ଜଣେ ଦାଦନ ଶ୍ରମିକଙ୍କ ଅସରନ୍ତି ବେଦନାର କଥା


ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତାକୁ ଅପେକ୍ଷା

କଳାହାଣ୍ଡି,୩/୧୨ (ନବୀନ କିଶୋର ସାହୁ) : ଆଖିରେ ବଞ୍ଚି ରହିବାର ମୋହ, ଦେହରେ ବିଦଗ୍ଧ ଯନ୍ତ୍ରଣା, ମନରେ ଅସରନ୍ତି କୋହ । କହିବ କାହାକୁ ଶୁଣିବ ବା କିଏ ? ସାରା ପରିବାର ନିରୁପାୟ । ଧୀରେ ଧୀରେ ବଢ଼ିବାରେ ଲାଗିଛି ଘାତକ କର୍କଟ ରୋଗ । ଶୋଇ ହେଉନାହିଁ କି ବସି ବି ହେଉନାହିଁ । ପୂର୍ବରୁ ଦାଦନ ଖଟି ଯାହା କିଛି ସଞ୍ଚୟ କରିଥିଲେ ତାହା ଚିକିତ୍ସା ରେ ହେଲା ସ୍ୱାହା । ପୁନଃ ଅସ୍ତ୍ରପଚାର ପାଇଁ ଅର୍ଥ ବି ନାହିଁ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ତିନି ବର୍ଷ ହେଲା ଏମିତି ବଢିଚାଲିଛି ରୋଗ । ଅସହ୍ୟ ହେଉଛ ଦୁଃଖ ହେଲେ ପାଖରେ ଅର୍ଥ ନଥିବାରୁ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଧନେଶ୍ୱର ।

ଆମେ କହୁଛୁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଖାଲିଆପାଲି ଗାଁର ଧନେଶ୍ୱର ମହାନନ୍ଦଙ୍କ କଥା। ମନରେ ଅନେକ ସ୍ୱପ୍ନ ଦେଖି ସୁଦୂର ଗୁଜୁରାଟକୁ ଯାଇ ଦିନରାତି ଏକ କରି ଦାଦନ ଖଟି ପରିବାର ପ୍ରତିପୋଷଣ କରୁଥିଲେ ଧନେଶ୍ବର । ବେଶ ହସ ଖୁସିରେ କଟୁଥିଲେ ଦିନ । ହେଲେ ଦାଉ ସାଜିଲା ଦୁରାରୋଗ୍ୟ କର୍କଟ । ଏବେ ସେ ଏହି ଅସାଦ୍ଧ୍ୟ ରୋଗରେ ଆକ୍ରାନ୍ତ ହୋଇ ପଡିରହିଛନ୍ତି ।

ପରିବାର କହିଲେ ଦୁଇ କୁନି ଶିଶୁ ଏବଂ ସ୍ତ୍ରୀ । ବଡ ପୁଅ ଟୁନାକୁ ୧୦ ବର୍ଷ ଓ ଝିଅ ପୂଜା ୬ ବର୍ଷର । ଏ ଦୁହେଁ ମଧ୍ୟ ରକ୍ତଶିକୁଳି ରୋଗରେ ପୀଡିତ । ଆଉ ସ୍ତ୍ରୀ ଜଣେ ଦିବ୍ୟାଙ୍ଗ । ତେବେ ଧନେଶ୍ୱର ଦାଦନ ଖଟି ଯାହା ରୋଜଗାର କରୁଥିଲେ ସେଇଥିରେ ହି ପରିବାର ଚଲୁଥିଲା ।

ଗୁଜୁରାଟରେ ଦାଦନ ଖଟିବା ସମୟରେ ହି କର୍କଟ ରୋଗର ଲକ୍ଷଣ ଦେଖା ଦେଲା, ହେଲେ ଅର୍ଥ ଅଭାବ ଯୋଗୁଁ ଠିକ ସମୟରେ ଚିକିତ୍ସା ହାଇପାରିଲେ ନାହିଁ । କିଛି ଦିନ ଗଲାପରେ ଧନେଶ୍ୱର ଗାଁକୁ ଆସି ବିଷମକଟକ ଖ୍ରୀଷ୍ଟିଆନ ହସପିଟାଲରେ ନିଜ କର୍କଟ ରୋଗର ଅସ୍ତ୍ରପ୍ରଚାର କରାଇଥିଲେ । ସେଠାରେ ଡାକ୍ତର ତାଙ୍କ ମଳଦ୍ୱାରକୁ ସବୁଦିନ ପାଇଁ ବନ୍ଦ କରି ଅନ୍ୟ ରାସ୍ତା ଦେଇ ମଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିଥିଲେ ।

ଜୀବନରେ ଯାହା କିଛି ସଞ୍ଚୟ ଥିଲା ତାକୁ ନେଇ ଧନେଶ୍ୱରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତି କରିଥିଲେ ତାଙ୍କ ଧର୍ମପତ୍ନୀ । ହେଲେ ଅର୍ଥ ଅଭାବ ଯୋଗୁଁ ସେଠାରେ ମଧ୍ୟ ଚିକିତ୍ସା ହୋଇପାରିଲା ନାହିଁ । ଧନେଶ୍ବରଙ୍କ ପାଖରେ ନା ଅଛି ସ୍ୱାସ୍ଥ୍ୟବୀମା କାର୍ଡ, ନା ବିଜୁ କଲ୍ୟାଣ ଯୋଜନା, ନା ଖଣ୍ଡେ ପକ୍କାଘର । ଶେଷରେ ନିସହାୟ ହୋଇ ଭାଗ୍ୟକୁ ନିନ୍ଦି ପଡି ରହିଛନ୍ତି ଧନେଶ୍ୱର । ଏବେ ପରିବାର ପ୍ରତିପୋଷଣ କରିବା ପାଇଁ ପାଇଁ ଗାଁ,ମହାଟ, ଘର ଘର ଭିକ୍ଷା ବୃତ୍ତି କରୁଥିବା ବେଳେ ତାଙ୍କ ସ୍ତ୍ରୀ ଦାନରେ ପାଇଥିବା ଦରଜିରୁ କିଛି ଟଙ୍କା ପାଇଲେ ପରିବାର ପ୍ରତିପୋଷଣ ହୁଏ । ବର୍ତ୍ତମାନ କିନ୍ତୁ ସରକାରଙ୍କ ସହାୟତାକୁ ହି ଚାହିଁ ବସିଛନ୍ତି ଧନେଶ୍ୱର ଙ୍କ ପରିବାର ।

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta