ପୌରସଂସ୍ଥା ଓ ଟାଉନ ପ୍ଳାନିଂର ଅନୁମୋଦିତ ନିୟମକୁ ଉଲଙ୍ଘନ କରି ସପିଙ୍ଗ ମଲ ନିର୍ମାଣ

ଅଗ୍ନିଶମ ବିଭାଗର ବିନା ଅନୁମତିରେ ଖୋଲଯାଇଛି  ସପିଙ୍ଗ ମଲ

ପାର୍କିଂ ନ ଥିବାରୁ କପିଳାସ ଭିଆଇପି ରୋଡରେ ଟ୍ରାଫିକ୍ ସମସ୍ୟା

ରାୟଗଡ,୨୦/୮ : ଦିନକୁ ଦିନ ରାୟଗଡ ସହରରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବହୁ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ସହରର ବିଭିନ୍ନ ଗଳିକନ୍ଦିରେ ନିଜର ବ୍ୟବସାୟ ଆରମ୍ଭ କରୁଥିବା ବେଳେ କୌଣସି ପାର୍କିଂ ବ୍ୟବସ୍ଥା କରାଯାଉ ନଥିବାରୁ ଏବେ ଗଳିକନ୍ଦିରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ବ୍ୟବସାୟୀମାନଙ୍କ ଚାହିଦା ଅନୁଯାୟୀ ଘର ତଥା କୋଠାଗୁଡିକ ନିର୍ମାଣ କରାଯାଇ ଭଡା ସୂତ୍ରରେ ପ୍ରଦାନ କରାଯାଉଛି । ତେବେ ବ୍ୟବସାୟୀକ ଦୃଷ୍ଟି କୋଣରୁ କୋଠାଗୁଡିକ ନିର୍ମାଣ ସମୟରେ ପ୍ରଥମେ ପାର୍କିଂ ଓ ଅଗ୍ନି ନିର୍ବାପନ ବ୍ୟବସ୍ଥା ନିମନ୍ତେ ଟାଉନ ପ୍ଳାନିଂ ଓ ପୌରସଂସ୍ଥା ଏବଂ ଅଗ୍ନିଶମ ବିଭାଗ ଠାରେ ଅନୁମତି ଲୋଡିବାକୁ ପଡିଥାଏ । କିନ୍ତୁ ଟାଉନ ପ୍ଳାନିଂ ଓ ପୌର ପ୍ରଶାସନ ଠାରେ ପ୍ରଦାନ କରାଯାଉଥିବା ଅସଲି ନକ୍ସା ପ୍ରକାରେ କୋଠା ନିର୍ମାଣ କରାଯାଉ ନଥିବା ସହ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ କୈାଣସି ଆପତି ଅଭିଯୋଗ (ନୋ-ଅବଜେକସନ୍) ପ୍ରମାଣ ପତ୍ର ନ ପାଇ ନିଜର ବ୍ୟବସାୟ କରି ମୁନାଫା କମାଉ ଥିବା ବେଳେ କୋଠା ମାଲିକମାନେ ମଧ୍ୟ ମୋଟା ଅଙ୍କର ଭଡା ପାଇ ଚୁପ ବସି ରହିଛନ୍ତି । ପାର୍କିଂ ବ୍ୟବସ୍ଥା ନ ଥିବା ଯୋଗୁଁ ରାସ୍ତାଗୁଡିକରେ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ ।

ରାୟଗଡ ସହରରେ ଗତ ଶନିବାର ଦିନ କପିଳାସ ରୋଡରେ ଷ୍ଟାଇଲ ବଜାର ନାମକ ଏକ ସପିଙ୍ଗ ମଲ ଖୋଲାଯାଇଛି । ତେବେ ସପିଙ୍ଗ ମଲ’ର କୈାଣସି ପାର୍କିଂ ଏରିଆ ନ ଥିବାରୁ ରାସ୍ତା ଉପରେ ଗ୍ରାହକମାନେ ଶହ ଶହ ବାଇକ୍, କାର ଗୁଡିକ ମଲ ସମ୍ମୁଖରୁ ଆରମ୍ଭ କରି ରାସ୍ତାର ଉଭୟ ପକ୍ଷରେ ରଖିବା ଯୋଗୁଁ ଟ୍ରାଫିକ ସମସ୍ୟା ଜଟିଳ ହେବାରେ ଲାଗିଛି । ଏହି ରାସ୍ତାରେ ପୂର୍ବରୁ ଦୁଇଟି ବ୍ୟାଙ୍କ ରହିଥିବା ବେଳେ ରାସ୍ତା ଦେଇ ୟୁଜିଏମଆଇଟି କଲେଜ, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଦୁଇଟି ବିଦ୍ୟାଳୟ ଥିବାରୁ ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀ, ଗ୍ରାହକ ଓ ଜନସାଧାରଣ ଯାତାୟାତ କରିଥାନ୍ତି । ତେବେ ସପିଙ୍ଗ ମଲ ଖୋଲା ହେବା ଦିନ ଠାରୁ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଟ୍ରାଫିକ ସମସ୍ୟା ଜଟିଳ ହୋଇପଡିଛି । ଏ ନେଇ ଜିଲ୍ଳା ପ୍ରଶାସନ ଠାରୁ ଆରମ୍ଭ କରି ପୈାର ପ୍ରଶାସନ ଓ ପୋଲିସ ପ୍ରଶାସନ ସବୁ ଜାଣି ମଧ୍ୟ ଆଖି ବୁଜି ନୀରବଦ୍ରଷ୍ଟା ସାଜିଛି । ଯାହାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରାୟଗଡ ପୂର୍ତ ବିଭାଗ ଅଧୀନରେ ଡିଆଇବି କାର୍ଯ୍ୟାଳୟ ଠାରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ,ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଦେଇ କପିଳାସ ହୋଟେଲ ପର୍ଯ୍ୟନ୍ତ ଏହି ଭିଆଇପି ରୋଡ ରହିଛି । ତେବେ କପିଳାସ ରୋଡରେ ଟାଉନ ପ୍ଳାନିଂ ଓ ପୈାର ପରିଷଦର ଅନୁମୋଦିତ ପ୍ଳାନକୁ ଉଂଲଘନ କରି ଗୋଟିଏ ଷ୍ଟାଇଲ ବଜାର ସପିଙ୍ଗ ମଲ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । କପିଳାସ ରାସ୍ତାର ପ୍ଳଟ ନମ୍ବର-୩୯୩/୧୬୭୮/୩୧୫, ଖାତା ନମ୍ବର ୧୪୮୬/୯୮୬/ରାୟଗଡ ନଗର ମୈାଜା ୱାର୍ଡ ନମ୍ବର ୦୮ରେ ଟାଉନ ପ୍ଳାନିଂ ୟୁନିଟ୍ ପତ୍ର ସଂଖ୍ୟା-୧୧୮୫/ତାରିଖ ୬/୧/୨୦୧୭ ଓ ପୈାରସଂସ୍ଥା ଆଦେଶ ପତ୍ର ସଂଖ୍ୟା ୪୯୦୯/ତାରିଖ ୧୮/୧୨/୨୦୧୭ ଗୃହ ନିର୍ମାଣ ନିମନ୍ତେ ପ୍ଳାନକୁ ଅନୁମୋଦନ କରିଛନ୍ତି । ତେବେ ଉକ୍ତ ପ୍ଳଟର ମାଲିକ ପ୍ଳାନରେ ପାର୍କିଂ ନିମନ୍ତେ ଅନୁମୋଦନ ନେଇ ଏହାକୁ କାର୍ଯ୍ୟକ୍ଷମ କରି ନାହାନ୍ତି ଓ ଉକ୍ତ ସ୍ଥାନରେ ୪ ମହଲା ବିଶିଷ୍ଠ କୋଠାଗୃହ ନିର୍ମାଣ କରିଛନ୍ତି ଏବଂ କୋଠାରେ ଷ୍ଟାଇଲ ବଜାର ନାମକ ଏକ ସପିଙ୍ଗ ମଲକୁ ଭଡା ସୂତ୍ରରେ ପ୍ରଦାନ କରାଯାଇଛି । ୪ ମହଲା ବିଶିଷ୍ଠ ସପିଙ୍ଗ ମଲରେ ଗ୍ରାହକଙ୍କ ସୁବିଧା ନିମନ୍ତେ ଲିଫ୍ଟ ବ୍ୟବସ୍ଥା ଥିବା ବେଳେ ଯିବା ଆସିବା ନିମନ୍ତେ ଏକ ମାତ୍ର ପ୍ରବେଶ ପଥ ରହିଛି ଓ ପ୍ରସ୍ଥାନ ପାଇଁ କୈାଣସି ଦ୍ୱାର ନାହିଁ । ଅପରପକ୍ଷେ ସପିଙ୍ଗ ମଲକୁ ଲାଗିକରି ବିଦ୍ୟୁତ ବିଭାଗର ଟ୍ରାନ୍ସଫର୍ମର ଲଗାଯାଇଛିସପିଙ୍ଗ ମଲରେ ଅଗ୍ନି ନିର୍ବାପନ ସୁବିଧା ନିମିତ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମତି ନିଆ ନ ଯାଇଥିବା ଅଭିଯୋଗ ହୋଇଛି । କୈାଣସି ଅପ୍ରିତିକର ଅଘଟଣ ଘଟିଲେ କିଏ ଦାୟୀ ରହିବ ସେ ନେଇ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ରାୟଗଡ ପୌର ପ୍ରଶାସନ,ଟାଉନ ପ୍ଳାନିଂ ୟୁନିଟ୍ କର୍ତୁପକ୍ଷଙ୍କର ତଦାରଖ ଓ ଦୂରଦୃଷ୍ଟିର ଅଭାବ ଓ ବେପାରୁଆ ମନୋଭାବ ଯୋଗୁଁ ଉକ୍ତ ରାସ୍ତାରେ ସରକାରୀ ନିୟମକୁ ଉଂଲଘନ କରି ବେଆଇନ ଭାବେ ଦୁଇରୁ ତିନୋଟି ସପିଙ୍ଗ ମଲ’ର ନିର୍ମାଣଧୀନ କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି । ଏ ନେଇ ପୈାର ପରିଷଦର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ପଚାରିବାରୁ ଉକ୍ତ କୋଠାର ଆବେଦନକାରୀ ପୈାର ପରିଷଦରୁ ଡିସେମ୍ବର ୨୦୧୭ରେ ନିର୍ମାଣ ନିମନ୍ତେ ଅନୁମତି ନେଇଥିଲେ । ତେବେ ଡିସେମ୍ବର ୨୦୧୮ରେ ତାଙ୍କର ଗୃହ ନିର୍ମାଣ କାର୍ଯ୍ୟର ଅବଧି ଶେଷ ହୋଇଥିଲେ ଆବେଦନକାରୀ ପୈାର ପରିଷଦରେ ନବୀକରଣ କରି ନ ଥିଲେ । ଗୃହ ମାଲିକ ପୈାର ପରିଷଦ କାର୍ଯ୍ୟାଳୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ନେଇ ଦୁଇ ଦିନ ତଳେ ଆବେଦନ କରିଛନ୍ତି । ପୈାରସଂସ୍ଥା ପକ୍ଷରୁ ତଦନ୍ତ କରାଯାଇ ରିପୋର୍ଟ ଆସିବା ପରେ ପୌର ସଂସ୍ଥାର ପ୍ରଶାସକ ତଥା ଜିଲ୍ଳାପାଳଙ୍କ ଅବଗତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ଜିଲ୍ଳାପାଳ, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଏହି ଟ୍ରାଫିକ୍ ସମସ୍ୟା ନେଇ କି ପଦକ୍ଷେପ ଗ୍ରହଣ କରିବେ ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Click here to get daily News  & Views update 👇
https://bit.ly/OBgroup3
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.