ସରପଞ୍ଚ ସ୍ବାମୀଙ୍କ ବିରୁଦ୍ଧରେ ପ୍ରଶାସନର ଦ୍ବାରସ୍ଥ ହେଲେ ନିର୍ଯ୍ୟାତିତା ମହିଳା

କଳାହାଣ୍ଡି,୪/୧୨: ଥୁଆମୂଳ ରାମପୁର ବ୍ଲକ୍ କେରପାଇ ସରପଞ୍ଚ ବାଲସିଂ ମାଝୀଙ୍କ ବିରୁଦ୍ଧରେ ତାଙ୍କ ପ୍ରଥମ ସ୍ତ୍ରୀ ଗୁରୁତର ଅଭିଯୋଗ ଆଣି ଆଜି ଭବାନୀପାଟଣାରେ ମହିଳା କମିଶନରଙ୍କୁ ଭେଟିବା ସହ କଳାହାଣ୍ଡି ଜିଲ୍ଲାପାଳ ଓ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଅଭିଯୋଗକାରିଣୀ ମହିଳା କାମୀ ମାଝୀଙ୍କ କହିବା କଥା ହେଲା, ଛୋଟବେଳୁ ତାଙ୍କୁ ପ୍ରେମ କରି ୨୦୦୫ରେ ପ୍ରେମ ବିବାହ କରିଥିଲେ ବାଲସିଂ ମାଝୀ । ଏହାପରେ ସବୁ ଠିକ୍ ଠାକ୍ ଚାଲିଥିଲା । ହେଲେ ପରେପରେ ବାଲସିଂ ତାଙ୍କୁ ଯୌତୁକ ଆକାରରେ ଗାଡି ଓ ସୁନା ଆଣିବାକୁ କହି ମାଡ ମାରିବା ଆରମ୍ଭ କଲେ । ଏହି ପରେ ୨୦୧୬ରେ ବାଲସିଂ ସରପଞ୍ଚ ହୋଇଥିଲେ । ନିର୍ବାଚନରେ ଲଢିବାପାଇଁ ସେ କାମୀ ମାଝୀଙ୍କ ସୁନା ବିକ୍ରି କରିଦେଇଥିଲେ ।

୨୦୧୭ ସେପ୍ଟେମ୍ବରରେ ସେ ଦ୍ବିତୀୟ ପତ୍ନୀ ଭାବେ କାଣ୍ଡପଦର ଗ୍ରାମର ଶଙ୍କ ମାଝୀଙ୍କୁ ବିବାହ କରିଥିଲେ ଓ କାମୀଙ୍କୁ ପ୍ରବଳ ମାଡ ମାରିଥିଲେ । ଏହାପରେ ପ୍ରଥମ ସ୍ତ୍ରୀ କାମୀ ମାଝୀ ଥୁ.ରାମପୁର ଥାନାରେ ଅଭିଯୋଗ କରିଥିଲେ । ନିର୍ଯ୍ୟାତନା ସୀମା ଟପିବାରୁ କାମୀ ତାଙ୍କ ମା’ ପାଖକୁ ଆସି ନ୍ୟାୟ ପାଇଁ ଥୁ.ରାମପୁର ଥାନାର ଦ୍ବାରସ୍ଥ ହୋଇଥିଲେ । ହେଲେ ବାଲସିଂ ସରପଞ୍ଚ ହୋଇଥିବାରୁ ଥାନାବାବୁ କୌଣସି ପଦକ୍ଷେପ ନେଉନଥିବାରୁ ତାଙ୍କୁ ଯଥାଶୀଘ୍ର ନ୍ୟାୟ ପ୍ରଦାନ ସହ ତାଙ୍କ ସ୍ବାମୀ ସରପଞ୍ଚ ପଦବୀର ଦୂରୁପଯୋଗ ସହ ଦ୍ବିତୀୟ ପତ୍ନୀ ରଖିଥିବାରୁ ସରପଞ୍ଚ ପାଇଁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.