ସୁନୀଲ ଗଙ୍ଗୋପାଧ୍ୟାୟଙ୍କ କବିତା


ଆଜି ମହାନ ବଙ୍ଗଳା ଲେଖକ ସୁନୀଲ ଗଙ୍ଗୋପାଧ୍ୟାୟଙ୍କ ଜନ୍ମଦିନ । ସେ ୭ ସେପ୍ଟେମ୍ବର ୧୯୩୪ରେ ବର୍ତ୍ତମାନର ବାଂଲାଦେଶ ଅନ୍ତର୍ଗତ ଫରିଦପୁର ଜିଲ୍ଲା ଆମଗ୍ରାମଠାରେ ଜନ୍ମଗ୍ରହଣ କରିଥିଲେ । ୨୦୦ରୁ ଉର୍ଦ୍ଧ୍ବ ପୁସ୍ତକର ରଚୟିତା ସୁନୀଲ ସାହିତ୍ୟର ସମସ୍ତ ବିଭାଗରେ ଲେଖନୀ ଚାଳନା କରିଥିଲେ । ସେ ପ୍ରସିଦ୍ଧ କବିତା ପତ୍ରିକା ‘କୃତ୍ତିବାସ’ର ସଂପାଦକ ଥିଲେ । ସାହିତ୍ୟ କୃତି ପାଇଁ ସେ ସରସ୍ୱତୀ ସମ୍ମାନ, ସାହିତ୍ୟ ଅକାଦେମୀ ପୁରସ୍କାର, ପଶ୍ଚିମବଙ୍ଗ ସରକାରଙ୍କ ପ୍ରଦତ୍ତ ବଙ୍କିମ ପୁରସ୍କାର, ଭାରତ ସରକାରଙ୍କ ପ୍ରଦତ୍ତ ସ୍ୱର୍ଣ୍ଣକମଳ ପୁରସ୍କାର, ଆନନ୍ଦ ପୁରସ୍କାର ଆଦିରେ ସମ୍ମାନିତ ହୋଇଥିଲେ । ୨୩ ଅକ୍ଟୋବର ୨୦୧୨ରେ ତାଙ୍କର ପରଲୋକ ଘଟିଥିଲା ।

ଆସନ୍ତୁ ପଢ଼ିବା ତାଙ୍କର କିଛି କବିତାର ଓଡ଼ିଆ ଅନୁବାଦ ।

ପ୍ରସ୍ତୁତି: ସୁଧୀର କୁମାର ଧଙ୍ଗଡ଼ାମାଝୀ

ଏଇଭଳି

ବଡ଼ ବିସ୍ମୟକର ଦୁଃଖ ଆମର
ଆମ ଜୀବନରେ ବହୁ ତିକ୍ତ ଆନନ୍ଦ
ମାସକୁ ଥରେ ଦୁଇଥର ଆମ ମୃତ୍ୟୁ
ଆମେ ଅଳ୍ପଟିକେ ମରି ପୁଣି ଜିଇଁଉଠୁ
ଆମେ ଅଦେଖା ପ୍ରେମ ପାଇଁ କାଙ୍ଗାଳ ହୋଇ
ପ୍ରତ୍ୟକ୍ଷ ପ୍ରେମକୁ କରୁ ଅସ୍ୱୀକାର
ଆମେ ସାର୍ଥକତା ନାଁରେ ଗୋଟେ ବ୍ୟର୍ଥତା ପଛେପଛେ
କିଣିନେଉ ଦୁଃଖଭରା ସୁଖ,
ଆମେ ମାଟିକୁ ଛାଡ଼ି ଉଠିଯାଉ ଦଶ ମହଲା ଉପରକୁ
ପୁଣି ମାଟି ପାଇଁ ହାହାକାର କରୁ
ଆମେ ପ୍ରତିବାଦରେ ଦାନ୍ତ କଡ଼ମଡ଼ କରି ପରକ୍ଷଣରେ ହିଁ
ଦେଖାଉ ହସହସ ମୁହଁର ମୁଖା
ପ୍ରତାଡ଼ିତ ମନୁଷ୍ୟ ପାଇଁ ଆମେ ଗଭୀର ନିଃଶ୍ୱାସ ଛାଡ଼ି
ପ୍ରତାଡ଼ିତଙ୍କ ସଂଖ୍ୟା ଆହୁରି ବଢ଼ାଇଚାଲୁ ପ୍ରତିଦିନ
ଆମେ ଜାଗ୍ରତରେ ଶୋଉ ଆଉ
ଚେଇଁରହୁ ସ୍ୱପ୍ନରେ
ଆମେ ହାରୁ ହାରୁ ରକ୍ଷାପାଉ ଆଉ ଧିକ୍କାର କରୁ ବିଜୟୀକୁ
ପ୍ରତିକ୍ଷଣରେ ଲାଗେ ଯେ, ଏଇଭଳି ନୁହେଁ, ଏଇଭଳି ନୁହେଁ
ଭିନ୍ନ କିଛି, ଜୀବିତ ରହିବା ଅନ୍ୟ କୌଣସି ପ୍ରକାରେ
ତଥାପି ଏଇଭଳି ଅସମାପ୍ତ ନଦୀ ଭଳି
ହଲିଝୁଲି ଆଗକୁ ଖସ୍ରୁଥାଏ ଜୀବନ…!!

ଦୀର୍ଘ କବିତାର ପାଣ୍ଡୁଲିପି

ଏଇ ପୃଥିବୀ ସହ ଜଡ଼ିତ ଅଛି ଗୋଟେ ଭିନ୍ନ ପୃଥିବୀ
ଅରଣ୍ୟ ସହ ଏକ ସମାନ୍ତରାଳ ଅରଣ୍ୟ
ଦ୍ୱିପ୍ରହର ନିର୍ଜନତାରେ ଭିନ୍ନ ଏକ ନିର୍ଜନତା
ମତେ ବିସ୍ମିତ କରିଦିଏ
ବେଳେବେଳେ ବହୁତ ବିସ୍ମିତ କରିଦିଏ,
ପ୍ରେମର ମୁଖମଣ୍ଡଳକୁ ଘେରି ରହିଛି ଭିନ୍ନ ଏକ ପ୍ରେମ
ଗଭୀର ଶ୍ୱାସ ପାଖରେ ଆଉଗୋଟେ ଗଭୀର ଶ୍ୱାସ
ସଞ୍ଜବେଳେ ନଈକୂଳେ ଏକୁଟିଆ ବସେ
ଲହଡ଼ି-ଲହଡ଼ି ଟୁକୁଡ଼ା-ଟୁକୁଡ଼ା ହୋଇଯାଏ ରକ୍ତବର୍ଣ୍ଣ ଆକାଶ
ସେବେ ଆଉଗୋଟେ ନଦୀ ପାଖରେ
ଅସଂଖ୍ୟ ଲହରୀର ସମ୍ରାଟ ହୋଇ
ଏକ୍ଲା ଗୋଟେ ମଣିଷର ବସିରହିବା –
ଗୋଟେ ଏକୁଟିଆ ଲୋକ
ପାଣିର ଇନ୍ଦ୍ରଜାଲରେ ଦେଖେ ଯେ ସେ ଏକ୍ଲା ନାହିଁ
ସମସ୍ତ ଦୁଃଖମାନଙ୍କର ହିମଶୀତଳ ଶଯ୍ୟାରେ ଅଛି
ଆଉଗୋଟେ ଭିନ୍ନ ଦୁଃଖ
ତମାମ୍ ଚିକ୍କଣ ରାସ୍ତାର ଫଳକ ଦୋହଲୁଥାଏ
ବିସ୍ମରି ଯାଇଥିବା ଆଉଗୋଟେ ଉଦ୍ଦେଶ୍ୟହୀନ ରାସ୍ତା
ମତେ ବିସ୍ମିତ କରିଦିଏ
ବେଳେବେଳେ ବହୁତ ବିସ୍ମିତ କରିଦିଏ…

ନୀରା ପାଇଁ

ନୀରା! ତୁ ନେ ଦ୍ୱିପ୍ରହରର ସ୍ୱଚ୍ଛତା
ନେ ରାତିର ଦୂରତା
ତୁ ନେ ଚନ୍ଦନ-ସମୀର
ନେ ନଈକୂଳ କୁଆଁରୀ ମାଟିର ସ୍ନିଗ୍ଧ ସରଳତା
ହାତରେ ଲେମ୍ବୁପତ୍ରର ବାସ୍ନା
ନୀରା! ତୁ ଓଲଟି ଦେଖ୍
ତୋ ପାଇଁ ମୁଁ ରଖିଛି
ବର୍ଷର ଶ୍ରେଷ୍ଠ ସୂର୍ଯ୍ୟାସ୍ତ
ତୁ ନେ ବାଟର ଭିକାରୀ ପିଲାର ହସ
ନେ ଦେବଦାରୁ ପତ୍ରର ପହିଲି ସବୁଜିମା
କାଚପୋକ ଆଖିର ବିସ୍ମୟ
ନେ ନିର୍ଜନ ସନ୍ଧ୍ୟାର ଖଣ୍ଡିଆଭୂତ
ଜଙ୍ଗଲ ମଝିରେ ମଇଁଷି ବେକର ଘଣ୍ଟି
ନେ ନିରବ ଅଶ୍ରୁ
ନେ ଅଧରାତିରେ ଭାଙ୍ଗିଯାଇଥିବା ନିଦର ଏକ୍ଲାପଣ
ନୀରା! ତୋ ମଥାରେ ଝରିଯାଉ
କୁହୁଡ଼ିଲଗା ଶେଫାଳି
ତୋ ପାଇଁ ରାବୁ ରାତିର ପକ୍ଷୀ
ପୃଥିବୀରୁ ଯେବେ ସରିଯିବ ସବୁ ସୁନ୍ଦରତା
ତଥାପି, ଝିଅ ମୋର
ତୋ ପାଇଁ
ମୁଁ ଏସବୁ ରଖିଯିବାକୁ ଚାହୁଁଛି ।

ମୋ: ୭୦୦୮୫୬୮୭୮୦

ଏଠି ଛୁଇଁ odiabarta.in ର ସାହିତ୍ୟ ଗ୍ରୁପ୍’ରେ ଯୋଗଦିଅନ୍ତୁ, ସାହିତ୍ୟ ସମ୍ପର୍କିତ ସମସ୍ତ ସୂଚନା ପାଆନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

http://facebook.com/odiabarta