ସନାତନ ସଂସ୍କୃତିରେ ଜନ୍ମାଷ୍ଟମୀ : କର୍ମଯୋଗୀ ହେବାକୁ ଶପଥ ନେବାର ଦିନ

ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣ ଜନ୍ମ । ଦ୍ବାପର ଯୁଗରେ ଦୁଷ୍ଟ ଦଳନ ଓ ସନ୍ଥ ପାଳନ କରିବାପାଇଁ ଭଗବାନ ଶ୍ରୀକୃଷ୍ଣ ପରମ ପବିତ୍ର ଯଦୁବଂଶରେ ଜନ୍ମ ଗ୍ରହଣ କରିଥିଲେ । ଶ୍ରୀକୃଷ୍ଣ ପରମ ଯୋଗୀ । ତାଙ୍କ ଲୀଳାଖେଳାର ଚରିତ ଅପୂର୍ବ । ସେ ସର୍ବଶକ୍ତିମାନ ପରମବ୍ରହ୍ମ । ସେ ସାକାର ପୁଣି ନିରାକାର । ତାଙ୍କର ଆଦି ଅନ୍ତ ଭାବ ବୁଝିବାକୁ ବ୍ରହ୍ମା ଶଙ୍କର ମଧ୍ୟ ଅସମର୍ଥ । ସନାତନ ସଂସ୍କୃତିରେ ଜନ୍ମାଷ୍ଟମୀର ଯଥେଷ୍ଟ ଗୁରୁତ୍ବ ରହିଥିବାବେଳେ ବୈଷ୍ଣବ ଓ ଗୋପାଳ ସଂପ୍ରଦାୟରେ ଏହାକୁ ଆଡ଼ମ୍ବର ସହକାରେ ପାଳନ କରାଯାଏ ।

ଦ୍ଵାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ କୃଷ୍ଣ । ଭୋଜବଂଶୀ କଂସ ଥିଲେ ଶ୍ରୀକୃଷ୍ଣଙ୍କ ମାମୁଁ । ଅସୁର ସ୍ବଭାବଯୁକ୍ତ କଂସଙ୍କ ଅତ୍ୟାଚାରରେ ତ୍ରିଭୁବନ ତ୍ରାହି ତ୍ରାହି ଡାକ ଦେଉଥିଲେ । କଂସଙ୍କ କବଳରୁ ସମସ୍ତଙ୍କୁ ମୁକ୍ତ କରିବାକୁ ଅବତାର ଗ୍ରହଣ କଲେ ପରମପୁରୁଷ ପରମବ୍ରହ୍ମ ।

ଦେବକୀଙ୍କ ବିବାହ ପରେ କଂସ ନିଜେ ସାରଥୀ ରୂପରେ ଭଗ୍ନୀ ଓ ଜାମତାଙ୍କୁ ନେଇ ଯାଉଥିବା ସମୟରେ ଶୂନ୍ୟବାଣୀ ହେଲା- ରେ ରେ କଂସାସୁର, ଏହି ଦେବକୀର ଅଷ୍ଟମ ଗର୍ଭ କୁମର ତୋତେ ବଧ କରିବ । ଏହି ବାଣୀ ଶୁଣି କଂସ ନିଜ ଭଗିନୀ ଦେବକୀ ଓ ତାଙ୍କ ସ୍ବାମୀ ବସୁଦେବଙ୍କୁ ନେଇ ବନ୍ଦୀ କରି କାରାଗାରରେ ରଖିଲେ । ବର୍ଷକୁ ବର୍ଷ ଦେବକୀଙ୍କ ଛ’ ପୁତ୍ରକୁ କଂସ ବିନାଶ କଲେ ।

ସପ୍ତମ ଗର୍ଭର ସନ୍ତାନକୁ ଅମ୍ବିକା ଯୋଗ ବଳରେ ହରଣ କରି ରୋହିଣୀ ଗର୍ଭରେ ସ୍ଥାପନ କଲେ । ରୋହିଣୀ ବସୁଦେବଙ୍କ ପ୍ରଥମ ପତ୍ନୀ । ଯେତେବେଳେ କଂସ ଦେବକୀ ଓ ବସୁଦେବକୁ ବନ୍ଦୀ କରି ଆଣିଲେ, ସେହି ସମୟରେ ରୋହିଣୀ ଗୋପପୁର ନନ୍ଦ ମହାରାଜଙ୍କ ଘରେ ଲୁଚି ରହିଲେ । ସେହି ରୋହିଣୀ ଗର୍ଭରେ ଜନ୍ମ ନେଇଥିଲେ ଶଙ୍କର୍ଷଣ, ଯାହାଙ୍କୁ ନନ୍ଦରାଜା ବଳରାମ ନାମ ଦେଲେ । ଏହା ପୂର୍ବରୁ ଭଗବାନ ଦେବତାମାନଙ୍କୁ ଗୋପ ଓ ମଥୁରାର ଯଦୁବଂଶରେ ଜନ୍ମ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଦେବତାମାନେ ଗୋପୀ ଗୋପାଳ ଓ କଂସଙ୍କ ପାର୍ଷାଦ ଭାବରେ ଜନ୍ମନେଇ କୃଷ୍ଣ ଜନ୍ମର ଶୁଭ ମୁହୂର୍ତ୍ତକୁ ଅନେଇ ରହିଲେ ।

