ପାଗ ପରିବର୍ତ୍ତନ : ବିଶ୍ୱ ପାଇଁ ବିପଦ

ମାଟି ଶୋଷୁଛି ଅଧିକ ଜଳ

ପାଗ ପରିବର୍ତ୍ତନ ଯୋଗୁଁ ଶୁଷ୍କ ସ୍ଥଳଭାଗ ଅଧିକ ମାତ୍ରାରେ ଜଳ ଶୋଷଣ କରୁଛି । ଏଥିଯୋଗୁଁ ସମୁଦ୍ରର ଜଳ ପନ ବୃଦ୍ଧି ପ୍ରକ୍ରିୟା ଧିମେଇ ଯାଇଛି । ଆମେରିକାର ନାସା ତରଫରୁ ହୋଇଥିବା ଏକ ସଦ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ଗବେଷଣା ଅନୁସାରେ ପାଗ ପରିବର୍ତ୍ତନ ଓ ବିଶ୍ବ ତାପନ ଯୋଗୁଁ ବରଫ ପାହାଡ଼ ତରଳିବା ଥମି ନାହିଁ । ବରଂ ଗତ ଦଶନ୍ଧିରେ ଅଧିକ ତୁଷାର ସ୍ତର ତରଳିଛି । ତେବେ ବିଶ୍ବ ତାପନ ଓ ପାଗ ପରିବର୍ତ୍ତନ ପ୍ରକ୍ରିୟାରେ ପୃଥିବୀର ମହାଦେଶୀୟ ସ୍ଥଳଭାଗ ଏହି ସମୟ ମଧ୍ୟରେ ଅଧିକ ଜଳ ଶୋଷଣ କରିଛି । ଆକଳନ ଅନୁସାରେ ଏହି ସମୟ ମଧ୍ୟରେ ସ୍ଥଳଭାଗ ଅଧିକ ୩.୨ ଲକ୍ଷ କୋଟି ଟନ ଜଳ ଶୋଷି ନେଇଛି । ଏସବୁ ଜଳ ମୃତ୍ତିକା, ଭୂତଳ ଜଳସ୍ତର ଏବଂ ହ୍ରଦ ଆଦିରେ ସଂରକ୍ଷିତ ରହିଛି । ଏଥିଯୋଗୁଁ ସମୁଦ୍ର ଜଳ ପତ୍ତନ ଉଚ୍ଚତା ବୃଦ୍ଧି ପ୍ରାୟ ୨୦ ପ୍ରତିଶତ ଧିମେଇ ଯାଇଛି ।

ନାସା ଉପଗ୍ରହ ପଠାଇଥିବା ତଥ୍ୟକୁ ଅନୁଶୀଳନ କରି ବୈଜ୍ଞାନିକମାନେ ଜଳବାୟୁ ଜନିତ ତରଳ ଜଳର ସଂରକ୍ଷଣ ଓ ପରିମାଣ ଆକଳନ କରିବା ସହିତ ସମୁଦ୍ର ଜଳ ସ୍ତର ଉପରେ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରିଛନ୍ତି । ବୈଜ୍ଞାନିକଙ୍କ ମତ ଅନୁସାରେ ଏହି ପ୍ରକ୍ରିୟାରେ ସ୍ଥଳଭାଗରେ ଯେତେ ଜଳ ଠୁଳ ହୋଇଛି ତାହାକୁ ଏକାଠି କଲେ ତାହା ହୁରୋନ ହ୍ରଦର ଜଳ ସହିତ ସମାନ ହେବ । ହୁରୋନ ହେଉଛି ପୃଥିବୀର ସପ୍ତମ ବୃହତ୍ତମ ହ୍ରଦ । ସମସ୍ତେ ଜାଣନ୍ତି ଯେ ପ୍ରତି ବର୍ଷ ସମୁଦ୍ରର ବିପୁଳ ପରିମାଣର ଜଳ ବାଷ୍ଫୀକରଣ ପ୍ରକ୍ରିୟାରେ ବାୟୁମଣ୍ଡଳର ଉପର ସ୍ତରକୁ ଉଠେ । ପରେ ତାହା ବର୍ଷା ଓ ତୁଷାର ହୋଇ ଝରିପଡ଼େ । ଏହି ବର୍ଷା ଓ ତୁଷାରରୁ କିଛି କିଛି ସ୍ଥଳଭାଗରେ ପଡ଼ି ମାଟିରେ ଭେଦି ଯାଏ ଓ ନଈ ନାଳ ଦେଇ ପୁଣି ସମୁଦ୍ରକୁ ଫେରିଯାଏ । କିନ୍ତୁ ବିଶ୍ବ ତାପନ ଓ ପାଗ ପରିବର୍ତ୍ତନ ଯୋଗୁଁ ଏହି ପ୍ରକ୍ରିୟାରେ କିଛିଟା ପରିବର୍ତ୍ତନ ଘଟିଛି । ମଣିଷମାନେ ଚାଷ ଓ ନିଜ ପାଇଁ ଅଧିକ ପରିମାଣରେ ଭୂତଳ ଜଳ ବ୍ୟବହାର କରିବା ଫଳରେ ମୃତ୍ତିକାର ଜଳୀୟ ଅଂଶ କମି ଯାଇଛି । ଏହି ଜଳର କିଛି ଅଂଶ ପୁଣି ସମୁଦ୍ରକୁ ଫେରିଯାଇଛି । ଏହା ଫଳରେ ଭୂତଳ ଭଣ୍ଡାର ଖାଲି ହୋଇଛି ଓ ମୃତ୍ତିକା ଶୁଷ୍କ ହୋଇଛି ।

ତେବେ ଏହି ପରିବର୍ତ୍ତନ ସମୟରେ ଜଳଚକ୍ରରେ ମଧ୍ୟ ପ୍ରାକୃତିକ ଭାବେ ପରିବର୍ତ୍ତନ ଘଟିଛି । ବର୍ଷା ଓ ବରଫ ଆକାରରେ ପଡ଼ୁଥିବା ଜଳକୁ ମୃତ୍ତିକା ଅଧିକ ମାତ୍ରାରେ ଶୋଷଣ କରିଛି ଓ ତାହାକୁ ଭୂତଳ ଜଳଭଣ୍ଡାରର ଶୂନ୍ୟସ୍ଥାନ ପୂରଣ କରିବାରେ ବିନିଯୋଗ କରିଛି । ସେହିପରି ଆଉ କିଛି ଜଳ ଶୁଷ୍କ ମାଟି ଶୋଷି ନେଇଛି । ଜଳସେଚନ ଓ ପାନୀୟ ପାଇଁ ବ୍ୟବହୃତ ହେଉଥିବା ଭୂତଳ ଜଳ ସମୁଦ୍ରକୁ ନିଗିଡ଼ିଯିବା ପ୍ରକ୍ରିୟା ଅବ୍ୟାହତ ରହିଛି । କିନ୍ତୁ ଭୂତଳ ଜଳ ଭଣ୍ଡାରର ଖାଲିସ୍ଥାନ ପୂରଣ ପ୍ରକ୍ରିୟା ଏହି ପ୍ରକ୍ରିୟାକୁ ପ୍ରଭାବିତ କରିବା ଫଳରେ ତୁଷାର ତରଳ ପ୍ରକ୍ରିୟାରେ ସମୁଦ୍ର ଜଳପନ ଯେଉଁ ବେଗରେ ବୃଦ୍ଧି ପାଇବା କଥା ପାଇନାହିଁ, ଧିମେଇ ଯାଇଛି । ଏହି ପରିବର୍ତ୍ତନ ପ୍ରକ୍ରିୟାରେ ଆର୍ଦ୍ରଭୂମି ଅଧିକ ଆର୍ଦ୍ର ହୋଇଛି ଓ ଶୁଷ୍କାଂଚଳ ଅଧିକ ଶୁଷ୍କ ହୋଇଛି ।

 

ଧ୍ୱଂସ ମୁଖରେ ପ୍ରବାଳ ପ୍ରାଚୀର

ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ରାଜ୍ୟର ଏକ ଧୂଳିଧୂସରିତ ଅଞ୍ଚଳରେ ପୃଥିବୀର ଭବିଷ୍ୟତ ନେଇ ଚିନ୍ତା ଚଳେଇଛନ୍ତି ଜଣେ ୭୩ ବର୍ଷ ବୟସ୍କ ବୈଜ୍ଞାନିକ । ତାଙ୍କ ନାଁ ହେଉଛି ଜନ୍ ଭେରୋନ । ତାଙ୍କୁ ଚାର୍ଲି ବୋଲି ବି ଡକାଯାଏ । ବିଜ୍ଞାନ ଜଗତରେ ତାଙ୍କର ନାମ ହେଉଛି ‘ଦ ଗଡ଼୍ଫାଦର ଅଫ୍ କୋରାଲ’ ବା ‘ପ୍ରବାଳର ଧର୍ମବାପା’ ।

ସେ କୁହନ୍ତି, ‘ଆମ ଗ୍ରହର ବିପର୍ଯ୍ୟୟ ଆରମ୍ଭ ହୋଇସାରିଛି । ମୁଁ ଏହା କହିବାକୁ ଅନେକ ଡେରି କରିଦେଇଛି ।’ ପୃଥିବୀର ପ୍ରାୟ ଏକ ଚତୁର୍ଥାଂଶ ପ୍ରବାଳ ପ୍ରଜାତି ଆବିଷ୍କାର କରିଥିବା ଏହି ବୈଜ୍ଞାନିକ ଗତ ୪୫ ବର୍ଷ ଧରି ସମୁଦ୍ରରେ ବୁଡ଼ି ଅଷ୍ଟ୍ରେଲିଆର ଗ୍ରେଟ୍ ବାରିଅର୍ ରିଫ୍ ବା ବିଶାଳ ପ୍ରବାଳ ପ୍ରାଚୀରକୁ ତନ୍ନତନ୍ନ କରି ଦେଖିଛନ୍ତି । ୨୦୧୬ ଓ ୨୦୧୭ ମସିହାରେ ବିଶ୍ୱ ତାପନ ଜନିତ ପାଗ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିଲା ସାମୁଦ୍ରିକ ତାପ ପ୍ରବାହ । ଏହି ତାପ ପ୍ରବାହ ଯୋଗୁଁ ସାଗର ତଳେ ଥିବା ଅନେକ ଜୀବଜନ୍ତୁ ଓ ଉଦ୍ଭିଦଙ୍କର ମୃତ୍ୟୁ ହୋଇଯାଇଥିଲା । ସେହି ସମୟରେ ଗ୍ରେଟ୍ ବାରିଅର୍ ରିଫ ବା ବିଶାଳ ପ୍ରବାଳ ପ୍ରାଚୀରର ପ୍ରାୟ ଅର୍ଦ୍ଧେକ ପ୍ରବାଳଙ୍କର ମୃତ୍ୟୁ ହୋଇଥିଲା । ବିଶ୍ୱର ଅନ୍ୟ ପ୍ରାନ୍ତରେ ମଧ୍ୟ ବହୁସଂଖ୍ୟକ ପ୍ରବାଳ ଲୋପ ପାଇଥିଲେ ।

ଭେରୋନ୍ କୁହନ୍ତି, ‘ସାମୁଦ୍ରିକ ପ୍ରଜାତି ସମୂହର ତିନିରୁ ଚାରି ଭାଗଙ୍କ ଜୀବନ ଚକ୍ରର ଏକ ଅଂଶ ପ୍ରବାଳ ପ୍ରାଚୀର ସହିତ ଜଡ଼ିତ । ତେଣୁ ପ୍ରବାଳ ପ୍ରାଚୀର ଲୋପ ପାଇବାର ଅର୍ଥ ହେଉଛି ତିନିରୁ ଚାରି ଭାଗ ସାମୁଦ୍ରିକ ପ୍ରଜାତି ଲୋପ ପାଇବା । ଏହା ହିଁ ପରିସଂସ୍ଥାନ ଗତ କୋଳାହଳ ଓ ପରିସଂସ୍ଥାନ ଗତ ବିପର୍ଯ୍ୟୟ ।’ ଗ୍ରେଟ୍ ବାରିଅର୍ ରିଫରେ ବସବାସ କରନ୍ତି ପ୍ରାୟ ୧୫୦୦ ପ୍ରଜାତିର ମାଛ । ପ୍ରକୃତିର ଏକ ବିରାଟ ବିସ୍ମୟ ହେଉଛି ଏହି ବିଶାଳ ପ୍ରବାଳ ପ୍ରାଚୀର । ଏହାର ଦୈର୍ଘ୍ୟ ହେଉଛି ପ୍ରାୟ ୨୩୦୦ କିଲୋମିଟର । ଇଟାଲୀ ଦେଶର ଲମ୍ବ ମଧ୍ୟ ପ୍ରାୟ ଏତିକି । ପୃଥିବୀର କେବଳ ଏହି ଜୀବନ୍ତ ଜୀବଟି ମହାକାଶରୁ ଦେଖାଯାଏ ।

ଅଷ୍ଟ୍ରେଲିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେରାଇନ ସାଇନ୍ସ ମୁଖ୍ୟ ବୈଜ୍ଞାନିକ ପଦରୁ ଅବସର ଗ୍ରହଣ କରିଥିବା ଭେରୋନ୍ ୧୯୬୦ ଦଶକରେ ଯେବେ ପ୍ରଥମେ ସମୁଦ୍ର ଭିତରେ ବୁଡ଼ି ପ୍ରବାଳ ପ୍ରାଚୀର ଦେଖିଲେ ତାଙ୍କୁ ଲାଗିଲା, ସେଇଠୁ ତାଙ୍କର ଜୀବନ ଆରମ୍ଭ ହେଲା । ତାଙ୍କ ଭାଷାରେ, ‘ଏହା ଥିଲା ଏକ ଛୋଟ ଅଞ୍ଚଳ, ଅନେକ ଜୀବନ, ଅନେକ କାର୍ଯ୍ୟକଳାପ, ଅନେକ ଶବ୍ଦ । ଏହା ଥିଲା ବାସ୍ତବରେ ଏକ ମହାନଗର, ଗୁଂଜନ ଓ ଗୁଣୁଗୁଣୁର ସମାହାର ।’ ଭେରୋନ୍ ପ୍ରଥମେ ପାଗ ପରିବର୍ତ୍ତନ ଆଶଙ୍କାକୁ ଅସ୍ୱୀକାର କରୁଥିଲେ । କିନ୍ତୁ ୧୯୮୦ ଦଶକର ମଧ୍ୟ ଭାଗରେ ସେ ବୁଝିଗଲେ ଯେ ଏହା ଏକ ଗମ୍ଭୀର ସମସ୍ୟା ଏବହ ୧୯୯୦ ଦଶକ ବେଳକୁ ପ୍ରବାଳ ପ୍ରାଚୀର ଉପରେ ଏହାର ପ୍ରଭାବ ନେଇ ସେ ସତର୍କ ସୂଚନା ପାଇଗଲେ ।

ଭେରୋନ୍ଙ୍କ ମତରେ ଗତ କେଇ ବର୍ଷ ତଳୁ ଆରମ୍ଭ ହୋଇଥିବା ପାଗ ପରିବର୍ତ୍ତନ ଜନିତ ସାମୁଦ୍ରିକ ଧୂଲେଇ ବା ସମୁଦ୍ର ସଫେଇ ପ୍ରକ୍ରିୟା ଯୋଗୁଁ ପ୍ରକୃତିର ଏହି ଅନନ୍ୟ ରତ୍ନ ଭଣ୍ଡାର ଲୋପ ପାଇବ । ଏହା ପାଗ ପରିବର୍ତ୍ତନ ବିରୋଧୀ ବ୍ୟାପକ ଯୁଦ୍ଧରେ ମଣିଷ ପାଇଁ ଏକ ଜାଗରଣ ଚେତାବନୀ । ଏହା ଆଲାର୍ମ ବେଲ୍ ବା ସତର୍କ ଘଣ୍ଟିଠାରୁ ଅଧିକ । ଏହା ଏକ ପବନ ବାହିତ ସାଇରନ୍ । ପ୍ରବାଳ ପ୍ରାଚୀର ଧ୍ୱଂସ ପାଇବ- ଏଖବର ତାଙ୍କୁ ଆଉ ବିସ୍ମିତ କରୁନାହିଁ । କାରଣ ୧୯୯୦ ଦଶକରୁ ସେ ଏହା ବୁଝିଗଲେଣି । ସେତେବେଳେ ସେ କହିଥିଲେ ପାଗ ପରିବର୍ତ୍ତନ ଯୋଗୁଁ ପ୍ରବାଳ ପ୍ରାଚୀର ଧ୍ୱଂସ ପାଇବା ନିଶ୍ଚିତ । ଏହା ସେ ଅନେକ ବହିରେ ଲେଖିଛନ୍ତି । ଏ ସଂପର୍କରେ ସେ ରୟାଲ ସୋସାଇଟି ଅଫ୍ ଲଣ୍ଡନରେ ମଧ୍ୟ ସନ୍ଦର୍ଭ ପାଠ କରିଛନ୍ତି ।

ସେ କୁହନ୍ତି, ‘ମୁଁ ଏହା ଦେଖୁଛି ଏବଂ ଅନୁଭବ କରୁଛି ଏବଂ ଏହା ଏକବାରକେ ଭୟଙ୍କର, ଏହାକୁ ବର୍ଣ୍ଣନା କରିବା ପାଇଁ ଅନ୍ୟ ଶବ୍ଦ କିଛି ନାହିଁ ।’ ୨୦୧୮ ଗ୍ରୀଷ୍ମ ଋତୁରେ କେତେ ଜଣ ବୈଜ୍ଞାନିକ କହିଲେ ଯେ ସମୁଦ୍ର ସଫା ହୋଇନାହିଁ, କେତେକ ଅଞ୍ଚଳରେ ପ୍ରବାଳ ପ୍ରାଚୀରର ପୁନରୁଦ୍ଧାର ଘଟିଛି । କିନ୍ତୁ ଭେରୋନଙ୍କ ମତରେ ପ୍ରବାଳ ପ୍ରାଚୀରର ପୁନରୁଦ୍ଧାର ପାଇଁ ଅତି କମରେ ୧୦ ବର୍ଷ ଦରକାର । ଏବେ ସେମାନଙ୍କ ପାଖରେ ଏତେ ସମୟ ନାହିଁ । ଆସନ୍ତା ୭ରୁ ୫ ବର୍ଷ ଭିତରେ ସମୁଦ୍ର ସଫେଇ ଜୋର୍ ଧରିବ ଏବଂ ସାରା ପୃଥିବୀରେ ପ୍ରବାଳ ପ୍ରାଚୀର ଧ୍ୱଂସ ପାଇବ । ଏହାର କାରଣ ହେଉଛି ୧୯୯୦ ମସିହାରେ ହୋଇଥିବା ଅଙ୍ଗାରକ ନିର୍ଗମନର କୁପ୍ରଭାବ ଏବେ ଏବେ ସମୁଦ୍ର ଉପରେ ପଡ଼ିବା ଆରମ୍ଭ କରିଛି । ଆଗକୁ ଏହା ତ୍ୱରାନ୍ୱିତ ହେବ ।

ଭେରୋନ୍ଙ୍କ ମତରେ ଆମେ ଯଦି ଏବେଠାରୁ ଜୀବାଶ୍ମ ଇନ୍ଧନ ବ୍ୟବହାର କରିବା ଛାଡ଼ିଦିଅନ୍ତି ତଥାପି ସମୁଦ୍ରର ତାପମାତ୍ରା ଆସନ୍ତା ଦୁଇ ଦଶନ୍ଧି ଯାଏଁ ବୃଦ୍ଧି ପାଇବ । ପ୍ରଳୟର ଚିତ୍ର ବହୁତ ଦୂରରେ ଥାଇପାରେ । କିନ୍ତୁ ସମୂହ ବିଲୋପନ ଖୁବଶୀଘ୍ର ଆସିଯାଉଛି । ଭେରୋନ ବିଶ୍ୱାସ କରନ୍ତି, ଏହା ନିଶ୍ଚିତ ଘଟିବ । ଜୀବାଶ୍ମ ଇନ୍ଧନ ବିଶେଷକରି କୋଇଲାର ବ୍ୟବହାର ଯୋଗୁଁ ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ପାଉଛି ଓ ଏହାର ପ୍ରଭାବରେ ଘଟୁଛି ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ସଂକଟ ।

 

ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ଆଶଙ୍କା

 ପାଗ ପରିବର୍ତ୍ତନ ଯୋଗୁଁ ୨୦୩୦ ସୁଦ୍ଧା ପ୍ରତି ବର୍ଷ ଆହୁରି ଅଧିକ ୧.୫୦ ଲକ୍ଷ ଲୋକଙ୍କର ପ୍ରାଣହାନୀ ଘଟିବ। ଏମାନଙ୍କ ମଧ୍ୟରେ ଗରୀବ, ମହିଳା ଓ ଶିଶୁଙ୍କ ସଂଖ୍ୟା ଅଧିକ ହେବ। ଏଭଳି ଏକ ଆକଳନ କରିଛି ମିଳିତ ଜାତିସଂଘ ଅଧୀନସ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ବା ହୁ। ପୁଷ୍ଟିହୀନତା, ମ୍ୟାଲେରିଆ, ଝାଡ଼ାବାନ୍ତି ଓ ଅତ୍ୟଧିକ ଗରମ ଯୋଗୁଁ ଏହି ଲୋକମାନେ ପ୍ରାଣ ହରାଇବେ ବୋଲି ହୁ କହିଛି।  

ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ଯୋଗୁଁ ବିଶ୍ୱରେ ଅନେକ ପ୍ରକାର ପରିବର୍ତ୍ତନ ଘଟିଚାଲିଛି। ଏହି ପରିବର୍ତ୍ତନର ପ୍ରଭାବ ବିଭିନ୍ନ ଭାବରେ ମଣିଷର ସ୍ୱାସ୍ଥ୍ୟ ଉପରେ  ପଡ଼ୁଛି। ପାଗ ପରିବର୍ତ୍ତନ ଯୋଗୁଁ କେତେକ ସଂକ୍ରାମକ ରୋଗର ଋତୁକାଳୀନ ଓ ଭୌଗୋଳିକ ସ୍ଥିତି ବଦଳି ଯାଉଛି। ଅଥାର୍ତ ଗୋଟିଏ ଅଂଚଳରେ ଏକ ନିର୍ଦ୍ଦିଷ୍ଟ ଋତୁରେ ଘଟୁଥିବା ଏକ ନିର୍ଦ୍ଦିଷ୍ଟ ପ୍ରକାର ରୋଗ ସଂକ୍ରମଣ ଅନ୍ୟ ଋତୁ ଓ ଅନ୍ୟ ଅଂଚଳରେ ମଧ୍ୟ ଘଟିବାର ଆଶଙ୍କା ବୃଦ୍ଧି ପାଉଛି। ସେହିପରି ପାଗ ପରିବର୍ତ୍ତନ ଓ ବିଶ୍ୱ ତାପନ ଯୋଗୁଁ ଖାଦ୍ୟ ଉପିାଦନ ଉପଯୋଗୀ ପରିବେଶ ମଧ୍ୟ ଭୟଙ୍କର ଭାବେ ପ୍ରଭାବିତ ହେବା କାରଣରୁ ଅଧିକରୁ ଅଧିକ ଲୋକ ମନ୍ଦପୁଷ୍ଟି ସଂକଟର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏହି ସମାନ କାରଣରୁ ମଧ୍ୟ ଉଗ୍ର ଜଳବାୟୁର ପୌନଃପୌନିକତା ବୃଦ୍ଧି ପାଉଛି।

 ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଅନୁସାରେ ଏହି ପରିବର୍ତ୍ତନ ମଧ୍ୟରେ ଶିଶୁ, ମହିଳା, ବୟସ୍କ ବ୍ୟକ୍ତି ଓ ଗରୀବ ଲୋକମାନଙ୍କର ରୋଗ ସଂକଟ ବୃଦ୍ଧି ପାଇବ ଅର୍ଥାତ ସେମାନେ ହିଁ ଏହା ଦ୍ୱାରା ଅଧିକ ପ୍ରଭାବିତ ହେବେ। ଏହା ଜନ ସମୁଦାୟ ମଧ୍ୟରେ ସ୍ୱାସ୍ଥ୍ୟଗତ ଅସମାନତା ବୃଦ୍ଧି କରିବ। ଏକବିଂଶ ଶତାବ୍ଦୀ ଶେଷ ବେଳକୁ ପାଗ ପରିବର୍ତ୍ତନ ପ୍ରକ୍ରିୟାରେ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ସଂକଟ ବୃଦ୍ଧି ପାଇବ। ଏହି ସମୟବେଳକୁ ମଧ୍ୟ ବିଶ୍ୱ ଓ ଆଂଚଳିକ ସ୍ତରରେ ମରୁଡ଼ିର ଭୟାବହତା ବୃଦ୍ଧି ପାଇବ ବା ସେତେବେଳକୁ ବିଶ୍ୱର ଅଧିକ ଅଂଚଳରେ ଅଧିକ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇ ଖାଦ୍ୟ ସଂକଟ ସୃଷ୍ଟି କରିବ। ଖାଦ୍ୟ ସଂକଟ ଜନିତ ମନ୍ଦପୁଷ୍ଟି କାରଣରୁ ଶିଶୁ, ମହିଳା ଓ ବୟସ୍କ ଲୋକମାନେ ଅଧିକ ରୋଗର ଶିକାର ହେବେ।   ବିଶ୍ୱର ଅନୁନ୍ନତ ଓ ଗରୀବ ରାଷ୍ଟ୍ରଗୁଡ଼ିକରେ ତାପମାତ୍ରା ବୃଦ୍ଧି ଓ ଆର୍ଦ୍ରତା ବିଚଳନ ଯୋଗୁଁ ପ୍ରଧାନ ଖାଦ୍ୟର ଅମଳ ଆଶଙ୍କାଜନକ ଭାବେ ହ୍ରାସ ପାଇବ। ଏଥିଯୋଗୁଁ ପୁଷ୍ଟିହୀନତା ଓ ମନ୍ଦପୁଷ୍ଟି ସମସ୍ୟା ଅଧିକ ଗମ୍ଭୀର ହେବ। ମନ୍ଦପୁଷ୍ଟି ଓ ପୁଷ୍ଟିହୀନତର କାରଣରୁ ଏବେ ବିଶ୍ୱରେ ପ୍ରତି ବର୍ଷ ହାରାହାରି ୩.୧ ନିୟୁତ ଲୋକ ଅସମୟରେ ପ୍ରାଣ ହରାଉଛନ୍ତି।

ଆଗକୁ ଏହି ସମସ୍ୟା ଅଧିକ ଉତ୍କଟ ହେବ ଓ ସେଥିରେ ଅଧିକ ଲୋକ ପ୍ରାଣ ହରାଇବେ। ବିଶ୍ୱ ତାପନ ଯୋଗୁଁ ନିର୍ମଳ ପବନ ଓ ବିଶୁଦ୍ଧ ଜଳର ବିଶ୍ୱବ୍ୟାପୀ ଉପଲବ୍ଧି ପରିମାଣ କମିଯିବ। ସେଥିଯୋଗୁଁ ମଧ୍ୟ ଅନ୍ୟାନ୍ୟ ରୋଗ ବୃଦ୍ଧି ପାଇବ।   ଏସବୁ ବିଷୟକୁ ବିଚାରକୁ ନେଇ ବିଶ୍ୱ ଖାଦ୍ୟ ସଂସ୍ଥା କହିଛି ଯେ ଆସନ୍ତା ୧୫ ବର୍ଷ ଭିତରେ ବର୍ଷକୁ ହାରାହାରି ଅଧିକ ୩୮ ହଜାର ବୟସ୍କ ଲୋକ ପ୍ରାଣ ହରାଇବେ। ସେହିପରି ଏହି ସମୟ ମଧ୍ୟରେ ବାର୍ଷିକ ଅଧିକ ୪୮ ହଜାର ଲୋକ ଝାଡ଼ାବାନ୍ତିର ଶିକାର ହେବେ, ୬୦ ହଜାର ଲୋକ ମ୍ୟାଲେରିଆ ଓ ୯୫ ହଜାର ଶିଶୁ ମନ୍ଦପୁଷ୍ଟିରେ ମୃତ୍ୟୁବରଣ କରିବେ। ପାଗ ପରିବର୍ତ୍ତନ ଯୋଗୁଁ ଏବେ ସୁଦ୍ଧା ପ୍ରତି ବର୍ଷ ହଜାର ହଜାର ଲୋକଙ୍କର ପ୍ରାଣହାନୀ ଘଟୁଛି। ଏହି କାରଣୁ ଉପିନ୍ନ ହୋଇଥିବା ଉତ୍କଟ ବାୟୁ ପ୍ରଦୂଷଣ ଯୋଗୁଁ ମଧ୍ୟ ସଂପ୍ରତି ବିଶ୍ୱରେ ପ୍ରତି ବର୍ଷ ହାରାହାରି ୭ ନିୟୁତ ଲୋକ ପ୍ରାଣ ହରାଉଛନ୍ତି।  

ୟୁରୋପ ମହାଦେଶରେ ୨୦୦୩ ମସିହାରେ ଅନୁଭୂତ ହୋଇଥିବା ଭୟଙ୍କର ତାପ ପ୍ରବାହରେ ଲକ୍ଷଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଗତ ବର୍ଷ ଭାରତ ଓ ପାକିସ୍ଥାନରେ ମଧ୍ୟ ଏହି କାରଣରୁ ସହସ୍ରାଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।

 

ଉପସ୍ଥାପନା: ଅଶ୍ୱିନ କୁମାର ନାଏକ

ମୋ: ୯୪୩୮୦୯୦୬୨୨

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.