ଭୁବନେଶ୍ୱର,୦୨/୧୨: ଝାରସୁଗୁଡ଼ା କଂଗ୍ରେସ ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ନବ ଦାସ ହାତ ଛାଡ଼ି ଶଙ୍ଖ ଫୁଂକିବେ। କଂଗ୍ରେସ ଛାଡ଼ି ସେ ଖୁବଶୀଘ୍ର ବିଜେଡିସାମି ସାମିଲ ହେବେ। ଗତକାଲି ଶ୍ରୀ ଦାସ ନିଜ ସମର୍ଥକଙ୍କ ସହ ଏନେଇ ବିଚାରବିମର୍ଶ କରିଥିବାବେଳେ ଆଜି ବିଜେଡିର ବରିଷ୍ଠ ଉପସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହା ସ୍ପଷ୍ଟ କରିଛନ୍ତି।
ଶ୍ରୀ ଦାସ ଦୀର୍ଘଦିନ ଧରି ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ କଂଗ୍ରେସ ପକ୍ଷରୁ ତାଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି କରାଯିବା ପରେ ଏଥିରେ ସାମୟିକ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଶନିବାର ସେ ନିଜ ସମର୍ଥକମାନଙ୍କ ଏକ ବୈଠକ ଡାକି ସେମାନଙ୍କ ସହ ଦଳ ଛାଡ଼ିବା ପ୍ରସଙ୍ଗରେ ବିଚାରବିମର୍ଶ କରିଛନ୍ତି। ଝାରସୁଗୁଡ଼ାର ରଘୁନାଥପାଲି ଛକସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ କୋଲବିରା ବ୍ଳକର ସୋଢ଼ାମାଲ, କୋଲାବିରା, ପୋଖରା ସାଲେ ଆଦି ପଞ୍ଚାୟତ ଓ ବ୍ଲକସ୍ତରୀୟ କର୍ମୀମାନଙ୍କୁ ଡାକି ଶ୍ରୀ ଦାସ ଦଳ ଛାଡ଼ିବା ପ୍ରସଙ୍ଗରେ ମତାମତ ଜାଣିବାକୁ ଚାହିଁଥିଲେ। ସେଠାରେ ଉପସ୍ଥିତ ପ୍ରାୟ ୩୦୦ କର୍ମୀ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଯଦି ସେ ଅନ୍ୟ ଦଳକୁ ଯିବେ ତାଙ୍କୁ କର୍ମୀମାନେ ସମର୍ଥନ କରିବେ କି ବୋଲି ପ୍ରଶ୍ନର ଉତ୍ତରରେ ସମସ୍ତେ ନବଙ୍କୁ ସମର୍ଥନ ଜଣାଇବାର ପ୍ରତିଶ୍ରୁତି ଦେଇଛନ୍ତି। ବିଜେଡିର ପ୍ରତିଷ୍ଠା ଦିବସରେ ସେ ଦଳରେ ସାମିଲ ହେବାର ସମ୍ଭାବନା ରହିଛି।