ସିଦ୍ଧ ରତ୍ନ କୁଟୀର ମହିମାଶ୍ରମ ଟୋଲବ୍ରାହ୍ମଣୀ ଠାରେ ୫୩ତମ ବିଶ୍ବ ଶାନ୍ତି ବ୍ରହ୍ମ ଯଜ୍ଞ ଓ ମହିମାମେଳା


ଭୁବନେଶ୍ବର,୯/୩ : ମହିମା ଧର୍ମର ପ୍ରତିଷ୍ଠାତା ପ୍ରବୁଦ୍ଧ ଗୁରୁ ମହିମା ସ୍ବାମୀଙ୍କ ପ୍ରଦର୍ଶିତ ପଥରେ ଚାଲିବା ସହ ସଂସାରରୁ ପାପ ଭାରାର ବିନାସ ଓ ବିଶ୍ବର ମଙ୍ଗଳ ବିଧାନ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଥାଏ । ସେହି ପରିପ୍ରେକ୍ଷିରେ ଟୋଲବ୍ରାହ୍ମଣୀ ଠାରେ ୫୩ତମ ବିଶ୍ଵ ଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ମେଳା ଆୟୋଜିତ ହୋଇଥିଲା ।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଟୋଲବ୍ରାହ୍ମଣୀ ସ୍ଥିତ ସିଦ୍ଧ ରତ୍ନ କୁଟୀର ମହିମାଶ୍ରମ ଠାରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ମେଳା ସୋମବାର ପୂର୍ଣ୍ଣାହୁତି ସହ ସମାପନ ହେବ । ଏହି ଉପଳକ୍ଷେ କଳସ ଯାତ୍ରା, ବ୍ରହ୍ମ ଯଜ୍ଞ, ବ୍ରହ୍ମ ନାମ, ପ୍ରବଚନ ଆଦି ପଞ୍ଚ ଯଜ୍ଞ ଆୟୋଜିତ ହୋଇଛି ।

ବ୍ରାହ୍ମ ଅବଧୂତ ଭଗବାନ ବାବାଙ୍କ ଦ୍ବାରା ଅଖଣ୍ଡ ଦୀପ, ବ୍ରହ୍ମ ଧୁନୀ ପ୍ରଜ୍ବଳିତ ହୋଇ ଯଜ୍ଞ ଆରମ୍ଭ ହୋଇଥିଲା । ଏଥିରେ ବ୍ରାହ୍ମାବଧୂତ ଭଗବାନ ବାବା, ବ୍ରାହ୍ମାବଧୁତ କପିଳେନ୍ଦ୍ର ବାବା, ସାଧୁ କିଶୋର ଚନ୍ଦ୍ର ଦାସ, ସାଧୁ ମଧୁସୁଦନ ଦାସ, ସାଧୁ ବିଦୁର ଦାସ, ସାଧୁ ମଦନ ଦାସ, ସାଧୁ ଧର୍ମାନନ୍ଦ ଦାସ ପ୍ରମୂଖ ବହୁ ସାଧୁ ଯାଜ୍ଞିକ ଥିବାବେଳେ ବୈଦ୍ୟରାଜ ପବିତ୍ର ଶବର, ପଦ୍ମା ଶବର, ପୁଷ୍ପା ଶବର ଯଜ୍ଞ କର୍ତ୍ତା ଦାଇତ୍ବ ନିର୍ବାହ କରିଥିଲେ ।

ଗବେଷକ ପଣ୍ଡିତ ହେମରାଜ ଶାସ୍ତ୍ରୀ, ପ୍ରବଚକ ଭକ୍ତ ସୁଧାକର ସାହୁ ଓ ବହୁ ସାଧୁ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଟୋଲବ୍ରାହ୍ମଣୀ ଗ୍ରାମବାସୀ ଓ ଅଞ୍ଚଳବାସୀ ଏଥିରେ ସହଯୋଗ କରୁଛନ୍ତି । ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ଗ୍ରାମରୁ ଆସିଥିବା ମହିଳା ସଂକୀର୍ତ୍ତନ ଦଳଙ୍କ ଦ୍ବାରା ବ୍ରହ୍ମନାମ ପରିବେଷଣ କରାଯାଇଥିଲା । ଯଜ୍ଞ ଓ ମେଳା ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା ।

ଏଠାରେ ସୂଚନା ଯୋଗ୍ୟଯେ ଶହେ ବର୍ଷ ପୂର୍ବରୁ ୬୪ସିଦ୍ଧ ସାନ କୃପାସିନ୍ଧୁ ବାବା ଏଅଞ୍ଚଳକୁ ଆସି ମହିମା ଧର୍ମ ପ୍ରଚାର କଲେ । ସେ ଟୋଲବ୍ରାହ୍ମଣୀ ଗ୍ରମର ଲଲିତ ଶବର (ବୈଦ୍ୟରାଜ ପବିତ୍ର ଶବର)ଙ୍କୁ ଦିକ୍ଷା ପ୍ରଦାନ କରିଥିଲେ । ମହିମା ଗୋସାଇଁଙ୍କ ଦ୍ବାରା ପ୍ରତିଷ୍ଠିତ ମହିମା ଧର୍ମ ପଶ୍ଚିମ ଓଡିଶାରେ ବେଷ ଆଦୃତି ଲାଭ କଲା । କୋଶଳାଞ୍ଚଳର ବିଭିନ୍ନ ସ୍ଥାନରେ ବ୍ରହ୍ମ ଧୁନୀ ସ୍ଥାପନ ହେଲା । ସେହି କ୍ରମରେ ଟୋଲବ୍ରାହ୍ମଣୀ ଗ୍ରାମରେ ମଧ୍ୟ ବ୍ରହ୍ମ ଧୁନୀ ପ୍ରତିଷ୍ଠା ହୋଇଥିଲା ।

ବୈଦ୍ୟରାଜ ପବିତ୍ର ଶବରଙ୍କ ଉଦ୍ୟମରେ ସେହି ସ୍ଥାନରେ ସିଦ୍ଧ ରତ୍ନ କୁଟିର ମହିମାଶ୍ରମ ପ୍ରତିଷ୍ଠିତ ହୋଇ ମହିମା ଧର୍ମର ବ୍ୟାପକ ପ୍ରଚାର ପ୍ରସାର ହେଉଛି । ପ୍ରତିବର୍ଷ ଫାଲଗୁନ ପୂର୍ଣିମା ସମୟରେ ଏଠାରେ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ମେଳା ଆୟୋଜିତ ହୋଇ ଆସୁଛି । ଏହି ବିଶାଳ କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳର ଅନେକ ସିଦ୍ଧ ବାବା, ସାଧୁ ଓ ମହିମାଧର୍ମାବଳମ୍ବୀଙ୍କ ସମାଗମ ହୋଇଥାଏ ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ)

_________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