ଏପଟେ ହଜାର ହଜାର କୋଟିର ବେଦାନ୍ତ, ସେପଟେ ଥମୁନି ଲାଞ୍ଜିଗଡର ଦାଦନ ଦୁଃଖ


ତାମିଲନାଡୁରେ ଲାଞ୍ଜିଗଡର ଦାଦନ ଶ୍ରମିକ ମୃତ୍ୟୁ, ପରିବାର ପାଖରେ ଶବ ଆଣିବା ପାଇଁ ସମ୍ବଳ ନାହିଁ

ଲାଞ୍ଜିଗଡ଼,୧/୧୨ : କଳାହାଣ୍ଡି ଜିଲ୍ଲାର ଚିର ଅବହେଳିତ ଲାଞ୍ଜିଗଡ଼ ବ୍ଲକରେ ଥମୁନି ଦାଦନ ଦୁଃଖ । ଦାଦନ ସମସ୍ୟାର ନିରାକରଣ ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି । ଏପଟେ ହଜାର ହଜାର କୋଟି ଟଙ୍କାର ବେଦାନ୍ତ କମ୍ପାନୀ ଏହି ମାଟି ଉପରେ ଠିଆ ହୋଇଛି । କିନ୍ତୁ ସବୁ ଫସର ଫାଟି ଯାଉଛି । ସରକାର କିମ୍ବା ବେଦାନ୍ତ ଏହି ଅଞ୍ଚଳର ଦାଦନ ବୋଝ ବୋହିବାକୁ ଚାହୁଁ ନାହାନ୍ତି । ପେଟ ଚାଖଣ୍ଡେ ପାଇଁ ପରଦେଶି ହୋଇ ଯାଉଛି ନିରିହ ଦାଦନ ଶ୍ରମିକର ପ୍ରାଣ । ଅଭିଯୋଗ ଆସୁଛି ବେଦାନ୍ତ ଲାଞ୍ଜିଗଡ ମାଟି ଉପରେ ପ୍ରତିଷ୍ଠିତ ହୋଇଥିଲେ ହିଁ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତ କରୁନାହିଁ, ଏଠାରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତର ଶ୍ରମିକ ଆସି କାମ କରୁଛନ୍ତି । ସ୍ଥାନୀୟ ଶ୍ରମିକଙ୍କ ସଂଖ୍ୟା ନଗଣ୍ୟ । ସାମାଜିକ ପ୍ରତିବଦ୍ଧତାର ଡିଣ୍ଡିମ ପିଟୁଥିବା କମ୍ପାନୀର ଅସଳ ଚେହେରା ଏହି ଅଞ୍ଚଳର ଆଦିବାସୀ ଗିରିଜନଙ୍କ ଦାରିଦ୍ର୍ୟରୁ ବେସ ବାରିହୋଇପଡେ । ବେଦାନ୍ତ ପାଇଁ କଳାହାଣ୍ଡି – ରାୟଗଡାର ରାସ୍ତା ଘାଟ ବର୍ବାଦ ହେଇଗଲା, ମାଟି,ପାଣି,ପବନ,ପରିବେଷ ସବୁ ଦୂଃଷିତ ହୋଇଗଲା । ରାଜନେତା, ଜନପ୍ରତିନିଧି ଓ ଟାଉଟରଙ୍କ ଭାଗ୍ୟ ବଦଳିଗଲା କିନ୍ତୁ ସାଧାରଣ ଜନତାଙ୍କ କ’ଣ ଲାଭ ହେଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦାଦନ ସମସ୍ୟା ରୋକିବାରେ ରାଜ୍ୟ ସରକାରଙ୍କ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ବି କିଛି କାମକୁ ନୁହଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଲାଞ୍ଜିଗଡ ବ୍ଲକରେ ଦାଦନ ଶ୍ରମିକଙ୍କ ଅସୁମାରୀ ଦୁଃଖ, ଅସହ୍ୟ ଯନ୍ତ୍ରଣା ଯାହାକୁ ଦେଖିବାକୁ କେହି ନାହିଁ କି ବୁଝିବାକୁ କାହା ପାଖରେ ସମୟ ନାହିଁ । ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମରଣ ମୁହଁରେ ପଡୁଛି ଏହି ମାଟିର ଶ୍ରମିକ । ସେହି ହତଭାଗା ଶ୍ରମିକର ମର ଶରୀର ମଧ୍ୟ ଆସିପାରୁନି ଜନ୍ମଭୂମିକୁ । ଯେଉଁ ମାଟିରେ ବେଦାନ୍ତ ପରି ଆନ୍ତରାଷ୍ଟ୍ରିୟ କମ୍ପାନୀ ଠିଆ ହୋଇଛି, ଯେଉଠି ସରକାରଙ୍କ ଯୋଜନା ପରେ ଯୋଜନା ପ୍ରଣୟନ ହେଉଛି, ଏପରିକି ଲାଞ୍ଜିଗଡ ଏକ ଆଇଟିଡିଏ ବ୍ଲକ ସେଠାରେ ନିରିହ ଶ୍ରମିକର ଯାତନାର ଚିତ୍ର ସବୁ ବ୍ୟବସ୍ଥାକୁ ପରିହାସ କରୁଛି। ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଏହି ବ୍ଲକ ଅନ୍ତର୍ଗତ ବିଜେପୁର ଥାନା ବେନଗାଁ ପଞ୍ଚାୟତର ଘୋଡ଼ା ପୋଖରୀ ଗ୍ରାମର ମୁମଟି ଜାଲ (୪୦) ଦାଦନ ଖଟି ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଆଜିକି ୩ ମାସ ତଳେ ମୁମଟି କେରଳ ରାଜ୍ୟକୁ କାମ କରିବା ପାଇଁ ଯାଇଥିଲେ। ସେଠାରେ ସେ କିଛି ଦିନ କାମ କରିବା ପରେ ଆଜକୁ ୯ ଦିନ ହେଲା ସେଠାରୁ ଆସି ତାମିଲନାଡୁ ରାଜ୍ୟର ଇରୋଡ଼ ଜିଲ୍ଲା କିଆ ପାରମତି ଅଂଚଳରେ ଥିବା ଥିବା ଏକ ଇଟା କମ୍ପାନୀରେ କାମ କରୁଥିଲେ । ଗାଁ ପିଲା ଦେବନ୍ତ ହରିଜନ ସହିତ ଯୋଗାଯୋଗ କରି ଦେବନ୍ତ କାମ କରୁଥିବା ଟାଟା କମ୍ପାନୀ ମାଲିକ ତ୍ରିକା କାର୍ତ୍ତେକଙ୍କ ଇଟା ଫେକ୍ଟ୍ରିରେ କାମ କରୁଥିଲେ ମୁମୁଟି। ଦେବନ୍ତ କହିବା ଅନୁଯାୟୀ ଗତ ଗୁରୁବାର ଦିନ ମାଲିକ ଠାରୁ ପଇସା ପାଇଲା ପରେ ସନ୍ଧ୍ୟାରେ ନିକଟସ୍ଥ ମାର୍କେଟ ଯାଇ ରାତ୍ର ୯ ଟାରେ ଫେରିବା ସମୟରେ କାର ଗାଡି ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ମୁମଟିର ମୃତ୍ୟୁ ହୋଇଥିଲା। ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରେ କିଆ ପାରମତି ପୁରମ ଥାନା ପୁଲିସ ପହଞ୍ଚି ଥିଲେ। ସାଥି ଦେବନ୍ତ ଶୁକ୍ରବାର ସକାଳ ୧୦ ଟାରେ ଏହି ଖବର ପାଇ ଲାଞ୍ଜିଗଡ ବ୍ଲକ ଛତ୍ରପୁର ଗାଁରେ ରହୁଥିବା ତିରୁପତି ହରିଜନଙ୍କୁ ଫୋନ ଯୋଗେ କହିଥିଲେ। ବେନଗାଁରେ ଫୋନ ଯୋଗାଯୋଗେ ନଥିବାରୁ ଗାଁକୁ ଯାଇ ତିରୁପତ ମୁମଟିଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଶବ ତାମିଲନାଡୁ ଠାରୁ ଆଣିବା ପାଇଁ ପରିବାର ଲୋକଙ୍କ ପାଖରେ ସମ୍ବଳ ନଥିବାରୁ ଶନିବାର ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ସାକ୍ଷାତ କରି ସହଯୋଗ ଭିକ୍ଷା କରିଥିଲେ ପରିବାର ଲୋକେ। ଏନେଇ ଲାଞ୍ଜିଗଡ଼ ବିଡ଼ିଓ ଶ୍ରୀ ମିଶ୍ରଙ୍କୁ ପଚାରିବାରୁ ମୁଁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ଯିବା ପାଇଁ କହିଲି । ବ୍ଲକ ତରଫରୁ ବେନଗାଁ ପିଓଙ୍କୁ କହି ସରକାରଙ୍କ ଯାହା ସୁବିଧା ଅଛି ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।

ତେବେ ଏପରି ଦାଦନ ମୃତ୍ୟୁ ଏହି ଅଞ୍ଚଳରେ ନୂଆକଥା ନୁହଁ । ବେଦାନ୍ତ ପରି କମ୍ପାନୀ ଥିବାସତ୍ତ୍ବେ ମଧ୍ୟ ବର୍ଷ ବର୍ଷ ଧରି ଏମିତି ଲାଞ୍ଜିଗଡ ତଥା କଳାହାଣ୍ଡିରୁ ରାଜ୍ୟ ବାହାରକୁ ଦାଦନଙ୍କ ସୁଅ ଛୁଟିବାରେ ଲାଗିଛି, ଯାହାକୁ ପ୍ରତିହତ କରିବାରେ କାହାରି ଆନ୍ତରିକତା ନାହିଁ ବୋଲି ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

_________________________________________

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta