କଳାହାଣ୍ଡି ବିଶ୍ବବିଦ୍ୟାଳୟ କାର୍ଯ୍ୟ ତ୍ବରାନ୍ବିତ କରିବାପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସ୍ମାରକ ପତ୍ର


କଳାହାଣ୍ଡି,୪/୬: ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ କଳାହାଣ୍ଡି ବିଶ୍ବବିଦ୍ୟାଳୟର କାର୍ଯ୍ୟ ତ୍ବରାନ୍ବିତ କରିବା ସହ କୂଳପତି ନିଯୁକ୍ତି ପାଇଁ ଆଜି ସ୍ମାରକପତ୍ର ପ୍ରଦାନ କରାଯାଇଛି । ୨୦୨୦-୨୧ ଶିକ୍ଷା ବର୍ଷରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ନାମଲେଖା ହେବ ବୋଲି ସରକାର ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ରାଜ୍ୟରେ କରୋନା ପାଇଁ ଏପର୍ଯ୍ୟନ୍ତ ଆଖି ଦୃଷିଆ ପଦକ୍ଷେପ ନିଆଯାଇ ପାରିନଥିବା ସ୍ଥଳେ କୂଳପତି ଓ ଅନ୍ୟାନ୍ୟ ପଦବୀ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଉଛି ।

ଆଜି (ଗୁରୁବାର) ଉଚ୍ଚ ଶିକ୍ଷା ସଚିବ କୋଭିଡ ସମିକ୍ଷା ପାଇଁ କଳାହାଣ୍ଡି ଗସ୍ତରେ ଥିବା ବେଳେ ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ତରଫରୁ ତାଙ୍କୁ ସାକ୍ଷାତ କରି କଳାହାଣ୍ଡି ବିଶ୍ବବିଦ୍ୟାଳୟ ଚଳିତ ବର୍ଷରୁ ଆରମ୍ଭ କରିବା ପାଇଁ ସ୍ମାରକ ପତ୍ର ଦିଆଯାଇଛି । ଉଚ୍ଚ ଶିକ୍ଷା ସଚିବ କରୋନା ପାଇଁ ବିଳମ୍ଵିତ ହୋଇଥିବା କଥା ସ୍ବିକାର କରିବା ସହ ଖୁବ ଶିଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସହିପରି ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଆଦିତ୍ୟ ନନ୍ଦ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଶ୍ରୀ ଅବିନାଶ ଠାକୁର, ଯୁବ ଉପସଭାପତି ମନିନ୍ଦ୍ର ମହାନ୍ତି, ଚିନ୍ମୟ ମିଶ୍ର, ଅଭିଷେକ ମହାପାତ୍ର, ଅମିତ ଯାଦବ, ଜିତେନ୍ଦ୍ର ବେହେରା, ନରୋତ୍ତମ ଭାଟି ପ୍ରମୁଖ ଉପସ୍ଥିତ ଥିଲେ ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta