ସାରା ଦେଶରେ ଲକ୍ ଡାଉନ୍


ନୂଆଦିଲ୍ଲୀ,୨୪/୩: ଆଜି ରାତି ୧୨ଟାରୁ ସାରା ଦେଶରେ ଲକ୍ ଡାଉନ୍ ଲାଗୁ ହେବ। ଏହା ଆଗାମୀ ୨୧ ଦିନ ଯାଏଁ ବଳବତ୍ତର ରହିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଦେଶ ଉପରକୁ ସଙ୍କଟ ପରିସ୍ଥିତି ଆସେ ସେତେବେଳେ ଭାରତୀୟମାନେ ସେମାନଙ୍କ ଏକତା ପ୍ରଦର୍ଶନ କରିଥାନ୍ତି। ମୋଦୀ ଦେଶବାସୀଙ୍କୁ ଅବଗତ କରାଇବାକୁ କହିଛନ୍ତି ଯେ ଯଦିଓ ସମସ୍ତେ କରୋନା ଭୁତାଣୁ ସଂକ୍ରମଣ ବିଷୟରେ ଗଣମାଧ୍ୟମରୁ ଜାଣିବାକୁ ପାଉଛନ୍ତି ଏବଂ ଏ କଥା ମଧ୍ୟ ଜାଣୁଛନ୍ତି ଯେ ଏହି ସଂକ୍ରମଣ ଅନେକ ସମର୍ଥ ଦେଶକୁ ଏବେ ବିବଶ କରିଦେଇଛି।

ମୋଦୀ କହିଛନ୍ତି ଯେ, ପ୍ରାୟ ମାସେ ଧରି ମିଳିଥିବା ତଥ୍ୟରୁ ଜଣାପଡିଛି ଓ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ଭୁତାଣୁ ସଂକ୍ରମଣର ମୁକାବିଲା ପାଇଁ କୌଣସି ଔଷଧ ନାହିଁ, ଏଥିରୁ ରକ୍ଷା ପାଇବାକୁ ହେଲେ ଆମକୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପଡିବ। କରୋନା ସଂକ୍ରମଣକୁ ରୋକିବାକୁ ହେଲେ ଏହାର ଶୃଙ୍ଖଳାକୁ ଭାଙ୍ଗିବାକୁ ପଡିବ। କିଛି ଲୋକ ଭାବନ୍ତି ଯେ ସାମାଜିକ ଦୂରତ୍ୱ କେବଳ ରୋଗ ଗ୍ରସ୍ତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ କିନ୍ତୁ ଏହା ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ପରିବାର, ପରିବାରର ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ। ଏହା ପାଳନ ନ କଲେ ଆମ ଦେଶକୁ ବହୁତ ବଡ କ୍ଷତି ସହିବାକୁ ପଡିପାରେ ବୋଲି ମୋଦୀ କହିଛନ୍ତି।

ସେ ଏକଥା ମଧ୍ୟ କହିଛନ୍ତି ଯେ, ଦେଶକୁ ସୁରକ୍ଷିତ ରଖିବା ପାଇଁ ଆଜି ରାତି ୧୨ରୁ ଘରୁ ବାହାରକୁ ବାହାରିବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଗଲା। ଗତ ୨ ଦିନ ହେବ ଦେଶର ଅନେକ ଭାଗରେ ଲକ୍ ଡାଉନ୍ କରାଯାଇଛି। ରାଜ୍ୟ ସରକାର ଏହି ଲକ୍ ଡାଉନ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଯେପରି ପାଳନ ହୁଏ, ସେନେଇ ପଦକ୍ଷେପ ନେବାକୁ ସେ କହିଛନ୍ତି।

_____________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta