ନାଙ୍ଗମତୀ ଗାଥା ଓ ବଗୁଆ ସଂପ୍ରଦାୟ : ଏକ ସଂକ୍ଷିପ୍ତ ଆଲୋଚନା


ଲାଉତୁମ୍ବା ବଜାଇ ‘ପାଲାକା କନ୍ଧ’ମାନଙ୍କ ଏକ ଗାଥା ‘ନାଙ୍ଗମତୀ’ ଗାନ କରିଥାନ୍ତି ‘ବଗୁଆ’ ସଂପ୍ରଦାୟ । ବଗୁଆମାନେ ହେଉଛନ୍ତି ଭାଟ ବା ଚାରଣ ଗୋଷ୍ଠୀ । ଏମାନେ ଭୁମିପୁତ୍ର ଆଦିବାସୀ କନ୍ଧ ମାନଙ୍କ ‘ଭାଟ’ । ବଗୁଆମାନେ କେଉଁ ଏକ ଆବାହମାନ କାଳରୁ କନ୍ଧ ଜାତିର ପ୍ରଶସ୍ତି ଗାନ କରିଆସୁଛନ୍ତି । ଏଥିସହ ସେମାନେ ତାଙ୍କର ଦାତା (କନ୍ଧ) ମାନଙ୍କ ଘରୁ ବିବାହ, ମୃତକ ଆଦି ଦାନ ଗ୍ରହଣ କରିଥାନ୍ତି ।

ନାଙ୍ଗମତୀ ଗାଥା

ରାଜପୁଲିଆ ଓ ନାଙ୍ଗମତୀ ଦୁଇ ଭାଇ ଭଉଣୀ । ସେମାନେ ଚାଷବାସ କରି ଅତି ଆନନ୍ଦରେ ଜୀବନ ଅତିବାହିତ କରୁଥାନ୍ତି । ଦିନେ ‘ହୀରା ଖମାର’କୁ ଦୁଇ ଭାଇଭଉଣୀ ୧୨୦ ଭୁତି ନେଇ ତଲି ନିନ୍ଦିବାକୁ ଗଲେ । ଭୁତିଆରିମାନେ ଗଡଗଡ ବୁଟା, ଟଲି ବୁଟା ଆଦି ନିନ୍ଦିବାକୁ ଲାଗିଲେ । ଠିକ ସେହି ସମୟରେ ବଏଡ୍ (ବଢି) ଆସିଲା । ରାଜପୁଲିଆ ଓ ନାଙ୍ଗମତୀ ଗୋଟିଏ ଡଙ୍ଗା ସାହାଯ୍ୟରେ ବଢି ପାଣିକୁ ଅତିକ୍ରମ କରିବାକୁ ଲାଗିଲେ । କିଛି ବାଟ ଯିବା ପରେ ରାଜପୁଲିଆର କାତ ବାଡି ଭାଙ୍ଗିଗଲା । ସେମାନେ ଭାସିବାକୁ ଲାଗିଲେ । ଏମିତି ଭାସୁଥିବା ସମୟରେ ସେମାନଙ୍କୁ ‘ପୁଟିଗାଁ ବିନ୍ଧାଣୀ’ ରେ ଖଡକ ମାଝୀ ଓ ଚମକ ମାଝୀ ଉଦ୍ଧାର କଲେ । ଏହା ହେଉଛି ନାଙ୍ଗମତୀ ଗାଥାର ପ୍ରଥମ ବୋଲିର ସାରାଂଶ ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 👆)

ବଗୁଆମାନେ ଏହି ଗାଥାକୁ କନ୍ଧାନ୍ ଭାଷାରେ ଅତି ସୁନ୍ଦର ଭାବେ ଗାନ କରିଥାନ୍ତି । ଏଥିରେ ନାଙ୍ଗମତୀର ସୌନ୍ଦର୍ଯ୍ୟ ଓ ଜୀବନଚର୍ଯ୍ୟା, ରାଜପୁଲିଆର ଶୌର୍ଯ୍ୟ ଓ ବୀର ଗାଥା, ଭଗିନୀ ସ୍ନେହ ଆଦି ଅତି ମାର୍ମିକ ଭାବେ ବର୍ଣ୍ଣିତ ହୋଇଥାଏ । ଏହାଛଡ଼ା ଅନ୍ୟାନ୍ୟ ଚରିତ ଓ ପ୍ରକୃତି ଚିତ୍ରଣ ଏହି ଗାଥାକୁ ଜୀବନ୍ତ କରି ଗଢି ତୋଲିଥାଏ ।

