ନୂଆ ଧାନ ନୂଆ ସପନ (Visual News) 


ହଜାର ହଜାର ବର୍ଷଧରି ପଶ୍ଚିମାଞ୍ଚଳ ଓ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପାଳିତ ହୋଇ ଆସୁଛି ମହାପାର୍ବଣ ନୂଆଖାଇ । ଏହା ମାଟି ମା’ ପ୍ରତି ଆନ୍ତରିକ କୃତଜ୍ଞତାର ପର୍ବ । ନୂଆ ଧାନକୁ ଦେଖି ନୂଆ ସପନ ଦେଖେ ଚାଷୀ । ଆପେ ଆପେ କୃତଜ୍ଞତାର ଭାବ ଜଣାଏ ମାଟି ମା’କୁ ।

(କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ଅନ୍ନକୁ କେନ୍ଦ୍ରକରି ଭାରତୀୟ ପରମ୍ପରାରେ ଯେଉଁ ମହନୀୟ ତତ୍ତ୍ବ ଦର୍ଶନ ପ୍ରକାଶ ପାଇଛି ତାହା ବିଶ୍ବର କୌଣସୀ ସଭ୍ୟତାରେ ଦୃଷ୍ଟିଗୋଚର ହୋଇନାହିଁ । ଶିକାରଜୀବି ମାନବର ତୁଷ୍ଟିକରଣ ମାନସିକତା କୃଷିଜୀବି ମାନବର ମନ ଭିତରେ କୃତଜ୍ଞ ଭାବ ସଂକଳ୍ପରେ ରୁପାନ୍ତରିତ ହେବା ଫଳରେ ଶସ୍ୟଦାୟିନୀ ଭୂଦେବୀଙ୍କ ଠାରୁ ଉତ୍ପନ୍ନ ଅମଳଯୋଗ୍ୟ ଶସ୍ୟକୁ ଆନୁଷ୍ଠାନିକ ଧର୍ମାଚାର ମଧ୍ୟରେ ସେହି ବେବୀଙ୍କୁ ଅର୍ପଣକରି ଭକ୍ଷଣ କରିବାର ବିଧିବିଧାନରୁ ନବାନ୍ନ ପାର୍ବଣର ସୃଷ୍ଟି ହୋଇଛି ।

ଭାରତୀୟ କୃଷି ସଂସ୍କୃତି ସହ ଜ୍ୟୋତିର୍ବିଦ୍ୟାର ଅଭିନ୍ନ ସମ୍ପର୍କ ଥିବା ଦୃଷ୍ଟିରୁ  ସିଂହ ରାଶିରେ ସୂର୍ଯ୍ୟ ବଳବାନ ଥିବା ଭାଦ୍ରପଦ ଶୁକ୍ଳପକ୍ଷ ଚତୁର୍ଥୀ ଗତେ ପାର୍ବଣ ତିଥି ସ୍ଥିର କରାଯାଇ ନବାନ୍ନ ଭକ୍ଷଣ କରାଯାଇଥାଏ ।

ଅବିଭକ୍ତ କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ସମ୍ବଲପୁର, ବୌଦ, ସୁନ୍ଦରଗଡ ସହ ଛତିଶଗଡର କେତେକ ଅଞ୍ଚଳରେ ଭାଦ୍ରବ ମାସରେ ହିଁ ପାଳିତ ହୋଇଥାଏ । ଭୂଦେବୀ ବା ଶସ୍ୟକାରିଣୀ ଦେବୀ (ଧରଣୀ), ଗ୍ରାମ ଦେବାଦେବୀ ପିଠରେ ପ୍ରାଚୀନ ପରମ୍ପରା ଅନୁକ୍ରମେ ନୂଆ ଲାଗି ହେଉଥିବାବେଳେ ସମଲେଶ୍ବରୀ, ପାଟଣେଶ୍ବରୀ, ସୁରେଶ୍ବରୀ, ମାଣିକେଶ୍ବରୀ ଆଦି ଅନେକ ଦେବୀ ପିଠ ମାନଙ୍କରେ ଦେବୀମାନଙ୍କ ଗ୍ରହ ନକ୍ଷତ୍ର ଅନୁସାରେ ଲଗ୍ନ ନିରୁପଣ ହୋଇ ନୂଆ ଲାଗି ହୋଇଥାଏ ।

ପିତୃପୁରୁଷ ଆରଧନାର କ୍ରମବିକାଶରେ ଅନେକ ଦେବାଦେବୀ ସୃଷ୍ଟି ହୋଇଛନ୍ତି । ଆଦିମ ସମାଜର ପିତୃପୂଜା, ଡଙ୍ଗର ପୂଜା ଓ ଧର୍ମଦେବତୀ ପୂଜାରୁ ପରବର୍ତ୍ତି କାଳୀନ ସମସ୍ତ ପୁରୁଷ ଦେବତାଙ୍କ ବିବର୍ତ୍ତନ ସମ୍ଭବ ହୋଇଛି । ଉତ୍ତରକାଳିନ ସମସ୍ତ ମାତୃଦେବୀ ମାନଙ୍କ ବିବର୍ତ୍ତନ ଆଦିମ ସମାଜର ଭୂଦେବୀ ଉପାସନା ବା ଧରଣୀତତ୍ତ୍ବରୁ ସମ୍ଭବ ହୋଇଛି । ଶିକାରଜିବୀ ସମାଜାର ଭୂଦେବୀ ଭୂଦେବୀ ବା ପୃଥିବୀମାତା ଅରଣ୍ୟଦେବୀ ଭାବେ କଳ୍ପିତା ହୋଇଥିଲେ ନୂତନ ପ୍ରସ୍ଥର ଯୁଗର କୃଷିଜିବୀ ସମାଜରେ ଏହି ଦେବୀ ଶସ୍ୟଦାୟିନୀ ଭୂଦେବୀ ଭାବେ କଳ୍ପିତା ହେଲେ ।

ଅରଣ୍ୟ ପ୍ରକୃତିର ବନ୍ୟ ସମାଜ ଓ ଶିକାରଜିବୀ ସମାଜରେ ପରିବର୍ତ୍ତିତ ଦେବାଦେବୀମାନେ (ପ୍ରକୃତିର ବିଭିନ୍ନ ଶକ୍ତି ) ପ୍ରାଥମିକ କୃଷିଜିବୀ ସମାଜରେ ଅନିବାର୍ଯ୍ୟ ଭାବେ ଆବଶ୍ୟକ ହେଉଥିବାରୁ ପରବର୍ତ୍ତି କୃଷିଜିବୀ ସମାଜର ଧର୍ମାଚାର ଓ ଦେବାଦେବୀତତ୍ତ୍ବ ମଧ୍ୟରେ ସେ ସକଳ ଆବାଲୀନ ଭାବେ ରହିଲେ । ପ୍ରତ୍ନ ପ୍ରପିତାମହଙ୍କର ମାନସତତ୍ତ୍ବ, ଭାବ ସଂକଳ୍ପ ଓ ବ୍ୟବହାରିକ କାର୍ଯ୍ୟଚେଷ୍ଠାରୁ ଉତ୍ତରକାଳୀନ ସମସ୍ତ ଲୋକସଂସ୍କୃତିର ଧାରା ଓ ଉପଧାରାର ବିବର୍ତ୍ତନ ସମ୍ଭବ ହୋଇଥିବାରୁ ସମସ୍ତ ଯୁଗର ଧର୍ମାଚାର ମଧ୍ୟରେ ପିତୃପୂଜାର ପ୍ରାଥମିକତା ରହିଆସିଲା । ଆଜି ପର୍ଯ୍ୟନ୍ତ ଶାକ୍ତ-ତନ୍ତ୍ର ପରମ୍ପରାରେ ବିକଶିତ ହୋଇଆସିଥିବା ‘ନବାନ୍ନ’ର ସମସ୍ତ ମାତୃଦେବୀମାନେ ମୂଳତଃ ପୂର୍ବୋକ୍ତ ଭୂଦେବୀ ବାଶସ୍ୟଦାୟିନୀ ଦେବୀଙ୍କଠାରୁ ହିଁ ବିବର୍ତ୍ତିତ ହୋଇଛନ୍ତି ।

ଆଦିମ କୃଷିଜିବୀ ସମାଜରେ ଭୂଦେବୀଙ୍କ ଶସ୍ୟଦାୟିନୀ ଶସ୍ୟଦେବୀ ରୂପରେ ଉପାସନା ସହ ‘ନବାନ୍ନ’ ପୂଜାର ଆନୁଷ୍ଠାନିକ ପରମ୍ପରା ଗଢି ଉଠିଥିଲା । କୃଷିଦ୍ବାରା ଭୂମୀରୁ ଉତ୍ପନ୍ନ ଶସ୍ୟ ଯୋଗୁଁ ମାନବର ଭୌତିକ ସ୍ଥିତି ସମ୍ଭବ ହେଉଥିବାର ଉପଲବ୍ଧି କରି ପରବର୍ତ୍ତି ସମୟରେ ‘ଶସ୍ୟ ବା ଅନ୍ନ’ କୁ ଶକ୍ତିମୟୀ ଦେବୀ ଭାବରେ ଗ୍ରହଣ କରାଯାଇଛି ।

ବର୍ଷ ଯାକର ସବୁ ବିଦ୍ବେଷକୁ ଧ୍ବଂସ କରିଥାଏ ମହା ପାର୍ବଣ ନୂଆଖାଇ । ଯିଏ ଯେତେ ଦୂରରେ ଥିଲେ ମଧ୍ୟ ନୂଆଖାଇ ପୂର୍ବରୁ ଗାଁକୁ ଫେରିଥାନ୍ତି ସାଧାରଣ ଜନତା । ଲୌକିକ ଓ କୌଳିକ ପରମ୍ପରା ଅନୁସାରେ ନୂଆ ଖାଇବା ପରେ ଜୁହାର ଭେଟ ହୋଇ କର୍ମ କ୍ଲାନ୍ତ ଜୀବନରେ ଖୁସିର ଫୁଆର ଛୁଟାଇଥାନ୍ତି । ଗ୍ରାମ ମାନଙ୍କରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଆୟୋଜିତ ହୋଇଥାଏ ଲୋକେ ଏହାର ଭରପୁର ମଜା ନେଇଥାନ୍ତି ।

କୃଷି ଭିତ୍ତିକ ସଭ୍ୟତାର ସ୍ମାରକୀ ତଥା ଗ୍ରାମୀଣ ଏକତାର ପ୍ରତୀକ ଏହି ପର୍ବ ବିଶ୍ବ ଭାତୃତ୍ବ, ମୈତ୍ରୀ ଓ ସଂହତୀର ଅର୍ଥ ପ୍ରଦାନ କରେ । ହଜାର ହଜାର ବର୍ଷ ଧରି ଅନୁସୃତ ହୋଇ ଆସୁଥିବା ଏହି ମହାନ ପାର୍ବଣରେ ଅନେକ ବିବର୍ତନ ହୋଇଛି, କିନ୍ତୁ ଆଜିବି ଗ୍ରାମାଞ୍ଚଳରେ ପୂରାତନ ଧାରା ଅନୁସାରେ ଏହା ପାଳିତ ହୋଇ ଆସୁଛି ।

ନୂଆଖାଇ ପୂର୍ବରୁ ଘରଦ୍ବାର ସଫାସୁତୁରା କରିବା, ଗାଁରୁ ରୋଗ ବୈରାଗ ଦୂର କରିବାରୁ ରୁଗୀଯୁଗୀ ବଲେନ୍, ପଣା ପାଏନ୍ ଢାଲା, ଭାଦ୍ର ଶୁକ୍ଳ ଚତୁର୍ଥୀ ଦିନ ଧରଣୀ ଦେବୀଙ୍କ ପିଠରେ ଖେଡ୍ ସୁଆ ଓ ସେହି ଦିନ ଉପବାସରେ ରହି ମସାନକୁନା/ପିଦରରେ ପିତୃ ପୁରୁଷଙ୍କ ଆବାହନ କରାଯାଇଥିଏ ।

ନୂଆଖାଇ ଦିନ ସକାଳୁ ଧାନ କ୍ଷେତରେ ଗୋରଷ ଢାଳି ନୂତନ ଧାନକୁ ଘରକୁ ଅଣା ଯାଇଥାଏ । ଏହା ପୂର୍ବରୁ ଜଙ୍ଗଳରୁ କୁରେ ପତ୍ର ଆସି ଯାଇଥାଏ । ନବାର୍ଣ୍ଣରେ ଯେଉଁ ଧାନ ବ୍ୟବହୃତ ହୁଏ ତାହା ହେଉଛି ଛେଟକା ଧାନ । ପାଣିନିଙ୍କ ଅଷ୍ଟାଦ୍ଧାୟୀରେ ଏହି ‘ଷଷ୍ଠିକା’ (୬୦ ଦିନରେ ଅମଳ ହେଉଥିବା ଧାନ – ଛେଟକା ଧାନ) ଧାନ ବିଷୟରେ ବର୍ଣ୍ଣିତ ହୋଇଛି । ଏହି ଧାନକୁ ଆଁଟ୍ ରେ ବୁଣା ଯାଇଥାଏ ଓ ଆଡ ଧାନ ମଧ୍ୟ କୁହା ଯାଇଥାଏ । ଏହି ଧାନ ମୋଟା ହୋଇଥାଏ ଓ ଏଥିରୁ ଉତ୍ପନ୍ନ ଚୁଡା ସୁସ୍ବାଦୁ ତଥା ଅନ୍ନ ପୁଷ୍ଟିକର ହୋଇଥାଏ ।

ନିଜ ନିଜ ଘରେ ପିତୃପୁରୁଷ ଓ ଇଷ୍ଟଦେବାଦେବୀ ମାନଙ୍କ ପାଖରେ ନୁଆ ସମର୍ପଣ କରିବା ପରେ ପରିବାରର ସମସ୍ତେ ଏକାଠି ବସି କୁରେ ପତ୍ରରେ ନୂଆ ଚୁଡା, ନୂଆ ଅର୍ଣ୍ଣ ଆଦି ଭକ୍ଷଣ କରିଥାନ୍ତି । ନୂଅା ଖାଇବା ପରେ ଜୁହାର ଭେଟ ଓ ତା’ ପରଦିନ ନୂଆଖାଇ ବାସୀ ମାନିଥାନ୍ତି ପଶ୍ଚିମ ଓଡିଶା ବାସୀ । ପରିଶେଷରେ ଏତିକି କୁହାଯାଇ ପାରିବ ଯେ, ନୂଆଖାଇ ହେଉଛି କୃତଜ୍ଞତାର ଅନନ୍ୟ ପାର୍ବଣ । ପରକୁ ଆପଣେଇ ନେବାର ସୁମଧୁର ଅବସର ଓ କୃଷି ଭିତ୍ତିକ ସମାଜ ବ୍ୟବସ୍ଥାର ପ୍ରତିବିମ୍ବ ।

ସୁନୀଲ କୁମାର ଧଙ୍ଗଡାମାଝୀ

Editor odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta