ପର୍ଯ୍ୟଟନ ମନ୍ତ୍ରୀଙ୍କ ବାନ୍ଧବୀ ପ୍ରୀତି : କୁଶ ପୁତ୍ତଳିକା ଦାହ କଲା ବିଜେପି

ବାଲେଶ୍ବର,୨୮/୧୧(ନରେନ୍ଦ୍ର ପ୍ରସାଦ ବେହେରା): କେନ୍ଦ୍ରାପଡା ବରୀମୂଳ ଆଶ୍ରମର ସାରଥୀ ବାବା ଓରଫ ସନ୍ତୋଷ ରାଉଳ ଜଣେ ଯୁବତୀଙ୍କୁ ନେଇ ଯାଇଥିଲେ ହାଇଦ୍ରାବାଦ। ଏକ ପଞ୍ଚତାରକା ହୋଟେଲରେ ଯୁବତୀଙ୍କ ସହ ରାତ୍ରିଯାପନକୁ ନେଇ ଓଡିଶା ଉଠିଲା ଓ ପଡିଲା। ଶେଷରେ ପୁଲିସ ବାନ୍ଧିଲା ସନ୍ତୋଷ ରାଉଳଙ୍କୁ। ଦୀର୍ଘଦିନ ଜେଲରେ ରହିବା ପରେ ସେ ଏବେ ଜାମିନରେ ମୁକୁଳିଛନ୍ତି।
କିନ୍ତୁ ନବୀନ ସରକାରଙ୍କର ଜଣେ ମନ୍ତ୍ରୀ ସରକାରୀ କାର୍ଯ୍ଯକ୍ରମରେ ଯାଇ ସେହି ହାଇଦ୍ରାବାଦକୁ ଦୁଇଜଣ ମହିଳାଙ୍କୁ ନେଇ ପଞ୍ଚତାରକା ହୋଟେଲରେ ରହିବା ଏବଂ ଏହି ବାନ୍ଧବୀ ଯିବା ଆସିବା ଓ ହୋଟେଲ ରହଣୀ ଖର୍ଚ୍ଚ ସରକାର ବହନ କରିବା କେଉଁ ସଚ୍ଛତାର ପ୍ରତୀକ?
ସାରଥି ବାବା ଓରଫ ସନ୍ତୋଷ ବ୍ଯକ୍ତିଗତ ମଉଜ ମଜଲିସରେ ଯାଇ ଶେଷରେ ଗିରଫ ହୋଇଥିଲେ, କିନ୍ତୁ ମନ୍ତ୍ରୀ ନିଜ ବ୍ଯକ୍ତିଗତ ମଜଲିସ୍ ସକାଶେ ସରକାରୀ ଅର୍ଥର ଦୂରପୋଯୋଗ କରିବା କାରଣରୁ ମନ୍ତ୍ରୀ ପଦରୁ ବିଦା ହେବେ କି? ଏହି ପ୍ରଶ୍ନ ଉଠାଇଛନ୍ତି ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଏବଂ ଓଡ଼ିଶାର ଜନସାଧାରଣ ଓ ବୁଦ୍ଧିଜୀବୀମାନେ। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ବିଜେପିର କର୍ମକର୍ତ୍ତା ନିରଞ୍ଜନ ବେହେରାଙ୍କ ସମେତ ଝିଙ୍କିରିଆ ପଞ୍ଚାୟତ ସମିତିସଭ୍ୟ ଓ ଅନ୍ୟ ପ୍ରବକ୍ତାଙ୍କ ସହ ଏକ ପଥପ୍ରାନ୍ତ ସଭା ଖଇରା ବ୍କକ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ ବିରୋଧରେ ଏକ ସାଙ୍ଘାତିକ ଅଭିଯୋଗ ଆସିଛି।
ହାଇଦ୍ରାବାଦକୁ ଯାଇ ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ରୋଡଶୋ’ ଆୟୋଜିତ ହୋଇଥିଲା, ସେଠାକୁ ମନ୍ତ୍ରୀ ପାଣିଗ୍ରାହୀ ୨ଜଣ ମହିଳାଙ୍କୁ ନେଇ ଯାଇଥିଲେ। ସେମାନେ ମା’-ଝିଅ ଅଟନ୍ତି। ପର୍ଯ୍ୟଟନ ମନ୍ତ୍ରୀଙ୍କର ଏହି ବାନ୍ଧବୀ ଏବଂ ତାଙ୍କ କନ୍ୟାଙ୍କୁ ନେଇ ବିଜୁ ଜନତା ଦଳ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ମୁଖ୍ୟମନ୍ତ୍ରୀ ଓଡିଶାରେ ପର୍ଯ୍ୟଟନ ବିକାଶ ପାଇଁ ନିଜ ଆଡୁ ପ୍ରଚାର ଆରମ୍ଭ କରିଛନ୍ତି। ଏହାକୁ ଗୁରୁତ୍ୱ ଦେଇଛନ୍ତି। କିନ୍ତୁ ତାଙ୍କ ପର୍ଯ୍ୟଟନ ମନ୍ତ୍ରୀଙ୍କର ବାନ୍ଧବୀ ପ୍ରୀତିକୁ ନେଇ ଯେଉଁ ଆଲୋଚନା ହେଉଛି, ତାହା ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରୁଛି।
ଏହାର ପ୍ରତିବାଦ କରି ବିଜେପି ପକ୍ଷରୁ ପଥପ୍ରାନ୍ତ ସଭା ପରେ ପର୍ଯ୍ୟଟନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା କହିଛନ୍ତି, ସରକାର ଯଦି ୧୫ଦିନ ମଧ୍ୟରେ କୌଣସି ପଦକ୍ଷେପ ନ ନିଅନ୍ତି, ତାହେଲେ ହଜାର ହଜାର ବିଜେପି କର୍ମୀ ଓ ସାଧାରଣ ଜନତାଙ୍କୁ ନେଇ ବ୍ଲକ୍ ଅଫିସ ଘେରାଉ ସହ ରାସ୍ତା ଅବରୋଧ କରାଯିବ।
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