ଜୁଆଆଡ୍ଡା ଉପରେ ପୋଲିସ ଚଢାଉ, ୧୦ଜଣ ଜୁଆଡି ଗିରଫ


ଟଙ୍କା, ମୋବାଇଲ, ମୋଟର ସାଇକେଲ ଓ ତାସ ପ୍ୟାକେଟ ଜବତ

ରାୟଗଡ,୧୮/୧୦ : ରାୟଗଡ ପୋଲିସର କଡାକଡି ପେଟ୍ରୋଲିଂ ବ୍ୟବସ୍ଥାକୁ ନଜରରେ ରଖି ଜୁଆଡିମାନେ ଏବେ ଆଉ ସହର ମଧ୍ୟରେ ଜୁଆ ଖେଳିବା ସୁରକ୍ଷିତ ନଭାବି ସହର ଉପକଣ୍ଠ ଅଂଚଳର ନଦୀତଟବର୍ତିୀ ସ୍ଥାନଗୁଡିକରେ ଖେଳିବା ସୁରକ୍ଷିତ ମଣୁଛନ୍ତି । ତେବେ ପୋଲିସ ଜୁଆଡିମାନଙ୍କ ଏହି ଯୋଜନାକୁ ମଧ୍ୟ ପଣ୍ଡ କରିଦେବାରେ ସଫଳ ହୋଇଛି । ରାୟଗଡ ଜିଲ୍ଳା ପୋଲିସ ପକ୍ଷରୁ ନଦୀକୂଳିଆ ଅଂଚଳରେ ଚାଲୁଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୦ଜଣ ଜୁଆଡିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ନେଇ ରାୟଗଡ ଥାନା ପରିସରରେ ଶୁକ୍ରବାର ସଂଧ୍ୟାରେ ରାୟଗଡ ଏସଡିପିଓ ତପନ ନାରାୟଣ ରଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏ ନେଇ ମିଳିଥିବା ସୂଚନା ପ୍ରକାରେ ରାୟଗଡ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନଙ୍କ ତତ୍ୱାବଧାନରେ ଥାନା ଏସ.ଆଇ.ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ଶୁକ୍ରବାର ଅପରାହ୍ନ ୪ଟା ୪୫ମିନିଟି ସମୟରେ ରାୟଗଡ ଥାନା ଅନ୍ତର୍ଗତ ଗୁମ୍ମା ଅଂଚଳରେ ୱାରଂଟ ରେଡ୍ କରିବା ପାଇଁ ଯାଇଥିବା ବେଳେ ତଳଗୁମ୍ମା ନିକଟରେ ନିର୍ମାଣଧୀନ ଥିବା ଏକ ବ୍ରିଜ ତଳେ ମଙ୍ଗାପତି ଜୁଆ ଖେଳ ଚାଲୁଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଘଟଣାସ୍ଥଳରୁ ଜୁଆଡିମାନଙ୍କୁ ଗିରଫ କରିବା ପାଇଁ ଚଢାଉ କରାଯାଇଥିଲା । ତେବେ ପୋଲିସ ଗାଡିକୁ ଦେଖି ସେଠାରେ ଥିବା ଅନ୍ୟମାନେ ଚମ୍ପଟ ମାରିଥିବା ବେଳେ ୧୦ଜଣ ଜୁଆଡିକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା । ଗିରଫ ଜୁଆଡିମାନେ ହେଲେ ଲକ୍ଷ୍ମୀନାରାୟଣ ସଗଡିଆ(୩୬), ଆକାଶ କୁମାର(୨୪), ସୁନୀଲ ସାମଲ (୩୨), ସାହୁ କୁଲଦୀପ (୪୮), ଶିବ ବିଡିକା (୪୯), ଜି.ବାଙ୍ଗାରି (୨୬), ରିକା ହରିନାଥ (୪୫), ଗଜୁଲୁ ପଦ୍ମନାଭ (୩୯), ଜି.ଅଭିଶେକ(୧୯) ଓ ଜି.ବିଜୟ (୩୬) ବୋଲି ପୋଲିସ ସୂଚନା ଦେଇଥିବା ବେଳେ ସମସ୍ତ ଗିରଫ ଜୁଆଡିମାନେ ରାୟଗଡ ସହର ଅଂଚଳର ବୋଲି ଜଣପଡିଛି । ସେହିପରି ଜୁଆଆଡ୍ଡାରୁ ୧୦୪ଟି ତାସ ପ୍ୟାକେଟ, ୫ଟି ମୋବାଇଲ, ୫ଟି ମୋଟର ସାଇକେଲ ଓ ନଗଦ ୭୦୨୦୦ଟଙ୍କା ଜବତ କରି ଜୁଆଡିମାନଙ୍କୁ ୟୁ/ଏସ ୩ଓପିଜି ଏକ୍ଟ ଧାରାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ପ୍ରକାଶ କରିଛନ୍ତି । ଏହି ଚଢାଉ ସମୟରେ ଏସ.ଆଇ.ମାନସ କୁମାର ସାହୁ, ଏ.ଏସ.ଆଇ. କେ.ସିଏଚ. ବେହେରା, ଏ.ଏସ.ଆଇ. ପି.ରାବଣା, ଓଏପିଏଫ ତ୍ରିପତି ଶବର, କନେଷ୍ଟବଳ ପ୍ରଭାକର ପରିଚ୍ଛା, ହଂସରାଜ ପୂଜାରୀ, ହାବିଲଦାର ଦିଲିପ ହୋତା ପ୍ରମୁଖ ସାମିଲ ହୋଇଥିଲେ । ପ୍ରକାଶ ଥାଉ କି ଜୁଆ ଖେଳ ଏକ ଅପରାଧ ହୋଇଥିବାରୁ ଏଥିରୁ ନିବୃତ ରହିବା ପାଇଁ ଜିଲ୍ଳା ଏସ.ପି.ଡଃ.ସର୍ବଣା ବିବେକ ଏମ.ସାଧାରଣ ଜନତାଙ୍କୁ ନିବେଦନ କରିଥିବା ବେଳେ ଏହି ଖେଳରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେହିପରି ଜୁଆ ଆଡ୍ଡାଗୁଡିକ ଉପରେ ରାୟଗଡ ଜିଲ୍ଳା ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ଚଡାଉ ଜାରି ରହିଛି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta