ରାୟଗଡ ପୌରସଂସ୍ଥାର ପଲିଥିନ୍ ଜବତ୍ ଅଭିଯାନ

୨କ୍ୱିଣ୍ଟାଲରୁ ଉର୍ଦ୍ଧ ପଲିଥିନ ଜବତ, ୫୬ହଜାର ଟଙ୍କା ଜୋରିମାନା ଆଦାୟ

ରାୟଗଡ,୧୭/୮ (ଶିବ ନାରାୟଣ ଗୌଡ) : ସାରା ରାଜ୍ୟରେ ପଲିଥିନ୍ ବ୍ୟାନ ଉପରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ନେଇ ରାୟଗଡ ପୈାର ସଂସ୍ଥା ପକ୍ଷରୁ ଗତ ଜୁନ୍ ୨୧ତାରିଖରୁ ପଲିଥିନ୍ ଜବତ୍ ଅଭିଯାନ କରାଯାଇଥିଲା । ରାୟଗଡ ସହରର ମୁଖ୍ୟ ବଜାର, ମୁଖ୍ୟରାସ୍ତା ସମେତ ୨୪ଗୋଟି ୱାର୍ଡ’ର ଗଳିକନ୍ଦିରେ ଥିବା ବିଭିନ୍ନ ଛୋଟବଡ ଚା’ଦୋକାନ ଠାରୁ ଆରମ୍ଭ କରି ଆମିଷ ବଜାର ଓ ପରିବା ହାଟ ପର୍ଯ୍ୟନ୍ତ ସବୁ ସ୍ଥାନରେ ଚଢାଉ ଅଭିଯାନ ଆରମ୍ଭ କରି ବର୍ତମାନ ସୁଦ୍ଧା ମାତ୍ର ୪୮ଦିନ ମଧ୍ୟରେ ୨କ୍ୱିଂଟାଲରୁ ଅଧିକ ପଲିଥିନ୍ ଜବତ କରି ୫୬.୪୦୦ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରିସାରିଛି ରାୟଗଡ ପୈାର ସଂସ୍ଥା ।

ସେହିପରି ସମସ୍ତ ବ୍ୟବସାୟୀ ମାନଙ୍କୁ ପୁଣି ଥରେ ପଲିଥିନର ବ୍ୟବହାର ନ କରିବା ପାଇଁ ସଚେତନ କରାଯାଇଛି । ଚଢାଉ ସମୟରେ ବ୍ୟବସାୟୀମାନେ ପୂର୍ବରୁ ଗଚ୍ଛିତ କରି ରଖିଥିବା କେରି ବ୍ୟାଗ୍ ଓ ଡିସପଜାଲ ପ୍ଳାଷ୍ଟିକ ଗ୍ଳାସ ସହ ୫୦ମାଇକ୍ରୋନ ତଳକୁ ଥିବା ପ୍ଳାଷ୍ଟିକ ସାମଗ୍ରୀଗୁଡିକକୁ ଜବତ କରି ପୈାରସଂସ୍ଥାର ଗୋଦାମ ଗୃହରେ ଗଚ୍ଛିତ କରାଯାଇଛି । ରାୟଗଡ ସହରକୁ ସଂପୂର୍ଣ୍ଣ ପଲିଥିନ୍ ମୁକ୍ତ ସହର ଭାବେ ଗଢି ତୋଳିବା ପାଇଁ ରାୟଗଡ ଜିଲ୍ଳାପାଳ ତଥା ପୈାରସଂସ୍ଥା ପ୍ରଶାସକ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ପୈାରସଂସ୍ଥା ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ତତ୍ୱାବଧାନରେ ସହରର ଛୋଟବଡ ବ୍ୟବସାୟୀମାନେ ଖାଉଟିମାନଙ୍କୁ ପ୍ରଦାନ କରୁଥିବା ପଲିଥିନ୍ଗୁଡିକକୁ ଜବତ କରାଇବା ପାଇଁ ପୈାରସଂସ୍ଥାର ଏକ ଟିମ ଗଠନ କରି ଗତ ଜୁନ ୨୧ତାରିଖ ଠାରୁ ପିିଲିଥିନ୍ ଜବତ ଅଭିଯାନ ଆରମ୍ଭ କରିଥିଲେ ।


