ଦେବୀ ବସ୍ତରେନ ମାଉଲିଙ୍କ ମଣ୍ଡେଇ ଓ ଅଷାଢକେନା ଯାତ୍ରା (Visual News)


ଶାକ୍ତ ତନ୍ତ୍ର ଧାରାର ଏକ ବୃହତ ଶ୍ରୋତ ‘‘ଅଭିଚାର ତନ୍ତ୍ର’’ ଧାରା ଏବେବି କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣରେ ଦୃଷ୍ଟିଗୋଚର ହୁଏ । ଏହି ଧାରାରେ ଦେବୀଦେବତାଙ୍କୁ ଲୋକାଚାର ଭିତ୍ତିରେ ପୂଜାର୍ଚ୍ଚନା କରାଯିବାସହ ନିର୍ଦ୍ଧିଷ୍ଟ ସମୟରେ ସଂପୃକ୍ତ ଦେବତାଙ୍କ ଉତ୍ସବ ମହୋତ୍ସବ ପାଳନ କରାଯାଇଥାଏ । ଏହି ଅଞ୍ଚଳ ଏକ ଆଦିବାସୀ ବହୁଳ ଅଞ୍ଚଳ ତଥା ଆଦିବାସୀଙ୍କ ପ୍ରାଚୀନ ଉପାସନା ପଦ୍ଧତ୍ତି ପିତୃ ଉପାସନା ଓ ପ୍ରକୃତି ଭିତ୍ତିକ ହୋଇଥାଏ । କଳାହାଣ୍ଡିରେ ପରିଦୃଷ୍ୟ ବିଭିନ୍ନ ଲୋକଦେବାଦେବୀ ସହୁ ପିତୃ ଉପାସନା ଧାରାର ବିବର୍ତ୍ତିତ ରୂପ । ଏହି ଦେବା ଦେବୀ ମାନେ ପରବର୍ତ୍ତି ସମୟରେ ଶାକ୍ତ ତନ୍ତ୍ର ଧାରାରୁ ଅଭିଚାର ତନ୍ତ୍ର ଧାରାକୁ ରୂପାନ୍ତରିତ ହୋଇଛନ୍ତି । ତେବେ ହଜାର ହଜାର ବର୍ଷ ଧରି ଏହି ମାଟିର ଲୋକ ଦେବତା ଭାବେ ଦେବୀ ମାଉଲି ଉପାସିତ ହୋଇ ଆସୁଛନ୍ତି । ଜିଲ୍ଲାର ପ୍ରାୟ ପ୍ରତ୍ୟେକ ଗ୍ରାମରେ ମାଉଲି ଗ୍ରାମଦେବୀ ଭାବେ ପୂଜିତା । ଏହା ବ୍ୟତିରେକ କୃଷକ ନିଜ ଚାଷ ଜମି ଉପରେ ଦେବୀଙ୍କୁ ସ୍ଥାପନ ପୂର୍ବକ ଚୋରୋ ପ୍ରଦାନ ପୂର୍ବକ ଉପାସନା କରିଥାଏ  । ଅଞ୍ଚଳ ଭିତ୍ତିରେ ଲୋକ ଦେବତା ମାନଙ୍କ ଯାତ୍ରା ପର୍ବରେ ସାମାନ୍ୟ ଭିନ୍ନତା ପରିଳକ୍ଷିତ ହୋଇଥିବା ବେଳେ ଉପସନା ପଦ୍ଧତ୍ତି ପ୍ରାୟ ଏକ ପ୍ରକାର ହୋଇଥାଏ ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ👆)

ସେହି ଅନୁକ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗ୍ରାମ ଠାରେ ଦେବୀ ବସ୍ତରେନ ମାଉଲିଙ୍କ ବାର୍ଷିକ ମଣ୍ଡଇ ଓ ଅଷାଢକେନା ଯାତ୍ରା ଶୁକ୍ରବାର ମହାସମାରୋହରେ ପଳିତ ହୋଇଯାଇଛି । ବର୍ଷ ଯାକର ଚାଷ ବାଷ ଉତ୍ତମ ହେବାର ମାନସିକତା ନେଇ କାହିଁ କେତେ ଦୂରୁ ଭକ୍ତ ଓ ଶ୍ରଦ୍ଧାଳୁ ଛୁଟି ଆସିଥାନ୍ତି ଦେବୀଙ୍କ ପିଠକୁ । ପାରଂପାରିକ ରିତି ନିତି ଅନୁସାରେ ଦେବୀଙ୍କ ଆବାହନ, ପୂଜାର୍ଚ୍ଚନା ଓ ଯାତ୍ରାର ଆୟୋଜନ କରାଯାଇଥାଏ । ପାରଂପାରିକ ଗଣା ବଜାର ଷୋଳ ଭର୍ନ୍ନି ବାଦ୍ୟନାଦର ତାଳେ ତାଳେ ଗ୍ରାମର ଗୌନ୍ତିଆ ଓ ପୂଜକଙ୍କ ଘରୁ ଦେବୀଙ୍କ ଲାଠି, କାଳିଶି ଏକ ବିରାଟ ପଟୁଆରାରେ ଦେବୀଙ୍କ ପିଠକୁ ପହଂଚିବା ପରେ ଆମପାଣିର ବୁଢାରଜା, ମାଝୀଗୁଡାର ବର୍ସଲ୍ ମାଝୀ, ଡେଙ୍ଗାଗୁଡାର ଦେବୀ, ମହିମା ଗାଁରୁ ଲଙ୍କେଶ୍ବରୀଙ୍କ ସହ ବ୍ଲକର ବିଭିନ୍ନ ଅଂଚଳରୁ ଆସିଥିବା ଲାଠି କାଲିଶି ଦେବି ପିଠରେ ପହିଞ୍ଚି ଥିଲେ । ପୂଜାର୍ଚ୍ଚନା ପରେ ଦେବୀଦେବତା ମାନଙ୍କ ମଣ୍ଡେଇ ହାଟ ପରିକ୍ରମା ଆରମ୍ଭ ହୋଇଥିଲା । ପରେ ଦେବୀ ମାନେ ପିଠକୁ ଫେରିଆସି କଣ୍ଟା ଦୋଲିରେ ଝୁଲିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ଯାତ୍ରା ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ସଂପନ୍ନ ହେବାର ପ୍ରଥମ ଶୁକ୍ରବାର ଦିନ ପାଳନ କରାଯାଏ । ଲୋକକଥା ଓ କିମ୍ବଦନ୍ତି ଅନୁସାରେ କଳାହାଣ୍ଡିର ଜଣେ ନାଗବଂଶି ରାଜାଙ୍କ ରାଣୀ ଏଠାରେ ସତୀ ହୋଇଥିଲେ । ସେହି ସତୀ ଚଉରା ଉପରେ ବସ୍ତରେନ୍ ମାଉଲୀଙ୍କ ପ୍ରକିକୃତି ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଉଛି । ଦେବୀଙ୍କୁ ଦନ୍ତେୱାଡା (ବସ୍ତର) ଅଞ୍ଚଳରୁ ଅଣାଯାଇଥିବାରୁ ତାଙ୍କୁ ବସ୍ତରେନ୍ ମାଉଲୀ ବୋଲି କୁହାଯାଇଥାଏ । ଦେବୀଙ୍କ ପାଖରେ ମାନସିକ ପୂରଣ ହୋଇଥିବା ବ୍ୟକ୍ତିମାନେ ରକ୍ତାହାର (ବଳିଭୋଜା) ଓ ସାଧାରଣ ଭକ୍ତ ମାନେ ଶୁକ୍ଲାହାର (ନାରିକେଳ, କଦଳୀ, ମୁଆ ଆଦି ଅର୍ପଣ କରିଥାନ୍ତି । ଦେବୀଙ୍କ ଯାତ୍ରା ପାଳନ କଲେ ଭଲ ବର୍ଷା ସହ ଉତ୍ତମ ଉତ୍ପାଦନ ହେବାର ବିଶ୍ବାସ ରହିଥିବାରୁ ନିଷ୍ଠାର ସହ ଏହି ଯାତ୍ରା ପାଳନ କରାଯାଏ । ବସ୍ତରେନ ମାଉଳୀଙ୍କ ମଣ୍ତେଇ ଯାତ୍ରା ଓ ଆଷାଢକେନା ଯାତ୍ରା ହେବାପରେ ହିଁ ଏହି ଅଞ୍ଚଳରେ ବେଉଷଣ ଓ ତଳି ରୋପିବା କାର୍ଯ୍ୟ ଆରମ୍ଭ କରିଥାଏ ଚାଷୀ ।

ଚଳିତ ବର୍ଷ ମା’ ଙ୍କ ମଣ୍ଡେଇ ଯାତ୍ରାରେ ହଜାର ହଜାର ଶ୍ରଧାଲୁଙ୍କ ସମାଗମ ହୋଇଥିବା ବେଳେ ଶାନ୍ତି ଶୁଙ୍ଖଳା ରକ୍ଷାକରିବା ପାଇଁ କୋକସରା ପୋଲିସ ପକ୍ଷରୁ ସୂରକ୍ଷାକୁ କଡା କଡି କରାଯାଇଥିଲା ।

 

ଉପସ୍ଥାପନା :

ହିରନ୍ୟ ବେହେରା

କୋକସରା ପ୍ରତିନିଧି odiabarta.in

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta