ଦାୟିତ୍ୱ ନେଲେ ଶକ୍ତିକାନ୍ତ ଦାସ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସ ଦାୟିତ୍ୱ ନେଇଛନ୍ତି। ଅର୍ଥ କମିସନର ସଭ୍ୟ ଥିବା ଶକ୍ତିକାନ୍ତ ଦାସ ତିନି ବର୍ଷ ଲାଗି ଏହି ଦାୟିତ୍ୱ ତୁଲାଇବେ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ଗତ ୧୦ ତାରିଖ ଦିନ ଅଚାନକ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର ଗତକାଲି ଶକ୍ତିକାନ୍ତ ଦାସଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ଦେଇଥିଲେ।
ଏହି ପଦବିରେ ନିଯୁକ୍ତ ହେବାରେ ଶକ୍ତିକାନ୍ତ ଦାସ ହେଉଛନ୍ତି ପ୍ରଥମ ଓଡ଼ିଆ ଅଧିକାରୀ। ୧୯୮୦ ମସିହାର ତାମିଲନାଡୁ କ୍ୟାଡରର ଆଇଏଏସ ଅଧିକାରୀ ଶକ୍ତିକାନ୍ତ ଦାସ ତାମିଲନାଡ଼ୁ ସମେତ କେନ୍ଦ୍ର ସରକାରଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ପାଇଥିଲେ। ସେ ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ଅର୍ଥନେତିକ ବ୍ୟାପାର ସଚିବ, ରାଜସ୍ୱ ସଚିବ ଏବଂ ସାର ବିଭାଗରେ ସଚିବ ଥିଲେ। ଗତବର୍ଷ ସେ ଅବସର ଗ୍ରହଣ କରିଥିଲେ।
ଶକ୍ତିକାନ୍ତ ୧୯୫୭ ଫେବ୍ରୁଆରୀ ୨୬ରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। କଟକ ଜିଲ୍ଲାର ଆଠଗଡ଼ନିବାସୀ କେଶବାନନ୍ଦ ଦାସ ଓ ଶୋଭାମଞ୍ଜରୀ ଦାସଙ୍କ ପାଞ୍ଚ ପୁଅଙ୍କ ମଧ୍ୟରୁ ଶକ୍ତିକାନ୍ତ ହେଲେ ଦ୍ବିତୀୟ। ଭୁବନେଶ୍ବରର ବୁଦ୍ଧେଶ୍ବରୀ କଲୋନିରେ ରହି ସ୍ଥାନୀୟ ଡିଏମ୍ ସ୍କୁଲ୍ରେ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିଥିଲେ। ଏହା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଇତିହାସରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ପାଠପଢ଼ା ଶେଷ ହେବା ପରେ ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୧୯୮୦ ବ୍ୟାଚ୍ରେ ତାମିଲନାଡ଼ୁ କ୍ୟାଡର୍ ଆଇଏଏସ୍ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।