ପ୍ରଥମ ଥର ଲାଗି ବୁଢାଦରିଙ୍ଗ ଗାଁରେ ପହଂଚିଲେ ମହିଳା ବିଡ଼ିଓ

ବ୍ଳକ କାର୍ଯ୍ୟାଳୟରୁ ୬୦କିମି, ପଂଚାୟତରୁ ୨୨ କିମି ଦୂରରେ ରହିଛି ବୁଢାଦରିଙ୍ଗ ଗାଁ

କଳାହାଣ୍ଡି,୧୫/୩ : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକରେ ଆଜି ବି ଏଭଳି ଇଲାକା ରହିଛି ଯୋଉଠିକି ଥରୁଟିଏ ବି ପାଦ ପକାଇନି ବ୍ଲକ ପ୍ରଶାସନ । ବଣପାହାଡ଼ଘେରା ଏହି ଗାଁର ମଣିଷମାନେ ସତେଯେମିତି ଆଜିବି ଆଦିମ ଜୀବନଯାପନ କରୁଚନ୍ତି । ସ୍ୱାଧୀନତା କଣ ସେମାନେ ଜାଣନ୍ତି ନାହିଁ କି ବିକାଶ କହିଲେ କଣ ବୁଝନ୍ତି ନାହିଁ । ବଣମୁଲକରେ ନିଜ ନିଜ ଭିତରେ ଦିନକୁ ହସିଖେଳି କାଟିଦିଅନ୍ତି । ଜଙ୍ଗଲୀ ମଣିଷ ପାଲଟି ଯାନ୍ତି । ଭଲପ୍ୟାଣ୍ଟ ସାର୍ଟ ପିନ୍ଧା ବାବୁ ଜଣଙ୍କୁ ଦେଖିଲେ ବଲ ବଲ କରି ଚାହିଁ ରହିଥାନ୍ତି କିଏ ଆସିଲା ବୋଲି । ଅଭିଯୋଗ ନଥାଏ କି ଆପତ୍ତି ବି । ଯେମିତି ଅଛୁ ଭଲରେ ଅଛୁ ବୋଲି ବି ପ୍ରତିକ୍ରିୟା ରଖନ୍ତି ।

ସେମିତି ଏକ ଗାଁ ହେଉଛି ଉର୍ଲଦାନୀ ପଂଚାୟତର ବୁଢାଦରିଙ୍ଗ ଗାଁ । ଯୋଉ ଗାଁକୁ ଯିବାକୁ ହେଲେ ପଂଚାୟତରୁ ୨୨ କିଲୋମିଟର ବଣପାହଡ଼ ଦେଇ ଅତିକ୍ରମ କରିବାକୁ ହୁଏ । ଏହି ଗାଁ ଲୋକଙ୍କୁ ବ୍ଲକ କାର୍ଯ୍ୟାଳୟର ଦୂରତା ହେଉଛି ପ୍ରାୟ ୬୦କିଲୋମିଟର । ତେବେ ଏମାନେ କେବେ କେମିତି ପଂଚାୟତ ର ମୁହଁ ଦେଖନ୍ତି ସିନା, ବ୍ଲକ ଏମାନଙ୍କୁ ସାତସପନ । ତେବେ ଏହି ଗାଁକୁ ଉର୍ଲଦାନୀରୁ ରାସ୍ତା ନଥିବାବେଳେ କନ୍ଧମାଳ ଦେଇ ଦୁଇଚକିଆ ଯାନ ଯୋଗେ ବହୁ କଷ୍ଟରେ ଯାଇହୁଏ । ଏହି ଗାଁକୁ ପ୍ରଥମ ଥର ପାଇଁ ବିିଡ଼ିଓ ରୁମାନା ଜାଫ୍ରି ଗାଁର ସ୍ଥିତି ପରିଦର୍ଶନରେ ଯାଇଥିବାବେଳେ ଉକ୍ତ ଗ୍ରାମବାସୀଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା ଏବଂ ସଭାସ୍ଥଳକୁ ପାଛୋଟଇ ନିଆଯାଇଥିଲା ।

ଯୋଉଠି ଗ୍ରାମବାସୀମାନେ ନିଜ ନିଜ ସମସ୍ୟା ସଂପର୍କରେ ଉପସ୍ଥାପନ କରିଥିବାବେଳେ ପ୍ରଥମେ ଏହି ଗାଁକୁ ରାସ୍ତାଟିଏ ପଂଚାୟତ କାର୍ଯ୍ୟାଳୟ ଉର୍ଲଦାନୀକୁ ସଂଯୋଗ କରିବାକୁ ଦାବୀ କରିଥିଲେ । ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ ସହିତ ପିଇବା ପାଣି ର ବି ରହିିଛି ଘୋର ସମସ୍ୟା । ଏହି ପରିଦର୍ଶନ ବେଳେ ବିଡ଼ିଓଙ୍କ ସହିତ ଉର୍ଲଦାନୀ ସରପଂଚ ଗନ୍ଧର୍ବ ପୁଝାରୀ, ପଂଚାୟତ ନିର୍ବାହୀ ଅଧିକାରୀ ମୁକେଶ ପୁଟେଲଙ୍କ ସମେତ ଅନ୍ୟ ପଂଚାୟତ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରଥମ ଥର ପାଇଁ ବ୍ଲକ ପ୍ରଶାସନ ଏହି ଗାଁରେ ପହଂଚିବା ପରେ ସରଳ ଆଦିବାସୀଙ୍କ ମନରେ ଦେଖାଯାଇଥିଲା ବିକାଶର ନୂତନ ସମ୍ଭାବନା । କେବଳ ବିକାଶର ସୂର୍ଯ୍ୟୋଦୟର ଅପେକ୍ଷାରେ ଏହି ବଣମୂଲକର ନୀରୀହ ସରଳ ଆଦିବାସୀମାନେ ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in
__________________________________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.