ରାୟଗଡ ଜିଲ୍ଳାରେ ପୋଲିଓ ଦିବସ କାର୍ଯ୍ୟକ୍ରମ ପ୍ରସ୍ତୁତି

୧ ଲକ୍ଷ ୧୮ ହଜାର ୯୩୩ ଜଣ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ରାୟଗଡ,୧୭/୧ : ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଆସନ୍ତା ଜାନୁୟାରୀ ୧୯ତାରିଖ ରବିବାରରେ ପୋଲିଓ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶରେ ସାରା ରାଜ୍ୟରେ ଏହି ଦିବସକୁ ପାଳନ କରାଯିବ । ଏହି କ୍ରମରେ ରାୟଗଡ ଜିଲ୍ଳାରେ ୦-୫ ବର୍ଷ ମଧ୍ୟରେ ଥିବା ୧ଲକ୍ଷ ୧୮ ହଜାର ୯୩୩ ଜଣ ଶିଶୁଙ୍କୁ ପୋଲିଓ ଦୁଇ ବୁନ୍ଦା ତଥା ଟୀକାକରଣ କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପୋଲିଓ ଦିବସ ପାଳନ ନିମନ୍ତେ ଜିଲ୍ଳାରେ ଯେମିତି କୈାଣସି ହେଲେ ୦-୫ବର୍ଷ ମଧ୍ୟରେ ଥିବା ଶିଶୁ ପୋଲିଓ ଟୀକାକରଣରୁ ବଂଚିତ ନ ହେବେ ସେଥିପାଇଁ ଗୁରୁତ୍ୱ ଦେବା ପାଇଁଁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଳା ଟାସ୍କ ଫୋର୍ସର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରବିବାର ଦିନ ମା ମଝିଘରିଆଣୀ ମନ୍ଦିର ଓ ରେଳ ଷ୍ଟେସନ ପରିସରରେ ସ୍ୱତନ୍ତ୍ର ବୁଥ୍ ତିଆରି କରି ସେଠାକୁ ଆସୁଥିବା ଦର୍ଶନାର୍ଥୀମାନଙ୍କ ଓ ରେଳରେ ଯାତ୍ରା କରୁଥିବା ୫ବର୍ଷ ମଧ୍ୟରେ ଥିବା ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରବିବାର ଦିନ ସମସ୍ତ ସ୍କୁଲକୁ ଖୋଲା ରଖିବା ପାଇଁ ଜିଲ୍ଳା ଶିକ୍ଷାଧିକାରୀଙ୍କୁ ଓ ୫୫ଟି ଅତିରିକ୍ତ ଗାଡି ବ୍ୟବସ୍ଥା ନିମନ୍ତେ ଆରଟିଓ ଏବଂ ପୋଲିଓ ଟୀକାକୁ ବରଫରେ ରଖିବା ନିମନ୍ତେ ଆସନ୍ତା ୫ ଦିନ ବିଦ୍ୟୁତ ସେବା ବ୍ୟାହାତ ନ ହେବା ପ୍ରତି ଦୃଷ୍ଟି ଦେବାକୁ ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଳାରେ ଆସନ୍ତା ୧୯ତାରିଖ ଠାରୁ ୨୧ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ପଲସ୍ ପୋଲିଓ ଅଭିଯାନ କରାଯିବ । ୧୯ତାରିଖ ପ୍ରଥମ ଦିନରେ ସମସ୍ତ ବୁଥଗୁଡିକରେ ପୋଲିଓ ଟୀକାକରଣ କରାଯିବ ଏବଂ ୨୦ ଓ ୨୧ତାରିଖ ଦ୍ୱିତୀୟ ଓ ତୃତୀୟ ଦିନରେ ଘର ଘର ବୁଲି ପୋଲିଓ ଟୀକାକରଣ କରାଯିବା ପାଇଁ ସ୍ଥିର କରାଯାଇଛି । ଜିଲ୍ଳାରେ ୯୯୨ଟି ବୁଥ ପ୍ରସ୍ତୁତ କରାଯାଇଥିବା ବେଳେ ୨୪ଟି ଟ୍ରାନଜିଟ୍ ଟିମ ସହ ୧୩ଟି ଭ୍ରାମ୍ୟମାଣ ଟିମ ଗଠନ କରାଯାଇଛି । ୧୯୮୪ ଜଣଙ୍କୁ ଟୀକାକରଣ ପାଇଁ ଷ୍ଟାଫ ନିୟୋଜିତ କରାଯାଇଥିବା ବେଳେ ୧୧୪ ଜଣ ସୁପରଭାଇଜରଙ୍କୁ ବ୍ଳକଗୁଡିକର ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ରାୟଗଡ ଜିଲ୍ଳାରେ ପାଖାପାଖି ୧୦ଲକ୍ଷ ୪୩ହଜାର ୯୮୧ଜଣ ଜନସଂଖ୍ୟା ରହିଥିବା ବେଳେ ଏଥିରୁ ୧ଲକ୍ଷ ୧୮ହଜାର ୯୩୩ଜଣ ୫ବର୍ଷ ମଧ୍ୟରେ ଥିବା ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବାର ଚଳିତ ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗତବର୍ଷ ୧ଲକ୍ଷ ୧୬ହଜାର ୧୮ଜଣ ଶିଶୁଙ୍କୁ ଟୀକାକରଣ କରାଯାଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.