ଚଇତି ଓ ପଲ୍ଳିଶ୍ରୀ ମେଳାର ପ୍ରଚାର ପ୍ରସାର ପାଇଁ ଗଡିଲା ଚଇତି ରଥ

କୈଳାସପୁରରେ କଳସ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଚଇତି ସମସ୍ତଙ୍କର – ଜିଲ୍ଳାପାଳ

ରାୟଗଡ,୧୧/୧୨ : ରାୟଗଡା ଜିଲ୍ଳାର ଲୋକ ମହୋତ୍ସବ ” ଚଇତିଓ ଓ ପଲ୍ଳୀଶ୍ରୀ ମେଳା-୨୦୧୯” କୁ ଆଉ ମାତ୍ର ୧୪ଦିନ ବାକି ରହିଛି । ସ୍ଥାନୀୟ ଜିସିଡି ହାଇସ୍କଲ ପଡିଆ ଠାରେ ଆସନ୍ତା ଡିସେମ୍ବର ୨୬ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଳାସ୍ତରୀୟ ଚଇତି ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁୁତିକୁ ଚୁଡାନ୍ତ ରୂପାୟନ ଦେବା ପାଇଁ ସମସ୍ତ କମିଟି ପକ୍ଷରୁ ନିଜ ନିଜ କାର୍ଯ୍ୟଗୁଡିକ ତ୍ୱରାନ୍ନିତ କରାଯାଉଛି । ତେଣୁ ଏହି ମହୋତ୍ସବକୁ ଜିଲ୍ଳାରେ ଏହାର ବହୁଳ ପ୍ରଚାର ପ୍ରସାର ନିମେନ୍ତ ମଙ୍ଗଳବାର ଦିନ ରାୟଗଡ ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିର ଠାରେ ଚଇତି ପ୍ରଚାର ପ୍ରସାର ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।


ଏଥିରେ ଜିଲ୍ଳାପାଳ ତଥା ଜିଲ୍ଳା ସଂସ୍କୃତି ପରିଷଦର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଁ ମଝିଘରିଆଣୀଙ୍କ ପୂଜାର୍ଚ୍ଚନା କରିବା ପରେ ଆଞାମାଳ ଆଣି ଚଇତି ରଥର ପୂଜାର୍ଚ୍ଚନା କରିବା ସହ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଳା ଲୋକ ମହୋତ୍ସବର ଉଦ୍ଦେଶ୍ୟ ତଥା ଜିଲ୍ଳାରେ ବସବାସ କରୁଥିବା ଆଦିବାସୀ ସଂପ୍ରଦାୟ ଡଙ୍ଗରିଆ କନ୍ଧ ଜନଜାତି ଓ ଲାଂଜିଆ ସଉରା ସଂପ୍ରଦାୟ ସମେତ ଅନ୍ୟାନ୍ୟ ସମସ୍ତ ବର୍ଗରେ ରହିଥିବା ଲୁକ୍କାୟିତ ପ୍ରତିଭାମାନଙ୍କୁ ଜିଲ୍ଳାସ୍ତରରୁ ନେଇ ଜାତୀୟସ୍ତର ତଥା ଅନ୍ତର୍ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିବା ତଥା କଳା, ସଂସ୍କୃତି, ପରମ୍ପରା, ଲୋକକଳା, ଲୋକଗୀତକୁ ଉଦଜୀବିତ କରି ରଖିବା ବେଳେ ଏହା ଜିଲ୍ଳାର ଗଣପର୍ବ ଭାବେ ପାଳନ ହେଉଥିବାରୁ ଏହି ମହୋତ୍ସବରେ ଜିଲ୍ଳାବାସୀ ବହୁମାତ୍ରାରେ ସାମିଲ ହେବା ପାଇଁ ନିବେଦନ କରି ଚଇତି ମହୋତ୍ସବ ପାଳନର ଏହା ହିଁ ମୂଳ ଉଦ୍ଦେଶ୍ୟ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।


ଚଇତିରେ ଜିଲ୍ଳାର ସମସ୍ତ ବ୍ଳକ, ପଂଚାୟତ ଠାରୁ ଆରମ୍ଭ କରି ରାଜ୍ୟର ଅନେକ ଜିଲ୍ଳା ଓ ରାଜ୍ୟବାହାରରୁ କଳାକାରମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଥିବା ବେଳେ ହସ୍ତକଳା, ଶିଳ୍ପକଳା, ବୟନଶିଳ୍ପ ସହ ସ୍ୱଂୟ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ନିର୍ମିତ ସାମଗ୍ରୀ ଇତ୍ୟାଦି ବିକ୍ରି ହେବା ସହ ଜିଲ୍ଳା ପ୍ରଶାସନର ସମସ୍ତ ବିଭାଗମାନେ ନିଜ ନିଜ ଯୋଜନାଗୁଡିକ ବିଷୟରେ ଷ୍ଟଲକୁ ଆସୁଥିବା ଲୋକଙ୍କୁ ସଚେତନ କରାଇଥାନ୍ତି ।

ଏହି ଚଇତି ରଥ ଜିଲ୍ଳାର ୧୧ଗୋଟି ବ୍ଳକରେ ମହୋତ୍ସବର ପ୍ରଚାର ପ୍ରସାର ନିମେନ୍ତ ପରିକ୍ରମା କରିବ । ସେହିପରି କୋଲନରା ବ୍ଳକ କୈଳାସପୁର ଗ୍ରାମରେ ଚଇତି ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ବ୍ଳକର ମହିଳା ସଦସ୍ୟାମାନେ କଳସ ଧରି ଗ୍ରାମରେ ଥିବା ପୁରାତନ ହନୁମାନ ମନ୍ଦିରକୁ ଯାଇଥିଲେ । ସେଠାରେ କଳସଗୁଡିକ ପୂଜାର୍ଚ୍ଚନା କରାଯାଇଥିବା ବେଳେ ସେଠାରେ ମଧ୍ୟ ଚଇତି ରଥକୁ ପୂଜାର୍ଚ୍ଚନା କରାଯାଇଥିଲା । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାସ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ., ରାୟଗଡ ସମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଟୁକୁ ବାରିକ, କୋଲନରା ବିଡିଓ ତାପସ କୁମାର ଭୋଇ, ଜିଲ୍ଳା ପରିଷଦ ସଭ୍ୟ ଆଶୁତୋଷ କିଲାକା, ବ୍ଳକ ଅଧ୍ୟକ୍ଷା ଗୀତା କଣ୍ଡାଗରୀ, ଉପାଧ୍ୟକ୍ଷ ତେଜରାଜ ନାଗ, ପୂର୍ବତନ ଜିଲ୍ଳା ପରିଷଦ ସଭାପତି ବିଜୟ ଗମାଙ୍ଗ , ଜିଲ୍ଳା ସାଂସ୍କୃତିକ ପରିଷଦର ସଂଯୋଜକ ଡ.ଦୁଷ୍ମନ୍ତ କୁମାର ମହାନ୍ତି, ଯୁଗ୍ମ ସଂଯୋଜିକା ଶ୍ରୀମତି ରିତା ମିଶ୍ର ପ୍ରମୁଖ ମଂଚାସୀନ ହୋଇ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ୬ଟି ଶିକ୍ଷାନୁ୍ଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ସହ ଢେମସା ନୃତ୍ୟ ଆଦି ପରିବେଷଣ କରାଯାଇଥିବା ବେଳେ ଶତାଧିକ ଗ୍ରାମବାସୀ ଏହାକୁ ଉପଭୋଗ କରିଥିଲେ । ଏହି ଅବସରରେ ଚଇତି ପ୍ରଚାର ପ୍ରସାର ନିମନ୍ତେ ପୋଷ୍ଟରକୁ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଳା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ପୈାରାହିତ୍ୟରେ ପରିଚାଳନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ, ଜଳଛାୟା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ମଲ୍ଳିକ, ଡିସିପିୟୁ ରମେଶ ଚନ୍ଦ୍ର ନାୟକ, ଖଦି ବୋର୍ଡ ସଦସ୍ୟ ପୃଥ୍ୱୀରାଜ ସାହୁ, ବି.ତିରୁପତିଙ୍କ ସମେତ ଅନ୍ୟ ଜିଲ୍ଳା ଅଧିକାରୀ ଓ ଚଇତି କମିଟିଗୁଡିକର ସମସ୍ତ ସଭ୍ୟସଭ୍ୟା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ମାଓ ପ୍ରବଣ କୈଳାସପୁରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏସଡିପିଓ ତପନ ନାରାୟଣ ରଥଙ୍କ ତତ୍ୱାବଧାନରେ ଚାନ୍ଦିଲି ଥାନା ଅଧିକାରୀ ଅଜିତ ସ୍ୱାଇଁଙ୍କ ନେତୃତ୍ୱରେ ଜିଲ୍ଳା ପୋଲିସର ୧ପ୍ଳାଟୁନ ଓ ସିଆରପିଏଫ ବାଟାଲିୟନ ୧ ପ୍ଳାଟୁନ ଓ ୫ଜଣ ପୋଲିସ ଅଧକାରୀଙ୍କୁ ମୁତୟନ କରାଯାଇଥିଲା ।

ରାୟଡାରୁ ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ୍ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.