୧୫ ଲକ୍ଷ ଟଙ୍କାର ମହାବନ୍ଧ ଫେଲ୍ 

ନା ଚାଷଜମିରେ ହୋଇପାରୁଛି ଜଳସେଚନ, ନା ସଫଳ ହୋଇ ପାରୁଛନ୍ତି ମାଛଚାଷୀ

ରାୟଗଡ,୨୧/୯ : ଜଳ ବିଭାଜିକା ଅଂଚଳରେ ଜଳ ସଂରକ୍ଷିତ କରାଯାଇ ସେହି ଜଳରୁ ହିଁ ନିକଟସ୍ଥ ଚାଷଜମିକୁ ଜଳସେଚିତ କରିବା ସହ ମାଛ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଆଦି ବିଭିନ୍ନ ବିକାଶମୂଳକ ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ଆରଏଡି ସ୍କିମରେ ପୋଖରୀ ଖନନ କରାଗଲା । ତେବେ ଅନ୍ୟ ଜିଲ୍ଳାଗୁଡିକରେ ଏହି ସ୍କିମରେ ଖନନ କରାଯାଇଥିବା ଅନେକ ପୋଖରୀଗୁଡିକ ଗ୍ରାମବାସୀଙ୍କ ବ୍ୟବହାରରେ ଆସିପାରୁଥିବା ବେଳେ ରାୟଗଡ ଜିଲ୍ଳାରେ ଏହି ସ୍କିମରେ ଅନେକ ପୋଖରୀ ଖନନ ଖୋଲା ଯାଇଥିଲେ ମଧ୍ୟ ଚାଷୀ ତଥା ଗ୍ରାମବାସୀମାନେ ଏଥିରେ ଉପକୃତ ହୋଇପାରୁ ନାହାନ୍ତି ।

ଏମିତି ଏକ ଉଦାହରଣ ହେଉଛି ରାୟଗଡ ଜିଲ୍ଳା କୋଲନରା ବ୍ଳକ ଡୁମୁରିଗୁଡା ପଂଚାୟତ ଅନ୍ତର୍ଗତ କନ୍ଧ ଡେଙ୍ଗାସରଗି ଗ୍ରାମ । ଏହି ଗ୍ରାମରେ ରହୁଛନ୍ତି ୬୫ଟି ଆଦିବାସୀ ପରିବାର । ସମସ୍ତ ପରିବାର ଚାଷ ଉପରେ ନିର୍ଭର କରୁଥିବା ବେଳେ ଚାଷ ପାଇଁ ଜଳର ଅଭାବ ରହିଥିବାରୁ ଏହି ଗ୍ରାମରେ ରାୟଗଡ ଜିଲ୍ଳା ଉପ-ନିର୍ଦ୍ଦେଶକ ମୃତିକା ସଂରକ୍ଷଣ ଓ ପ୍ରକଳ୍ପ ପ୍ରଶାସକ,ଜଳ ବିଭାଜିକା ବିଭାଗ ପକ୍ଷରୁ ଖୋଲା ଯାଇଥିଲା ଏକ ମହାବନ୍ଧ । ବିଗତ ୨୦୧୪-୧୫ ଆର୍ଥିକ ବର୍ଷରେ ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକ,ରାୟଗଡଙ୍କ ତରଫରୁ ଏକ ବର୍ଷ ଅବଧି ରହିଥିବା ଆରଏଡି ସ୍କିମରେ ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କନ୍ଧଡେଙ୍ଗାସରଗି ଗ୍ରାମ ମୁଣ୍ଡରେ ରହିଥିବା ଏକ ସରକାରୀ ସ୍ଥାନରେ ମହାବନ୍ଧ ଖନନ କରାଯାଇଥିଲା । ମହାବନ୍ଧରେ ଜଳ ସଂରକ୍ଷିତ ରଖିବାକୁ ନିକଟସ୍ଥ ପାହାଡରୁ ଝରୁଥିବା ପାଣିକୁ ମହାବନ୍ଧକୁ ସିଧାସଳଖ ଆସିବା ପାଇଁ ଆନିକଟ କରାଯାଇଥିଲା । ଯାହାକୁ ନେଇ ଗ୍ରାମର ଅନେକ ଚାଷି ପରିବାର ଓ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀମାନଙ୍କୁ ମହାବନ୍ଧ ଖନନ ବେଳେ ବର୍ଷା ଓ ଖରା ଦିନେ ଯେମିତି ଏଥିରେ ଜଳ ସଂରକ୍ଷିତ ହୋଇ ରହିପାରିବ ସେହିପରି ଖନନ କରାଗଲେ ଗ୍ରାମବାସୀ ଉପକୃତ ହେବେ ବୋଲି ନିବେଦନ କରିଥିଲେ । ମହାବନ୍ଧ ଖନନ କରି ନିଜ ଉଚ୍ଚ ପଦସ୍ଥ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଳାର ବିଭାଗୀୟ ଅଧିକାରୀମାନେ ଏହି ମହାବନ୍ଧର ପରିଦର୍ଶନ କରି ପ୍ରଶଂସନୀୟ ମଧ୍ୟ ହୋଇପାରିଥିଲେ ।