ବଗୁଆଙ୍କ ଲାଉତୁମ୍ବା ବାଦ୍ୟ ବା ତୁମା ବାଦ୍ୟ

ନାଙ୍ଗମତୀ ଗୀତରେ ବ୍ୟବହୃତ ହେଉଥିବା ଲାଉତୁମ୍ବା ବାଦ୍ୟ ଏକ ପ୍ରାଚୀନ ଲୋକବାଦ୍ୟ । ଏହା ଲାଉତୁମ୍ବାରେ ତିଆରି ହୁଏ । ତେଣୁ ଏହାକୁ ଲାଉକି ବାଦ୍ୟ, ଲାଉତୁମ୍ବା ବାଦ୍ୟ ବା ତୁମା ବାଦ୍ୟ ବୋଲି କୁହାଯାଏ । ଆଦିମ କାଳରୁ ପ୍ରାଚୀନ ଯୁଗ ପର୍ଯ୍ୟନ୍ତ ଏଥିରେ ତୁମା ସହ ବିଭିନ୍ନ ଉପାଙ୍ଗକୁ ଲଗ୍ନ କରି ରଖୁଥିବା ଲଗ୍ନିକା ଦଣ୍ଡର ଉପରେ ତତ ବା ତନ୍ତୁ (ତନ୍ତ୍ର) ବ୍ୟବହାର କରାଯାଉଥିବାରୁ ଏବଂ ତତ ବା ତନ୍ତୁ ଉପରେ ଆଙ୍ଗୁଳି/ନଖ ଚାଳନା କରି କିମ୍ବା ଘର୍ଷଣ କରି ଧ୍ଵନି ଉତ୍ପନ୍ନ କରାଯାଉଥିବାରୁ ଏହି ଶ୍ରେଣୀୟ ବାଦ୍ୟକୁ ତତ ବା ତନ୍ତ୍ର ବାଦ୍ୟ ବୋଲି କୁହାଯାଉଥିଲା । ତତ ବା ତନ୍ତୁ ବା ତନ୍ତ୍ର ହେଉଛି ‘ଶିରା’ ବିଶେଷତଃ ଏ କ୍ଷେତ୍ରରେ ବନ୍ୟଜନ୍ତୁର ଶିରା । କୋଶଲୀ ଭାଷାରେ ଏହା ଛିର୍, ତତୁ ଓ ଭିଅଁ ନାମରେ ପରିଭାଷିତ । ପୂର୍ବେ ମୁଖ୍ୟତଃ ବନ୍ୟ ସମ୍ବରର ତତୁ/ଭିଅଁ ବା ଶିରାକୁ ଏକ ବିଶେଷ ପ୍ରକ୍ରିୟାରେ ବାହାର କରାଯାଇ ତହିଁରେ ରଜୁ ପ୍ରସ୍ତୁତ କରି ଲଗ୍ନିକା ଉପରେ ଯୁକ୍ତ କରାଯାଉଥିଲା । କାଳାନ୍ତରେ ବିଭିନ୍ନ ବନ୍ୟଲତା ବିଶେଷକୁ ନମନୀୟ କରି ତହିଁରେ ପ୍ରସ୍ତୁତ ‘ଟାନା’ (ରଜ୍ଜୁ/ତତୁ) କୁ ଏଥିପାଇଁ ପ୍ରୟୋଗ କରାଗଲା । ଏହାର ବହୁ ପରବର୍ତ୍ତି ସମୟରେ ତାର (ଧାତୁ) ବ୍ୟବହାରକୁ ଆସିଲା । ଏହା ବଗୁଆମାନଙ୍କ ଏକ ପ୍ରିୟ ବାଦ୍ୟ ତଥା ପରିବାର ପ୍ରତିପୋଷଣର ଏକ ଉତ୍ତମ ସାଧନ ହୋଇ ରହିଲା ।

ବଗୁଆଙ୍କ ବଂଶ ପରମ୍ପରା ଓ ବର୍ତ୍ତମାନର ସ୍ଥିତି

ଏହି ସଂପ୍ରଦାୟ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଚିଆଁପଦର, ସିନାଙ୍ଗ ଓ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକର ସାନ ଉଡାର ଗାଁରେ ଦେଖା ଯାଇଥାନ୍ତି । ଚିଆଁପଦର ଗାଁରେ ୨୫ରୁ ଉର୍ଦ୍ଧ୍ବ ବଗୁଆ ପରିବାର ବାସ କରୁଥିବା ବେଳେ ସାନ ଉଡାର ଓ ସିନାଙ୍ଗ ଗାଁରେ ଏମାନଙ୍କ ସଂଖ୍ୟା ନଗଣ୍ୟ । ବଗୁଆମାନେ ପ୍ରଗଣିଆ ସାଙ୍ଗିଆ ବହନ କରୁଥିବା ବେଳେ ଏମାନଙ୍କ ବଂଶ ଗୁଡିକ ହେଉଛି ; ବାଗ, ନାଗ, କୁମାର ଓ ସୁନା । ସମୟ ଚକ୍ରରେ ପଡି ଏମାନେ ଏବେ ଭିକ୍ଷା ବୃତ୍ତି କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏହି ସଂପ୍ରଦାୟ ଏକ ପ୍ରକାର ଅବହେତିଳ ଜୀବନ ନିର୍ବାହ କରୁଥିବା ବେଳେ ଏମାନଙ୍କ ପାଖରେ ଅନେକ ସରକାରୀ ସାହାଯ୍ୟ ଅପହଞ୍ଚ ହୋଇ ରହିଛି । ଏମାନଙ୍କ ମଧ୍ୟରୁ ଅନେକ ଭୂମିହୀନ ଓ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି । ଏହି ସଂପ୍ରଦାୟର ପିଲା ପେଟ ପାଇଁ ଛୋଟ ବେଳୁ ଭିକ୍ଷାବୃତ୍ତିକୁ ଆଦରି ନେଉଥିବାରୁ ଶିକ୍ଷାର ପ୍ରଦୀପ ଦେଖିପାରେ ନାହିଁ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଓଡିଶା ସରକାର ଏମାନଙ୍କୁ ପଛୁଆ ବର୍ଗ (ଓବିସି) ରେ ରଖିଛନ୍ତି । ପୂର୍ବରୁ ଏମାନେ ଅନୁସୂଚିତ ଜନଜାତି ଅନ୍ତର୍ଭୁକ୍ତ ଥିଲେ ।

ସୁନୀଲ କୁମାର ଧଙ୍ଗଡାମାଝୀ

ସମ୍ପାଦକ, ‘ଓଡ଼ିଆ ବାର୍ତ୍ତା’

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta