କଳାହାଣ୍ଡିରେ ରାଜ୍ୟପାଳ
କଳାହାଣ୍ଡି,୨୭/୧୨:
ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ପହଞ୍ଚିଛନ୍ତି । ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା-ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦଘାଟନୀ ସମାରୋହରେ ମହାମହିମ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସମୂଦାୟକୁ ସମ୍ବୋଧିତ କରିଥିଲେ ।
ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସ୍ବାଭିମାନ ଜାଗ୍ରତ କରାଇବା ଉପରେ ଗୁରୁତ୍ବାରୋପ କରିଥିଲେ । ଦୃଢ ଆତ୍ମବିଶ୍ବାସ ରହିଲେ ଆମେ ଅସାଦ୍ଧ୍ୟ ସାଧନ କରିପାରିବା । ମୁଁ କିଏ ଏହା ଜଣେ ଯେତେବେଳେ ଜାଣିପାରିବ ସେତେବେଳେ ସେ ସାରା ସଂସାରକୁ ଜିତି ପାରିବ । ତେଣୁ ଛାତ୍ରଛାତ୍ରୀ ମାନେ ପ୍ରଥମେ ଜାଣିବା ନିତ୍ୟାନ୍ତ ଜରୁରୀକି ମୁଁ ଇଶ୍ବରଙ୍କ ଅଂଶ । ମୁଁ କିଏ ଏହା ଜାଣିବା ପରେ ଆନନ୍ଦର କୌଣସି ସୀମା ରହିନଥାଏ । ଏହି ଅବସରରେ ମହାମହିମ ରାଜ୍ୟପାଳ ଉପସ୍ଥିତ ଶିଶୁ ମାନଙ୍କ ଉଦ୍ଦେଶ୍ୟରେ କେତେକ ପ୍ରଶ୍ନ ପଚାରିଥିଲେ ମୁସ୍କୁଟି ଗ୍ରାମର ଦୀଲିପ ନାଏକଙ୍କ ପୁଅ ଷଷ୍ଠ ଶ୍ରେଣୀ ଛାତ୍ର ତରୁଣ ନାଏକ ରାଜ୍ୟପାଳଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରି ପାଞ୍ଚ ହଜାର ଟଙ୍କା ପୁରସ୍କାର ସ୍ବରୂପ ପାଇଥିଲେ ।
ପୂରାତନ ଛାତ୍ର ସଂସଦ ଦ୍ବାରା ଆୟୋଜିତ ଏହି ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, କଳାହାଣ୍ଡି ଜିଲ୍ଲାପାଳ, କଳାହାଣ୍ଡି ଆରକ୍ଷ ଅଧିକ୍ଷକ, ନର୍ଲା ବିଡିଓ ପ୍ରମୂଖ ଉପସ୍ଥିତ ଥିଲେ । ଏହାପରେ ରାଜ୍ୟପାଳ ମ ରାମପୁର ଅଭିମୂଖେ ବାହାରିଥିଲେ ।
ମ ରାମପୁର ମଟୋଗଣ୍ଡା ବିବେକାନନ୍ଦ ବିଦ୍ୟାପୀଠ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ସହ ରାମକୃଷ୍ଣ ଆଶ୍ରମର ବୃଦ୍ଧାଶ୍ରମ ପରିଦର୍ଶନ, ଭବାନୀପାଟଣା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପଦାଧିକାରୀଙ୍କ ସହ ଆଲୋଚନା ଓ ପରେପରେ ମାଣିକେଶ୍ବରୀ ହାଇସ୍କୁଲର ସୂବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବା ସହ ବେହେରାଗୁଡା ଏସଟିଆଇ ଆରସେଟି ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗଉଡଙ୍କ ରିପୋର୍ଟ odiabarta.in