ପରମପୁରୁଷ ଦେବକୀଙ୍କ ଅଷ୍ଟମ ଗର୍ଭରେ ପ୍ରବେଶ କଲେ । ସଂସାରର ପାଳନକର୍ତ୍ତାଙ୍କୁ ଉଦରରେ ଧରି ଦେବକୀଙ୍କ ତେଜ ବଢ଼ିବାରେ ଲାଗିଲା । କଂସ ମହାଭୟ ପାଇ ବନ୍ଦୀଶାଳାର ସୁରକ୍ଷା ବଢ଼ାଇଦେଲେ । ପରିଶେଷରେ ଦେବକୀଙ୍କ ଗର୍ଭରୁ ଅର୍ଦ୍ଧରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମଗ୍ରହଣ କଲେ । ସ୍ବର୍ଗରୁ ଦେବତାମାନେ ପୁଷ୍ପ ବୃଷ୍ଟି କରି ତାଙ୍କର ଜୟଗାନ କଲେ । ଶ୍ରୀକୃଷ୍ଣଙ୍କ ଅପୂର୍ବ ରୂପ ଦେଖି ଦେବକୀ-ବସୁଦେବ ପ୍ରମାଦ ଗଣିଲେ । ଆଉ କିଛି କ୍ଷଣ ପରେ କଂସ ଆସି ଏହି ଶିଶୁକୁ ନେଇ ନିଧନ କରିବେ । ବସୁଦେବ କହୁଛନ୍ତି- ହେ ଅପୂର୍ବ ତେଜୋବନ୍ତ ଶିଶୁ, ତୁମେ ହିଁ ନିଜକୁ ରକ୍ଷାକର । ମୁଁ ଉପାୟଶୂନ୍ୟ, କିଛି କରିପାରିବି ନାହିଁ ।

ମାତାପିତାଙ୍କ ବ୍ୟାକୁଳତା ଦେଖି ବାଳକ ଶ୍ରୀକୃଷ୍ଣ ସେମାନଙ୍କୁ ନିଜ ଜନ୍ମର ଉଦ୍ଦେଶ୍ୟ ବିଷୟରେ ବୁଝାଉଛନ୍ତି । ସଂସାରର ପାପଭାରାକୁ ଉଶ୍ୱାସ କରିବା ଓ ଧର୍ମ ପ୍ରତିଷ୍ଠା କରିବା ନିମନ୍ତେ ସେ ମାନବ ରୂପ ଧାରଣ କରିଛନ୍ତି । ତାଙ୍କର ଏହି ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ତେଣୁ ଭୟ କରିବାର କୌଣସି କାରଣ ନାହିଁ । ଏହାପରେ କୃଷ୍ଣଙ୍କ ନିର୍ଦ୍ଦେଶ ପ୍ରକାରେ ପିତା ବସୁଦେବ ତାଙ୍କୁ ବର୍ଷଣମୁଖର ରଜନୀରେ ଭରା ହୋଇଥିବା ଯମୁନା ନଈ ପାରିହୋଇ ନନ୍ଦ ମନ୍ଦିରରେ ପ୍ରବେଶ କଲେ । ସେଠାରେ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ କନ୍ୟା ଶିଶୁକୁ ବଦଳାଇ ଆଣିଲେ ।

ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି । ଶ୍ରୀମଦ୍ଭଗବଦଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ ଶପଥ ନିଆଯାଏ। ଫଳର ଆଶା ନ ରଖି ବିଶ୍ଵର ସେବା କରିବା ହେଉଛି ପ୍ରକୃତ କର୍ମଯୋଗ । ଗୀତାରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ । ମହାପୁରୁଷମାନେ ଦେଖାଇଦେଇଥିବା ପଥରେ ଯାଇ ଇତରଲୋକେ ସୁଖ, ଶାନ୍ତି ଓ ସମୃଦ୍ଧି ସହଜରେ ହାସଲ କରିପାରିବେ ।

ଉପସ୍ଥାପନା:
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡ଼ିଆ ବାର୍ତ୍ତା

 

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.