କିନ୍ତୁ ପରିତାପର ବିଷୟ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଖନନ ହୋଇଥିବା ମହାବନ୍ଧରେ ପର୍ଯ୍ୟାପ୍ତ ପରିମାଣ ଜଳ ସଂରକ୍ଷିତ ହୋଇ ପାରୁ ନ ଥିବାରୁ ବନ୍ଧ ଚାରିକଡରେ ଥିବା ଏକର ଏକର ଚାଷଜମିକୁ ଜଳସେଚିତ ହୋଇପାରୁଛି ନା ମାଛଚାଷ କରିବା ପାଇଁ ଯୋଜନା କଲେ ମଧ୍ୟ ସଫଳ ହୋଇ ପାରୁଛନ୍ତି ଚାଷି । ବିଭାଗୀୟ ଅଧିକାରୀଙ୍କୁ ମହାବନ୍ଧ ଖନନ ବେଳେ ଅଧିକ ଗଭୀର ଖୋଲିବା ପାଇଁ କୁହାଯାଇଥିଲେ ମଧ୍ୟ ମାତ୍ର ତଳକୁ ୩ଫୁଟ ଗାତ କରି ଛାଡି ଦେଇଥିବାରୁ ଏହି ମହାବନ୍ଧରେ ଜଳ ସଂରକ୍ଷିତ ହୋଇପାରୁନାହିଁ ବୋଲି ଗ୍ରାମ ଜଳ ବିଭାଜିକା କମିଟିର ସଭାପତି ଚନ୍ଦ୍ରିୟା କୁଟ୍ରୁକା ଓ ଗ୍ରାମବାସୀ ଜଗନ୍ନାଥ କୁଟ୍ରୁକା, ଜ୍ୟୋତି କୁଟ୍ରୁକା, ଶାନ୍ତୁ କୁଟ୍ରୁକାଙ୍କ ସମେତ ଅନ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବର୍ତମାନ ୧୦କେଜି ଯାଅଁଳା ମାଛ ଏହି ମହାବନ୍ଧରେ ଛଡାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଲଗାଣ ବର୍ଷା ସ୍ୱତେ ଜଳ ସଂରକ୍ଷିତ ନ ହୋଇ ଥିବାରୁ ବକଳା ଥିବା ଅଳ୍ପ ପାଣିରେ ମାଛ କିପରି ବଢିବେ ଏବଂ ଅତ୍ୟଧିକ ଖରା ଯୋଗୁଁ ପାଣି ଶୁଖିଗଲେ କଣ କରାଯିବ ବୋଲି ଚିନ୍ତାରେ ମାଛଚାଷୀ । ସେହିପରି ଯେଉଁ ସ୍ଥାନରେ ଏହି ମହାବନ୍ଧ ଖୋଲଯାଇଛି ତାହା ଅତ୍ୟନ୍ତ ତଳସ୍ଥାନ ହୋଇଥିବା ହେତୁ ବହୁ ଉଚ୍ଚରେ ରହିଥିବାରୁ ଚାଷଜମିଗୁଡିକରେ ମହାବନ୍ଧର ଜଳକୁ ନିଜ ଚାଷଜମିରେ ସେଚିତ କରିପାରୁ ନାହାନ୍ତି ଚାଷିକୂଳ । ଫଳରେ ଲକ୍ଷାଧିକ ଟଙ୍କାର ମହାବନ୍ଧ ଏମାନଙ୍କ କାର୍ଯ୍ୟରେ ବ୍ୟବହୃତ ହୋଇପାରୁ ନ ଥିବାରୁ କେବଳ ବର୍ଷା ଜଳକୁ ଭରସା କରି ଚାଷ କରୁଛନ୍ତି ଗ୍ରାମାବାସୀମାନେ ।

ଅପରପକ୍ଷେ ଏକବର୍ଷ ସମୟସୀମାରେ ଥିବା ଆରଏଡି ସ୍କିମରେ ଏହି ମହାବନ୍ଧ ଖୋଲାଯାଇ ଉକ୍ତ ବର୍ଷରେ ଗ୍ରାମର ବହୁ ଚାଷୀମାନେ ବନ୍ଧ ଚାରିପାଖ ଅଂଚଳରେ ମୁନିଗା, କଦଳୀ ଭଳି ଅନ୍ୟାନ୍ୟ ପନିପରିବା ଚାଷ କରି ଲାଭବାନ ହୋଇଥିଲେ ଏବଂ ସମୟସୀମା ଶେଷ ହେବା ପରେ ମହାବନ୍ଧରୁ ଲିଫ୍ଟ ମୋଟର ସାହାର୍ଯ୍ୟରେ ଗ୍ରାମବାସୀମାନେ ନିଜ ଚାଷଜମିକୁ ଜଳ ସେଚିତ କରିବା କଥା ବୋଲି କୋଲନରା ବ୍ଳକ ପିଆଇଏ ଚିନ୍ତାମଣି ଜେନା ଉତର ରଖିଛନ୍ତି । ସେହିପରି ଆଜକୁ ୬ବର୍ଷ ତଳେ ଆରଏଡି ସ୍କିମରେ ଖୋଲାଯାଇଥିବା ମହାବନ୍ଧରେ ଗ୍ରାମବାସୀମାନେ ଯଦି ଉପକୃତ ହୋଇ ପାରୁନାହାନ୍ତି ତାହାହେଲେ ସେମାନେ ଲଖିତ ଅଭିଯୋଗ କଲେ ବିଭାଗ ପକ୍ଷରୁ ତାର ପୁର୍ନଉଦ୍ଧାର ପାଇଁ ଚିନ୍ତା କରାଯିବ ବୋଲି ପିଆଇଏଙ୍କ ସହାୟକ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ସେନାପତି ବେପାରୁଆ ଭାବେ ଉତର ରଖୁଛନ୍ତି । କେବଳ ଏତିକି ନୁହେଁ କୋଲନରା ବ୍ଳକ ଅଂଟାମୁଡା ନିକଟରେ ଥିବା ରେଙ୍ଗାଲପାଡୁ ଗ୍ରାମରେ ମଧ୍ୟ ଚାଷୀଙ୍କ ପାଇଁ ଏହି ସ୍କିମ ମାଧ୍ୟମରେ ବୋର ଖୋଲାଯାଇ ଚାଷଜମିକୁ ଜଳ ସେଚିତ କରାଯିବାର ବ୍ୟବସ୍ଥା କରାଯାଇଥିଲା । ତେବେ ଏଠାରେ ମଧ୍ୟ ଏହି ବ୍ୟବସ୍ଥା ଫେଲ ମାରିଥିବା ବେଳେ ବହୁ ପୁରୁଣା ବନ୍ଧଗୁଡିକରେ କାମ କରାଯାଇ ଏହାକୁ ନୂତନ କାମର ରୂପରେଖ ପ୍ରଦାନ କରାଯାଉଥିବା ମଧ୍ୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେହିପରି ଏହି ବ୍ଳକରେ ଉକ୍ତ ବିଭାଗ ଦ୍ୱାରା କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡିକ କେବଳ କାଗଜ କଲମରେ ବିକାଶ ହୋଇପାରିଥିବା ବେଳେ ପ୍ରକୃତରେ ଗ୍ରାମବାସୀମାନେ ଉପକୃତ ହୋଇ ପାରୁନାହାନ୍ତି । ଅପରପକ୍ଷେ ଆରଏଡି ସ୍କିମରେ ଥିବା ଗାଇଡଲାଇନ ଅନୁସାରେ ଲକ୍ଷାଧିକ ଟଙ୍କାରେ ମହାବନ୍ଧ ସହ ଛୋଟବଡ ପୋଖରୀକୁ ମେସିନ ଦ୍ୱାରା ଖନନ କରାଯାଉଥିବାରୁ ଗ୍ରାମରେ ଥିବା ଶ୍ରମିକମାନେ କାମ ପାଇ ପାରୁନାହାନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.