ବାଲ୍ୟ ବିବାହ ରୋକିବା ଓ କିଶୋର କିଶୋରୀଙ୍କୁ ସଶକ୍ତ କରିବା ନେଇ ଟାସ୍କଫୋର୍ସ ଗଠନ

ରାୟଗଡ୨୦/୮ : ରାୟଗଡ ଜିଲ୍ଳା ପ୍ରଶାସନ, ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ, ଆକ୍ସନଏଡ ଓ ୟୁନସେଫ, ଓଡିଶାର ମିଳିତ ଆୟୋଜନକ୍ରମେ କିଶୋର ଓ କିଶୋରୀମାନଙ୍କୁ ସଶକ୍ତ କରିବା ଓ ବାଲ୍ୟ ବିବାହ ରୋକିବା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଏକ ଜିଲ୍ଳାସ୍ତରୀୟ ଟାସ୍କ ଫୋର୍ସ କମିଟି ଗଠନ ନିମନ୍ତେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଳାସ୍ତରୀୟ ବୈଠକ ସ୍ଥାନୀୟ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କନଫେରେନ୍ସ ହଲ ଠାରେ ଆୟୋଜନ କରାଯାଇଥିଲା ।

ଏହି ବୈଠକରେ ଶିଶୁ ସୁରକ୍ଷା, ଶିଶୁର ବିକାଶ, ଶିକ୍ଷା,ସ୍ୱାସ୍ଥ୍ୟ ଓ କିଶୋର କିଶୋରୀମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଳାରେ କମ ବୟସରେ ବାହାଘର ଯୋଗୁଁ କିଶୋର ବା କିଶୋରୀଜଣଙ୍କ ବିଭିନ୍ନ କ୍ଷେତ୍ରରେ ପଛୁଆ ରହୁଛନ୍ତି ଫଳରୋ ସେମାନଙ୍କର ବିକାଶ ବାଧାପ୍ରାପ୍ତ ହେଉଛି । ଅନେକ ଶିଶୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରୁନାହାନ୍ତି ତେଣୁ ଅଧାରୁ ପାଠ ବନ୍ଦ ଯୋଗୁଁ ଶିଶୁ ଶ୍ରମିକ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, କମ ବୟସରେ ବାହାଘର ଭଳି ସମସ୍ୟା ଦେଖାଦେଉଛି । ସରକାର ଯେଉଁ ଶିଶୁମାନେ ପ୍ରାଥମିକ ଶିକ୍ଷାପାଇଁ ୧କି.ମି.ଅଧିକ ଦୂରରୁ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ପାଇଁ ୩କି.ମି.ରୁ ଅଧିକ ଦୂରରୁ ଆସୁଛନ୍ତି ସେମାନେ କିପରି ପରିବର୍ତନ ଖର୍ଚ୍ଚ ପାଇବେ ବୋଲି ସରକାର ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତଣେୁ ତାହା ତଦାରଖ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।ଯେଉଁ ଶିଶୁମାନେ ନିୟମିତ ବିଦ୍ୟାଳୟକୁ ଆସୁନାହାନ୍ତି କିମ୍ବା ଅଧାରୁ ପାଠ ପଢାବନ୍ଦ କରି ଦେଉଛନ୍ତି ତାହାର କାରଣ ଖୋଜି ନିୟମିତ ଉପସ୍ଥାନ ଉପରେ ଗୁରତ୍ୱ ଦେବା ନିମେନ୍ତ ଜିଲ୍ଳାପାଳ ମହୋଦୟ ନିର୍ଦ୍ଦେଶ ଦେଇଥିଲେ ।