ଏହି ଟିମରେ ପରିମଳ ନିରୀକ୍ଷକ ଏସ.ବାଲାରାଜୁ, ପୈାରସଂସ୍ଥା ସ୍ଥାସ୍ଥ୍ୟକର୍ମୀ ସୁନ୍ଦରରାଓ ମଣିୟାକା, ରାଜେଶ ଗାଂଟା, ବିପନ ବିଶୋଇ ଓ ଚନ୍ଦ୍ରଶେଖର ରଥଙ୍କ ସମେତ ଅନ୍ୟ କର୍ମଚାରୀମାନେ ରାୟଗଡ ପୋଲିସଙ୍କ ସହାୟତାରେ ଏହି ଚଢାଉ ଜାରି ରଖିଛନ୍ତି । ପଲିଥିନ୍ ବ୍ୟାନ କଟକଣାକୁ ଦୃଷ୍ଟିରେ ରଖି ସର୍ବନିମ୍ନ ୨୦୦ଟଙ୍କାରୁ ୨୦୦୦ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବାର ଧାର୍ଯ୍ୟ କରାଯାଇଛି । ତେବେ ଏହି ସବୁ ଜବତ୍ ହୋଇଥିବା ବର୍ଜ୍ୟବସ୍ତୁ ପଲିଥିନ ଗୁଡିକକୁ ସର୍ବପରି ସିମେଂଟ ପ୍ରସ୍ତୁତ କମ୍ପାନୀକୁ ପଠାଯିବ ବୋଲି ଜଣାପଡିଛି । ପ୍ରକାଶ ଥାଉ କି ପଲିଥିନ୍ ବିଷ ବଳୟ ମଧ୍ୟରେ ରହିିଥିଲା ରାୟଗଡ ସହର । ଦିନକୁ ଦିନ ବଢିଚାଲିଥିଲା ପଲିଥିନର ବ୍ୟବହାର । ଯାହାଫଳରେ ଦୂଷିତ ହେଉଥିଲା ସହରର ସ୍ୱଚ୍ଛ ପରିବେଶ । ରାଜ୍ୟରେ ପଲିଥିନ୍ ବ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ରାୟଗଡ ପୈାର ସଂସ୍ଥା ପକ୍ଷରୁ କଟକଣା ନିୟମକୁ ପାଳନ କରିବା ପାଇଁ ପ୍ରଥମେ ସଚେତନତା କାର୍ଯ୍ୟକ୍ରମ କରାଯାଇ ପଲିଥିନର ବ୍ୟବହାର ନ କରିବା ପାଇଁ ସହରବାସୀଙ୍କ ସମେତ ସମସ୍ତ ବ୍ୟବସାୟୀମାନଙ୍କୁ ଅବଗତ କରାଯାଇଥିଲା । ତେବେ ଚଢାଉ ଜାରି ରହିଥିଲେ ମଧ୍ୟ ସହରରେ ଏବେ ମଧ୍ୟ ବେଧଡକ ଭାବେ ବ୍ୟବସାୟୀ ଓ ଖାଉଟିମାନେ ପଲିଥିନ୍ ବ୍ୟବହାର କରୁଥିଲେ । ଆମିଷ ଦୋକାନ ଠାରୁ ପରିବା ହାଟ ପର୍ଯ୍ୟନ୍ତ ସବୁଠି ପଲିଥିନର ବ୍ୟାପକ ବ୍ୟବହାର ଚାଲୁଥିଲା । ସେହିପରି ଗୋଟିଏ ସାମାନ୍ୟ ବର୍ଷା ହେଲେ ସହରର ବିଭିନ୍ନ ନାଳନର୍ଦ୍ଦମାରେ ପଲିଥିନ ଆର୍ବଜନା ଭରି ହୋଇଯାଉଥିବା ବେଳେ ଅନ୍ୟପଟେ ସହରର ଅନେକ ସ୍ଥାନରେ ପଲିଥିନର ପାହାଡ ସୃଷ୍ଟି ହେଉଥିଲା । ରାୟଗଡ ସହରରେ ସ୍ଥିତି ଏମିତି ରହିଥିଲା ଯେ ଏହି ପଲିଥିନର ବ୍ୟବହାର ଉପରେ ଆଉ ରୋକ ଲଗାଯାଇ ପାରିବ ନାହିଁ । ବର୍ତମାନ ପଲିଥିନ କଟକଣା ପାଇଁ ଅନେକ ମାତ୍ରାରେ ବ୍ୟବସାୟୀ ଓ ଖାଉଟି ମାନେ ଏହାର ବ୍ୟବହାର କରିବା ଦିଗରେ ନିଶ୍ଚିତ ଭାବେ କିଛି ନା କିଛି ପଛଘୁଂଚା ଦେଇଥିବା ପରିଲିକ୍ଷିତ ହୋଇଛି ।


ତେବେ ସଂପୂର୍ଣ୍ଣ ଭାବେ ପଲିଥିନ୍ ବ୍ୟାନ ପାଇଁ କେବଳ ପୈାରସଂସ୍ଥାର କଟକଣା ହିଁ ସମ୍ଭବ ନୁହେଁ ଏଥିପାଇଁ ସାଧାରଣ ଲୋକେ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାଇବାର ସମୟ ଆସିଛି । ରାୟଗଡ ସହରରେ ପଲିଥିନର ବ୍ୟବହାରକୁ ଦେଖି ପରିବେଶବିତ୍ ମାନେ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ । ଏହି ପଲିଥିନ୍ ବ୍ୟବହାର ଦ୍ୱାରା ପରିବେଶ ଦୂଷିତ ହେବା ସହ ମାଟିର ଉର୍ବରତା ନଷ୍ଟ ହେବାକୁ ଲାଗିଛି ଏବଂ ନଦୀ, ସମୁଦ୍ର ଜଳ ମଧ୍ୟ ଦୂଷିତ ହେବାରେ ଲାଗିଛି । ଯାହାକି ଆଗାମୀ ଭବିଷ୍ୟତ ପାଇଁ ନିଶ୍ଚିତ ଭାବେ ବିପଦ ଆଣିବ ଓ ଭୟଙ୍କର ରୋଗଗୁଡିକ ବ୍ୟାପିବାର ସମ୍ଭାବନା ରହିଛି । ତେବେ ୨ଗ୍ରାମ ଓଜନ ଓ ୫୦ଗ୍ରାମ ମାଇକ୍ରୋନରୁ ଅଧିକ ପ୍ଳାଷ୍ଟିକ ସାମଗ୍ରୀକୁ ପୁନଃ ପ୍ରକ୍ରିୟାକରଣ କରାଯାଇ ପାରୁଥିବାରୁ ଏହାକୁ ବ୍ୟବହାର କରିବା ଏବଂ ଏବେ ଠାରୁ ସର୍ତକ କରାଇବା ପାଇଁ ରାୟଗଡ ପୈାରସଂସ୍ଥାର ଏହି ପଲିଥିନ୍ ଜବତ ଅଭିଯାନ ଜାରି ରଖାଯାଉ ବୋଲି ସହରର ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି ।

 

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.