ୍ତ୍ରଣାଳୟ ନିକଟରେ ଉପସ୍ଥାପନ କରିଥିଲା। ଜୁନ୍ରେ ଆୟକର ବିଭାଗ ଓ ବ୍ୟାଙ୍କର ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଥିଲା। ଏବେ ପୁନର୍ବାର ନୋଟିସ ପଠାଯିବା ପରେ ବ୍ୟାଙ୍କିଙ୍ଗ ଉଦ୍ୟୋଗ ଏହାର ସମାଧାନ ଲାଗି ଏବେ ପିଏମ୍ଓର ହସ୍ତକ୍ଷେପ ଲୋଡିଛି। ଚଳିତ ସପ୍ତାହରେ ପିଏମ୍ଓର ମଧ୍ୟସ୍ଥତାରେ ରାଜସ୍ବ ବିଭାଗ ଓ ଅର୍ଥ ମନ୍ତ୍ରଣାଳୟ ଅଧୀନ ସେବା ବିଭାଗ ଏବଂ ବ୍ୟାଙ୍କିଙ୍ଗ ଉଦ୍ୟୋଗର ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଛି। ଏଥିରେ କୌଣସି ସମାଧାନର ରାସ୍ତା ନ ଫିଟିଲେ ବ୍ୟାଙ୍କଗୁଡ଼ିକ ଯୋଗାଉଥିବା ମାଗଣା ସେବା ଉପରେ ୧୮% ଜିଏସ୍ଟି ଆଦାୟ କରିବେ।