ନୂଆପଡା : ବରକୋଟ PMGSY ରାସ୍ତା ଓ ଗାର୍ଡୱାଲ କାମର ମଜୁରୀ ମିଳି ନଥିବା ଅଭିଯୋଗ

ଶ୍ରମିକ ପାଇ ନାହାନ୍ତି ଅଢେଇ ଲକ୍ଷ ଟଙ୍କା, ସପ୍ତାହ ମଧ୍ୟରେ ପ୍ରାପ୍ୟ ନପାଇଲେ ଆନ୍ଦୋଳନ ଚେତାବନୀ

ନୂଆପଡା,୧୭/୮ : ପ୍ରଧାନମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ମଜୁରୀ ପାଇ ନଥିବା ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା କୋମନା ବ୍ଲକ ଅଞ୍ଚଳରୁ । ପ୍ରାପ୍ତ ସୂଚନା ଆଧାରରେ କୋମନା ବ୍ଲକ ସ୍ଥିତ ସୁନାବେଡା ଅଭୟାରଣ୍ୟ ତଳେ ଥିବା ବରକୋଟ ଗାଁ ଠାରେ ବରକୋଟ ରୁ ଘଟି କୁ ଯିବା ପାଇଁ ପିଏମଜିଏସୱାଇ (ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ) ରାସ୍ତା ଓ ଗାର୍ଡୱାଲ ନିର୍ମାଣ କରାଯାଇଥିଲା ଗତ ଫେବୃଆରୀ ମାସ ୨ ତାରିଖ ୨୦୧୮ ମସିହାରେ । ପ୍ରାୟ ଏକ ମାସ ପରେ ଏହି କାର୍ଯ୍ୟ ସମ୍ପୂର୍ଣ ମଧ୍ୟ ହୋଇଯାଇଥିଲା । ତେବେ ଏହି ଉର୍ନ୍ନତି ମୂଳକ କାମକୁ ଖରିଆରର ଜଣେ ଠିକାଦାର ହରେଶ ଅଗ୍ରୱାଲ ହାତକୁ ନେଇଥିଲେ । ସେ କିଛି ସାମଗ୍ରୀ ଯଥା ଚିପ୍ସ, ବାଲି, ମେଟାଲ ଓ ସିମେଣ୍ଟ ନିଜ ହାତରୁ ଆଣିଥିଲେ ଓ ସେଠାର ଲୋକଙ୍କୁ କହି ସେଠାରେ ଦରକାର ହେଉଥିବା ଆଉ କିଛି ସାମଗ୍ରୀ ସେଠାରେ କାର୍ଯ୍ୟରତ ଶ୍ରମିକ ନିଜ ହାତରୁ ଆଣି ଦେଇଛନ୍ତି । କାରଣ ସେଠାକାର ଲୋକ ସରକାରୀ ସୁବିଧା ଓ ଯୋଜନାରୁ ବର୍ତମାନ ଯୁଗରେ ମଧ୍ୟ ବଞ୍ଚିତ ଅଛନ୍ତି । ନିରୀହ ଗରିବ ଆଦିବାସୀଙ୍କୁ ଠିକାଦାର କାମ କଲା ଟଙ୍କା ବିଲ ହେଲେ ଦେବି କହି ବର୍ତମାନ ପର୍ଯ୍ୟନ୍ତ ଦେଇ ନାହାନ୍ତି । ଗାଁ ର ବିକାଶ ଚାହୁଁ ଥିବା ନିରୀହ ଆଦିବାସି କରଜରେ ଟଙ୍କା ଆଣି ସେହି କାମ ପାଇଁ ବାଲି, ମେଟାଲ, ସିମେଣ୍ଟ ଇତ୍ୟାଦି କିଣି ଥିଲେ ସେ ଟଙ୍କା ମଧ୍ୟ ଆଜି ଯାଏ ସମ୍ପୃକ୍ତ ଠିକାଦାର ଫେରାଇ ନାହାନ୍ତି । ଏପରି ଅଭିଯୋଗ ନେଇ ସପ୍ତାହ ତଳେ ନୂଆପଡା ସଦର ସ୍ଥିତ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ କାର୍ଯ୍ୟାଳୟକୁ ଆସି ଉକ୍ତ ଗାଁ ର ଲୋକ ଅଭିଯୋଗ କରିଥିଲେ । ସମ୍ପୃକ୍ତ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ତାଙ୍କ ପାରିଶ୍ରମିକ ଟଙ୍କା ଫେରି ପାଇବା ପାଇଁ ଉକ୍ତ ଲୋକମାନେ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ନୂଆପଡା ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ରୂପେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

(ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ନୂଆପଡାର ନିର୍ବାହୀ ଯନ୍ତ୍ରୀ)

ପ୍ରକାଶ ଯେ ବରକୋଟ ଗାଁ ର ୫୦ ଜଣ ଓ ରେଙ୍ଗ ଗାଁ ର ୨୨ ଜଣ ସର୍ବ ମୋଟ ୭୨ ଜଣଙ୍କ ୨ ଲକ୍ଷ ୫୦ ହଜାର ଟଙ୍କା ସମ୍ପୃକ୍ତ ଠିକାଦାର ଏ ପର୍ଯ୍ୟନ୍ତ କାର୍ଯ୍ୟରତ ଶ୍ରମିକଙ୍କୁ ଦେଇ ନଥିବା ଅଭିଯୋଗ ହୋଇଛି । ଆଗକୁ ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଯଦି ଏକ ସପ୍ତାହ ମଧ୍ୟରେ ତାଙ୍କ ପାଉଣା ନ ମିଳେ ତେବେ ସମସ୍ତ ଅଭିଯୋଗକାରୀ ଆନ୍ଦୋଳନ ପନ୍ଥା ଆପଣାଇବେ ବୋଲି ଲେଖି ଜଣାଇଛନ୍ତି । ତେବେ ଏ ସମ୍ପର୍କରେ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ନୂଆପଡାର ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଲେ ସମ୍ପୃକ୍ତ ଠିକାଦାର ସେହି କାମର ଗୋଟିଏ ବିଲ ଉଠାଇଛନ୍ତି ଓ ଏହି ଅଭିଯୋଗ ପତ୍ରକୁ ଆଧାର କରି ସେ ଠିକାଦାରଙ୍କୁ କାର୍ଯ୍ୟାଳୟକୁ ଡ଼କାଇଛନ୍ତି । ଏହି ଘଟଣାର ତଦନ୍ତ କରି ତୁରନ୍ତ ସମସ୍ୟା ର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.