ବାଲ୍ୟ ବିବାହକୁ ପରିଣତି, ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ, ଶିଶୁ ସ୍ୱାସ୍ଥ୍ୟ ସମସ୍ୟାକୁ କିପରି ଦୂର କରିବା ସେଥିପାଇଁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗର ସହଯୋଗ ପାଇଁ ନିଷ୍ପତି ନିଆଯାଇଥିଲା । କିଶୋର ଓ କିଶୋରୀମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ବିଭିନ୍ନ ବିଭାଗ ଦ୍ୱାରା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିବା ଫଳରେ ସେମାନେ ସଶକ୍ତ ହେବେ ସେଥିପାଇଁ ଗୁରୁତ୍ୱ ଦିଆଯାଇଥିଲା । ବିବାହ ବୟସ କେବଳ ଝିଅ କ୍ଷେତ୍ରରେ ୧୮ବର୍ଷ ବା ପୁଅ କ୍ଷେତ୍ରରେ ୨୧ବର୍ଷରେ ସୀମତି ନ ରଖି ପୁଅ ଓ ଯଦି ଝିଅ ବା ପୁଅ ନିଜେ ସଶକ୍ତ ହେବେ ଓ ନିଜର ବିବାହ ନିଷ୍ପତି ନେବେ ସେତେବେଳେ ଅଧିକ ବୟସ ହେଲେ ମଧ୍ୟ ସେମାନେ ବିବାହ କରିବେ ସେଥିପ୍ରତି ସମସ୍ତେ ସଚେତନ ହେବା ପାଇଁ ସଚେତନତା କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି ଅବସରରେ ଜିଲ୍ଳା ଆଇନ ସେବା ପ୍ରାଧିକରଣର ସଂପାଦକ, ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଭି.ଆର.ରାଓ, ପିଏ-ଆଇଟିଡିଏ ଟୁକୁ ବାରିକ, ଡିଆଇପିଆରଓ ବସନ୍ତ କୁମାର ପ୍ରଧାନ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ, କିଶୋର ନ୍ୟାୟ ବୋର୍ଡର ସଦସ୍ୟମାନେ, ସିଡିପିଓ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ,ନେହେରୁ ଯୁବ କେନ୍ଦ୍ର ସଂଗଠନର ଜିଲ୍ଳା ଯୁବ ସଂଯୋଜକ, ମିଶନ ଶକ୍ତିର ସଂଯୋଜକ, ଆକ୍ସନଏଡ ଓ ୟୁନିସେଫ ଓଡିଶାର କର୍ମକର୍ତାମାନଙ୍କ ସମେତ ଶୋଭା, ଚାଇଲ୍ଡଲାଇନ, ସିୱାଇଏସଡି, ପ୍ରେମ ଓ ବାଲ୍ୟ ବିବାହ ପ୍ରତିରୋଧ ମଂଚ ଭଳି ସ୍ୱେଚ୍ଛାସେବୀ ସଂସ୍ଥାର ପ୍ରତିନିଧିମନେ ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ,ଭାରପ୍ରାପ୍ତ ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ଆଦିପତି କହଁର ବୈଠକରେ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ଆକ୍ସନଏଡର ଜାତୀୟ ପ୍ରକଳ୍ପ ପରିଚାଳକ ଘାସିରାମ ପଣ୍ଡା ରାଜ୍ୟରେ ବାଲ୍ୟ ବିବାହର ସ୍ଥିତି, ରାଜ୍ୟ ସରକାର, ଆକ୍ସନଏଡ ଏବଂ ୟୁନିସେଫ ଦ୍ୱାରା ମିଳିତ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ ।

ୟୁନିସେଫର ଶିଶୁ ସୁରକ୍ଷା ବିଶେଷଞ ନେହା ନାଇଡୁ ଓ ଯୋଗାଯୋଗ ବିଶେଷଞ ଡଃ.ଲୋପାମୁଦ୍ରା ତ୍ରୀପାଠୀ କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ କିପରି ରୋକାଯାଇ ପାରିବ ସେଥିପ୍ରତି ଧ୍ୟାନ ଦେବା ପାଇଁ ବିଭିନ୍ନ କାର୍ଯ୍ୟଖସଡା ଉପରେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଳାରେ ଶିଶୁ ସୁରକ୍ଷା, ଶିଶୁ ଶିକ୍ଷା, ଶିଶୁ ଶ୍ରମିକ ନିରୋଧ ଓ ବାଲ୍ୟ ବିବାହ ନିଷେଧ ପାଇଁ ଜିଲ୍ଳାସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଳା ସମାଜ ମଙ୍ଗଳ ବିଭାଗ, ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ୍ ଓ ଆକ୍ସନଏଡର କର୍ମକର୍ତାମାନେ ପରିଚାଳନା କରିଥିବା ବେଳେ ଆକ୍ସନଏଡର ଜିଲ୍ଳା ସଂଯୋଜକ ରତ୍ନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Click here to get daily News  & Views update 👇
https://bit.ly/OBgroup3
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.