ଝାରସୁଗୁଡା : ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା। ଏପରିକି ବିଭିନ୍ନ ଗଣମାଧ୍ୟମରେ ବି ନବ ଦାସ ବିଜେଡ଼ିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଖୋଦ ବିଧାୟକ ନବ ଦାସ। ଏନେଇ ଏକ ପ୍ରେସ୍ ରିଲିଜ୍ ଜରିଆରେ ସେ ସ୍ପଷ୍ଟିକରଣ ଦେଇଛନ୍ତି। ସେ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦେବା ନେଇ ଅପ୍ରଚାର କରାଯାଉଛି। ଛାତ୍ର ଜୀବନରୁ ସେ କଂଗ୍ରେସ ସହିତ ଜଡ଼ିତ ଅଛନ୍ତି ଓ ରହିବେ ମଧ୍ୟ ବୋଲି କହିଛନ୍ତି। ଏଭଳି ଅପପ୍ରଚାରରୁ କ୍ଷାନ୍ତ ରହିବା ପାଇଁ ଅନୁରୋଧ କରିଛନ୍ତି। ଅପରପକ୍ଷେ ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସଙ୍କ ଏହି ସ୍ପଷ୍ଟିକରଣ ପରେ କଂଗ୍ରେସ ଶିବିରକୁ ଆଶ୍ୱସ୍ତି ମିଳିଛି। ଶ୍ରୀ ଦାସ ଝାରସୁଗୁଡା ଜିଲ୍ଲାରେ ବେଶ ଲୋକପ୍ରିୟ ନେତା ହୋଇଥିବାରୁ କ୍ରମାଗତ ଭାବେ ନିର୍ବାଚନରେ ବିଜୟୀ ହୋଇ ଆସୁଛନ୍ତି। ତେଣୁ ନବ ଦାସ ବିଜେଡ଼ିରେ ସାମିଲ ହେବା ଘଟଣା କେବଳ ଗଣାମଧ୍ୟମ ନୁହେଁ ବରଂ ବିଭିନ୍ନ ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଥିଲା।