‘ସାହିତ୍ୟ କଥା’ର ସପ୍ତମ ସ୍ୱନକ୍ଷତ୍ର ଉତ୍ସବ ଆୟୋଜିତ

ଆସନ୍ତା ବର୍ଷରୁ ଦିଆଯିବ ସାହିତ୍ୟ କଥା ସମ୍ମାନ

କଳାହାଣ୍ଡି,୧୦/୦୮: ଓଡ଼ିଶାର ଏକମାତ୍ର ସାହିତ୍ୟ-ସମ୍ବାଦ ପତ୍ରିକା ‘ସାହିତ୍ୟ କଥା’ର ସପ୍ତମ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ମହାସମାରୋହରେ ଆୟୋଜିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ଲେଖକ ଓ ପ୍ରାବନ୍ଧିକ ଡ. ଦୋଳଗୋବିନ୍ଦ ବିଶି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ କବି ଡ. ସେନାପତି ପ୍ରଦ୍ୟୁମ୍ନ କେଶରୀ, ଜଗଦୀଶ୍ୱର ମୁଣ୍ଡ, ‘ପଞ୍ଚବଟୀ’ର ସଂପାଦକ ସୁଶାନ୍ତ କୁମାର ନାୟକ, କଥାକାର ହେମନ୍ତ କୁମାର ଘୋଷାଲ ପ୍ରମୁଖ ଯୋଗ ଦେଇଥିଲେ । ଉତ୍ସବରେ ‘ସାହିତ୍ୟ କଥା’ର ମୁଖ୍ୟ ସଂପାଦକ ଡ. ସୁରେଶ ନାୟକ ଅଧ୍ୟକ୍ଷତା କରି ଆସନ୍ତା ବର୍ଷଠାରୁ ସାହିତ୍ୟ କଥା ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ଗାଳ୍ପିକ ସୁକାନ୍ତ ସାହୁ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କବି ବିରଂଚି ନାରାୟଣ ମୁଣ୍ଡ ସଭା ପରିଚାଳନା କରିଥିଲେ ।

ଏହି ଅବସରରେ ‘ସାହିତ୍ୟ କଥା’ର ଅଗଷ୍ଟ ସଂଖ୍ୟା, କବି ଚାଇୟାଁ ମୁରୁଖଙ୍କ ଦୁଇଟି କବିତା ପୁସ୍ତକ ‘ଅସତ୍ୟ ସହର’ ଓ ‘ଅଦୃଶ୍ୟ ଦୃଶ୍ୟ’ ତଥା ଡ. କ୍ଷେତ୍ରବାସୀ ମାନସେଠଙ୍କ ଗବେଷଣାଧର୍ମୀ ପୁସ୍ତକ ‘କନ୍ଧମାଳର ଡମ୍ ଲୋକସଂସ୍କୃତି’କୁ ଅତିଥିମାନେ ଲୋକାର୍ପଣ କରିଥିଲେ । ‘ସାହିତ୍ୟ କଥା’ର ସହ ସଂପାଦକ ସୁଶୀଲ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

ଦ୍ୱିତୀୟ ଅଧିବେଶନରେ ତରୁଣ କବିଙ୍କ କାବ୍ୟସ୍ୱର ‘ନବ ଉନ୍ମେଷ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁଜିତ୍ କୁମାର ସତପଥି, ଗଣେଶ ବାରିକ, ନିରଞ୍ଜନ ନାୟକ, ଆଶିଷ କୁମାର ମିଶ୍ର, ଯାଦବେନ୍ଦ୍ର ସାହା, ଅର୍ଜୁନ ଗୋପାଳ, ପ୍ରଶାନ୍ତ କୁମାର ଦାଶ ଓ ପୁଣ୍ୟଦୀପା ଖମାରୀ କବିତା ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଗଜାନନ ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ କବି ଓ ଅନୁବାଦକ ଭାଗିରଥି ମିଶ୍ର, ବିଶିଷ୍ଟ ସାମ୍ବାଦିକ ଲକ୍ଷ୍ମୀକାନ୍ତ ବାଗ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

‘ସାହିତ୍ୟ କଥା’ର ସଂପାଦକ ସକିତ ରତେଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ପାଠୋତ୍ସବରେ ‘ସାହିତ୍ୟ କଥା’ର ସହ-ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ସଂଯୋଜନା କରିଥିଲେ ଯୁବ ଗାଳ୍ପିକ ଡିଲେଶ୍ୱର ରଣା ଓ ବେତାର ଉଦଘୋଷିକା ଦୀପ୍ତିମୟୀ ସିଂ । ପରେପରେ ରାଜ୍ୟର କୋଣଅନୁକୋଣରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ‘ସାହିତ୍ୟ କଥା’ର ପ୍ରସାର ପରିଚାଳକ ରଜତ ବଂଶଲ ।

ଏଠି ଛୁଇଁ ଓଡ଼ିଆ ବାର୍ତ୍ତାର ସାହିତ୍ୟ ଗ୍ରୁପ୍ ଜଏନ୍ କରନ୍ତୁ, ସାହିତ୍ୟ ଖବର ଓ ଗପ କବିତା ଏଲର୍ଟ ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.