ଜଳ କଷ୍ଟରେ ଅତିଷ୍ଠ ଲାଞ୍ଜିଗଡ଼ ବଡପଡ଼ାବାସୀ


୯ ଦିନ ହେଲା ଜଳ ଯୋଗାଣ ବନ୍ଦ, ଦୂଷିତ ପାଣି ପିଉଛନ୍ତି ଲୋକେ

ଲାଞ୍ଜିଗଡ଼,୨୮/୧୧ : ସାଧାରଣ ଜନତାଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ସରକାରଙ୍କ ନୈତିକ କର୍ତ୍ତବ୍ୟ । ଏଥିପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ଲୋକଙ୍କ ପାଖକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଚେଷ୍ଟିତ ଅଛନ୍ତି। ତେବେ କେତେକ କ୍ଷେତ୍ରରେ ତୃଣମୂଳ ସ୍ଥରର କର୍ମଚାରୀଙ୍କ ଖାମଖିଆଳ ଗୁଣ, ନିର୍ବାଚିତ ପ୍ରତିନିଧି ମାନଙ୍କ ଦୂରଦୃଷ୍ଟିର ଅଭାବ ଓ ସରକାରୀ ବାବୁମାନଙ୍କ ଉଦାସିନତା କାରଣରୁ ଜନତା ପାନୀୟଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ଲାଞ୍ଜିଗଡ ବ୍ଲକର ଚିତ୍ର ଏହାର ପ୍ରକୃଷ୍ଠ ଉଦାହରଣ ଭାବେ ନିଆଯାଇପାରେ ।

କଳାହାଣ୍ଡି ଜିଲ୍ଲାର ଏକ ପଛୁଆ ବ୍ଲକ ଲାଞ୍ଜିଗଡ଼ରେ ଜଳ ସଙ୍କଟ ଏକ ନିତିଦିନିଆ ଘଟଣା । ବ୍ଲକର ଅନେକ ଗ୍ରାମର ଲୋକଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିପାରିନାହିଁ । ଲାଞ୍ଜିଗଡ ବସ୍ତିରେ ଜଳ ଯୋଗାଣ ସୁବିଧା ଥିଲେମଧ୍ୟ ଆଜିକୁ ୯ ଦିନ ହେଲା ବଡପଡାରେ ଜଳ ଯୋଗାଣ ବନ୍ଦ ହୋଇ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏହି ପଡ଼ାରେ ପ୍ରାୟ ୨୦୦ଶହ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ୮୦୦ରୁ ଉର୍ଦ୍ଧ । ଏମାନଙ୍କ ପାନୀୟ ଜଳ ଯୋଗାଣ ପାଇଁ ପାଇପ ଯୋଗେ ଆସୁଥିବା ପାଣି ଉପରେ ନିର୍ଭର କରିଥାନ୍ତି। ନଳକୂପ ଦୁଇଟି ଥିଲେ ମଧ୍ୟ ସେଥିରୁ ଗୋଟିଏ ଅଚଳ ରହିଥିବା ବେଳେ ଆଉ ଗୋଟିକରେ କାର୍ବନ ପାଣି ବାହାରିଥାଏ । ପଡ଼ାବାସୀ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପଟେ ୯ଦିନ ହେଲା ଲାଞ୍ଜିଗଡ଼ରେ ପାଇପ ପାଣି ଯୋଗାଣ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ବାଧ୍ୟହୋଇ ପଡ଼ାବାସୀ ପାନୀୟ ଜଳ ପାଇଁ ୨ କିମି ଦୁର ଲାଞ୍ଜିଗଡ଼ ରାଜା ପଡ଼ାକୁ ତ କେତେବେଳେ ୧ କିମି ଲାଞ୍ଜିଗଡ଼ ମହାଦେବ ପଡ଼ାକୁ ଯାଇଥାନ୍ତି ଓ ଅଧିକାଂଶ ଲୋକ ନିକଟରେ ଥିବା ବଂଶୀଧାରା ନଦୀର ପାଣି ବ୍ୟବହାର କରିଥାନ୍ତି। ନିଜ ପଡ଼ାରେ ଗୋଟେ ପାଣି ଟାଙ୍କି ଲାଗି ବାରମ୍ବାର କହିଲେ ମଧ୍ୟ ପ୍ରଶାସନ ଶୁଣୁନାହିଁ ବୋଲି ଲୋକେ କହିଛନ୍ତି। ଜଳଯୋଗାଣକୁ ନେଇ ପଞ୍ଚାୟତ କର୍ତ୍ତୃପକ୍ଷକୁ ଅଭିଯୋଗ କରିବା ନିତି ଦିନିଆ ହୋଇଛି ବୋଲି ପଡ଼ାବାସୀ କହୁଛନ୍ତି।

ଲାଞ୍ଜିଗଡ଼ ନିକଟରେ ଥିବା ବଂଶୀଧାରା ନଦୀରୁ ପାଣି ଯୋଗାଣ ପାଇଁ ଲାଞ୍ଜିଗଡ଼ ସହରକୁ ପାଇପ ବିଛା ଯାଇଛି। ଏହି ପାଣି ଉପରେ ଭରସା କରିଛି ଲାଞ୍ଜିଗଡ଼ ସହର ବାସୀ। ହେଲେ ନିମ୍ନ ମାନର ପାଇପ ଓ କାମ ଯୋଗୁଁ ଏକ ବର୍ଷ ପରେ ସେସବୁ ଭାଙ୍ଗି ଗଲାଣି। ପ୍ରତି ମାସରେ ୫ଥର ଖଣ୍ଡେ ଫଟା ପାଇପରେ ଓଲଡିଂ କରାଯାଉଛି ତେଣୁ ଠିକ୍ ଭାବରେ ପାନୀୟ ଜଳ ଯୋଗାଣ ହୋଇ ପାରୁ ନାହିଁ। ଫଳରେ ପାଣି ମୁନ୍ଦାଏ ପାଇଁ ଲାଞ୍ଜିଗଡ଼ ଅଞ୍ଚଳବାସୀ ଡହଳ ବିକଳ ହେଉଛନ୍ତି। ଲାଞ୍ଜିଗଡ଼ ଅଞ୍ଚଳରେ ଆବଶ୍ୟକ ଅନୁସାରେ ନଳକୂପ ମଧ୍ୟ ନାହିଁ ଯାହା ବି କିଛି ସେଥିରେ ଲୋହଗୁଣ୍ଡ ଯୁକ୍ତ ପାଣି ବାହାରୁଛି। ଏପଟେ ନିମ୍ନ ମାନର ପାଇପ ବାରମ୍ବାର ଫାଟି ଯିବା ଫଳରେ ପାଇପ ପାଣି ଯୋଗାଣ ଏଭଳି ପରିସ୍ଥିତି ଦେଖା ଦେଇଛି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜଳ ବିଭାଗକୁ କହିଲେ ପଞ୍ଚାୟତକୁ ଦାଇ କରିଛି ଓ ପଞ୍ଚାୟତକୁ କହିଲେ ଜଳ ବିଭାଗକୁ ଦାଇ କରୁଛି। ଏପଟେ ଆରଡବ୍ଲୁଏସ୍ଏସର ଖାମଖିଆଲି ମନଭାବ ଯୋଗୁଁ ଏପରି ଜଳ ଯୋଗାଣ ହେଉଛି ବୋଲି ଲୋକେ କହୁଛନ୍ତି। ଏ ସମ୍ପର୍କରେ ଲାଞ୍ଜିଗଡ଼ ବ୍ଲକ ଗ୍ରାମ ଜଳ ଓ ପରିମଳ ମିସନର କନିଷ୍ଠ ଯନ୍ତ୍ରୀ ଯଶବନ୍ତ ମାଝୀଙ୍କୁ ପଚାରିବାରୁ ଆଜି ଲାଞ୍ଜିଗଡ଼ ବଡ ପଡ଼ାରୁ ଲୋକମାନେ ଏହି ବିଷୟ ନେଇ ମତେ ଫୋନ କରିଥିଲେ ପୂର୍ବରୁ ଖବର ପାଇଲା ମାତ୍ରେ ମୁଁ ଯାଇ ସଜାଡି ଦେଉଥିଲି ମାତ୍ର ଲାଞ୍ଜିଗଡ଼ ସରପଞ୍ଚ ମତେ ନଜଣାଇ କୌଣସି କାମ କରିବ ନାହିଁ ବୋଲି ମନାକରି ଲୋକେ ପ୍ରଥମେ ସରପଞ୍ଚଙ୍କୁ ଜଣାଇଲା ପରେ ମୁଁ ତମକୁ କହିଲେ ଆସିକି କାମ କରିବ ବୋଲି କହିଛନ୍ତି ବୋଲି ଯନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta