କଳାହାଣ୍ଡିର ଡିଲେଶ୍ୱର ରଣାଙ୍କୁ ତପସ୍ୟା ସମ୍ଭାବନା ପୁରସ୍କାର

◆ପୁରସ୍କାର ରାଶି ₹୨୦,୦୦୦/-

◆ରାଜଧାନୀରେ ହେବେ ସମ୍ମାନିତ

ଭବାନୀପାଟଣା,୨୭/୧୨: ବର୍ଷ ୨୦୧୯ ପାଇଁ ସମ୍ମାନଜନକ ‘ତପସ୍ୟା ସମ୍ଭାବନା ପୁରସ୍କାର’ ପାଇବେ କଳାହାଣ୍ଡିର ଯୁବ ଗାଳ୍ପିକ ଡିଲେଶ୍ୱର ରଣା । ତପସ୍ୟା ଫାଉଣ୍ଡେସନ୍, ଭୁବନେଶ୍ୱର ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ବାବଦରେ ସେ ୨୦ ହଜାର ଟଙ୍କା ଅର୍ଥରାଶି ପାଇବେ । ଆସନ୍ତା ଜାନୁଆରୀ ୧୨ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ । ଏହି ଉତ୍ସବରେ ବିଶିଷ୍ଟ ସମାଜସେବୀ, ରମଣ ମାଗାସେସ ପୁରସ୍କାର ବିଜେତା ତଥା ‘ଗୁଞ୍ଜ’ର ପ୍ରତିଷ୍ଠାତା ଅଂଶୁ ଗୁପ୍ତା ଓ ‘ନେଟୱର୍କ୍ ୧୮’ର ଡିଜିଟାଲ୍ ସଂପାଦକ ନିଧେଷ ତ୍ୟାଗୀ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଥିବା ତିନି ପିଢ଼ିର ସାହିତ୍ୟିକଙ୍କୁ ଉତ୍ସାହିତ କରିବା ପାଇଁ ଗତବର୍ଷଠାରୁ ତପସ୍ୟା ଫାଉଣ୍ଡେସନ୍ ଦ୍ୱାରା ଏହି ପୁରସ୍କାର ପ୍ରବର୍ତ୍ତନ କରାଯାଇଛି । ଶ୍ରୀ ରଣାଙ୍କ ସହ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର’ ଏବଂ ବିଶିଷ୍ଟ ସିନେ ସାମ୍ବାଦିକ ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ ପ୍ରଦାନ କରାଯିବ । ଏନେଇ ଅନୁଷ୍ଠାନର ଅଧ୍ୟକ୍ଷ ଡ. ତପନ ପଣ୍ଡା ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଧଅଁରାମାଲ ଗ୍ରାମର ବ୍ରଜ ରଣା ଓ ବିଦୁସୂତା ରଣାଙ୍କ ପୁତ୍ର ଡିଲେଶ୍ୱର ଓଡ଼ିଆ ସାହିତ୍ୟର ଜଣେ ଉଦୀୟମାନ ଲେଖକ । ନିଜର ସ୍ୱତନ୍ତ୍ର ଶୈଳୀର ଗପ ପାଇଁ ଚର୍ଚ୍ଚିତ ଡିଲେଶ୍ୱର କବିତାରେ ଯେତିକି ସୂକ୍ଷ୍ମ, ଗପରେ ସେତେ ସଂଭ୍ରମ। ସମ୍ପ୍ରତି ସେ ଭବାନୀପାଟଣା ବ୍ଲକରେ ସରକାରୀ ଶିକ୍ଷକ ଭାବେ ଅବସ୍ଥାପିତ।

“ମୁଁ ଭୋଗୁଥିବା ସମୟର ବିଫଳତା ହିଁ ମତେ ଗପ ଓ କବିତା ଲେଖିବା ପାଇଁ ବାଧ୍ୟ କରେ” ବୋଲି ସେ କହନ୍ତି। ତାଙ୍କର ଗଳ୍ପ ଓ କବିତା ସମ୍ବାଦ, ସମାଜ, ପ୍ରମେୟ ପ୍ରଭୃତି ପତ୍ରପତ୍ରିକାରେ ପ୍ରକାଶ ପାଇ ଆଦୃତ ହୋଇଛି। ପ୍ରେମ ଓ ସଂଘର୍ଷ ତାଙ୍କ ଗପର ମୁଖ୍ୟ ସ୍ୱର।

ସେ ଅଦ୍ୟାବଧି କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପଉନ୍ମେଷ ପୁରସ୍କାର, ନବନୀତା ଶବ୍ଦ ସମ୍ମାନ, କବିତାରା, ୟୁଥ୍ ଉତ୍କଳ ଯୁବ ସମ୍ମାନ, ଉଦୟରାଗ ଯୁବ ପୁରସ୍କାର ପାଇସାରିଛନ୍ତି । ତାଙ୍କର ଏହି ସଫଳତାରେ କଳାହାଣ୍ଡି ଯୁବଲେଖକ ସମାବେଶ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡି ଥିଏଟର୍ ସମେତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଭବାନୀପାଟଣାରୁ ଦକ୍ଷ ସାହୁଙ୍କ ରିପୋର୍ଟ odiabarta.in


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.