ବିଶ୍ୱ ପରିବେଶ ଦିବସର ବାର୍ତ୍ତା : ଉତ୍ସବ ହେଉ ଜୈବ ବିବିଧତା


🖋️ସନ୍ତୋଷ କୁମାର କର

ପୃଥିବୀ ହେଉଛି ଆମର ବାସସ୍ଥାନ । ଏହାର ଜଳବାୟୁ ଓ ପ୍ରାକୃତିକ ସମ୍ପଦର ଅପୂର୍ବ ସମନ୍ୱୟ ଓ ସନ୍ତୁଳନ ଯୋଗୁଁ ଏଠାରେ ଜୀବମାନଙ୍କର ସ୍ଥିତି ଓ ଅବସ୍ଥିତି ସମ୍ଭବ ହୋଇପାରିଛି । ଏଥିରେ ସରଳ ଏକକୋଷୀ ଏମିବା ଠାରୁ ଆରମ୍ଭ କରି ହାତୀ, ତିମି ପରି ବିରାଟକାୟ ବହୁକୋଷୀ ଜୀବ ବାସ କରନ୍ତି । ପୃଥିବୀପୃଷ୍ଠରେ ଏହି ସମସ୍ତ ପ୍ରାଣୀ ଓ ଉଦ୍ଭିଦ ବଂଚି ରହିବା ପାଇଁ ମୃତ୍ତିକା, ଜଳ, ବାୟୁ ଏବଂ ଅନ୍ୟାନ୍ୟ ଉପାଦାନ ଆବଶ୍ୟକ କରିଥାନ୍ତି । ସେସବୁ ପରିବେଶରୁ ମିଳିଥାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ ପରିବେଶର ପ୍ରତିଟି ଉପାଦାନ ଆମ ସମସ୍ତଙ୍କ ପାଇଁ ଓ ଅନ୍ୟ ସମସ୍ତଙ୍କ ପାଇଁ ଜରୁରୀ ଅଟେ ।

ପ୍ରକୃତି ଜୀବମାନଙ୍କର ଆବଶ୍ୟକତା ନିରନ୍ତର ଭାବରେ ପୂରଣ କରୁଛିି । ଫଳରେ ସେମାନେ କୋଟି କୋଟି ବର୍ଷ ଧରି ପୃଥିବୀ ପୃଷ୍ଠରେ ତିଷ୍ଠି ରହିଛନ୍ତି । କିନ୍ତୁ ନିଜକୁ ସବୁଠୁ ବୁଦ୍ଧିମାନ ତଥା ସର୍ବଶ୍ରେଷ୍ଠ ଭାବୁଥିବା ମଣିଷ ତାର ଜ୍ଞାନର ବିକାଶ ଓ ବିଜ୍ଞାନର ପ୍ରଗତି ବଳରେ ପ୍ରକୃତିକୁ ନିଜ ବ୍ୟବହାରରେ ଲଗାଇ ଚାଲିଛି । ନିଜର ସ୍ୱାର୍ଥ ସାଧନ ପାଇଁ ପ୍ରକୃତିକୁ ଅଧିକରୁ ଅଧିକ ବ୍ୟବହାର କରିବା ଫଳରେ ପ୍ରକୃତି ତାର ଭାରସାମ୍ୟ ହରାଇବାରେ ଲାଗିଛି ।

ମାନବ ସମାଜର ବିକାଶ ସଙ୍ଗେସଙ୍ଗେ ପ୍ରାକୃତିକ ସମ୍ପଦର ଅତିରିକ୍ତ ବ୍ୟବହାର ତଥା ଅପବ୍ୟବହାର ଦ୍ୱାରା ପ୍ରଦୂଷଣ, ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଆଦି ସମସ୍ୟା ସୃଷ୍ଟି ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ପରିବେଶକୁ ରକ୍ଷା କରିବାରେ ଅନ୍ୟ ମାନଙ୍କ ତୁଳନାରେ ମଣିଷର ଭୁମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ।

ମଣିଷ ନିଜେ ଚିନ୍ତା କରିବା ଉଚିତ ଯେ ସେ ସ୍ରଷ୍ଟା ନୁହଁ, ବରଂ ସେ ପ୍ରକୃତିରୁ ସୃଷ୍ଟ । ତେଣୁ ପ୍ରକୃତିରୁ ସୃଷ୍ଟ ଜୀବ ଯଦି ନିଜର ଆବଶ୍ୟକତା ପୂରଣ ପାଇଁ ପ୍ରକୃତିକୁ ନଷ୍ଟ କରି ନିଜ ପିଠିରେ ନିଜେ କୁଠାରାଘାତ କରେ, ତା’ଠାରୁ ବଳି ଦୁଃଖର ବିଷୟ ଆଉ କିଛି ହୋଇ ନପାରେ ।

ପ୍ରକୃତିର ଏପରି ଅବକ୍ଷୟ ଦେଖି ସମଗ୍ର ବିଶ୍ୱ ଆଜି ଚିନ୍ତିତ । ଏଭଳି ଏକ ବିରାଟ ସମସ୍ୟାର ସମାଧାନ ପାଇଁ ସବୁବେଳେ ଭିନ୍ନଭିନ୍ନ ଦିଗରେ ପ୍ରୟାସ ଜାରି ରହିଛି । ଏହି କ୍ରମରେ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ପାଇଁ ୧୯୭୪ ମସିହା ଠାରୁ ପ୍ରତିବର୍ଷ ଜୁନ୍ ମାସ ୫ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ “ବିଶ୍ୱ ପରିବେଶ ଦିବସ” ।

ବିଶ୍ୱ ପରିବେଶ ଦିବସ ପାଳନ କରିବାର କେତେ ଗୁଡିଏ ଲକ୍ଷ୍ୟ ରହିଛି । ସେଗୁଡିକ ହେଲା, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା, ପ୍ରକୃତିର ସୁରକ୍ଷାରେ ସହଯୋଗ କରିବା, ନିଜ ପରିବେଶରେ ଥିବା ପ୍ରାକୃତିକ ବସ୍ତୁଗୁଡିକୁ ଚିହ୍ନଟ କରି ତାର ଗୁରୁତ୍ୱ ବୁଝିବା, ପରିବେଶକୁ ସଫାସୁତରା ରଖିବା ଓ ସର୍ବୋପରି ନିଜେ ପରିବେଶରେ ସୁସ୍ଥ ଜୀବନଯାପନ କରିବା ସହ ଆଗାମୀ ପିଢ଼ିକୁ ଏକ ସ୍ୱଚ୍ଛ ଓ ସବୁଜ ପରିବେଶ ପ୍ରଦାନ କରିବା । ପ୍ରତିବର୍ଷ ଏଥିପାଇଁ ଭିନ୍ନଭିନ୍ନ ବିଷୟବସ୍ତୁ ରଖା ଯାଇଥାଏ । ଏ ବର୍ଷର ବିଷୟ ବସ୍ତୁହେଲା “ଜୈବ ବିବିଧତାର ଉତ୍ସବ ପାଳନ (Celebrate Biodiversity)” ।

ଆମ ଜୀବନରେ ଜୈବ ବିବିଧତାର ଅନେକ ଗୂରୁତ୍ୱ ରହିଛି । ଆମ ପୃଥିବୀରେ ପ୍ରାୟ ୧୫ ଲକ୍ଷରୁ ଅଧିକ ପ୍ରକାରର ଜୀବ ବା ଜୈବ ବିବିଧତା ରହିଛି । ସେ ସମସ୍ତଙ୍କର ବଂଚିବାର ଅଧିକାର ରହିଛି ଓ ସମସ୍ତଙ୍କର ପ୍ରକୃତି ପ୍ରତି କିଛି ନା କିଛି ଅବଦାନ ରହିଛି । ମନେରଖିବାର କଥା ଯେ କୌଣସି ଏକ ନିର୍ଦ୍ଦିଷ୍ଟ ଜୀବଜାତିର ଉପସ୍ଥିତି ପରିବେଶ ପାଇଁ ଯଥେଷ୍ଟ ନୁହେଁ । ଉଦ୍ଭିଦ, ପ୍ରାଣୀ ଏବଂ ଏପରିକି ଅଣୁଜୀବ ଗୁଡିକର ବିବିଧତା ଓ ସେଗୁଡିକର ସଂଖ୍ୟା ହିଁ ଜୀବମାନଙ୍କର ଜୀବନ ରକ୍ଷା ନିମନ୍ତେ ଅପରିହାର୍ଯ୍ୟ । କାରଣ ଜୈବବିବିଧତା ହିଁ ଯୋଗାଇଥାଏ ଅମ୍ଳଜାନ, ଖାଦ୍ୟ, ବସ୍ତ୍ର, ବାସ, ଇନ୍ଧନ, ଗୃହୋପକରଣ, ଔଷଧ ଏବଂ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ପଦାର୍ଥ । ଏପରିକି ପଦାର୍ଥର ପୁନଃଚକ୍ରଣରେ ମଧ୍ୟ ଜୈବବିବିଧତାର ବିଶେଷ ଭୂମିକା ରହିଛି । ତେଣୁ ଜୈବବିବିଧତାର ହ୍ରାସ ଜୀବନ ପ୍ରତି ଏକ ପ୍ରତ୍ୟକ୍ଷ ଆକ୍ରମଣ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ତେବେ ଜୈବବିବିଧତା ବିପନ୍ନ ହେବାର କାରଣ ଗୁଡିକ କଣ? ପ୍ରତିବର୍ଷ ଅନେକ ପ୍ରାଣୀ ଓ ଉଦ୍ଭିଦ ବିଲୁପ୍ତ ହୋଇଯିବାର ପ୍ରଧାନ କାରଣଗୁଡିକ ହେଉଛି, ସେମାନଙ୍କ ପାଇଁ ବାସୋପଯୋଗୀ ସ୍ଥାନର ଅଭାବ, ପରିବେଶ ପ୍ରଦୂଷଣ, ଅବିଚାରିତ ଭାବରେ ଶିକାର ଓ ଗଛକଟା, ବିଦେଶୀୟ ଉଦ୍ଭିଦ ଓ ଜୀବଜାତିର ଅନୁପ୍ରବେଶ ଏବଂ ଜାଗତିକ ଉଷ୍ମତା ଇତ୍ୟାଦି । ସୁତରାଂ ଜୈବ ବିବିଧତାର ସୁରକ୍ଷା ପାଇଁ ପଦକ୍ଷେପମାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ଏବଂ ଏହା ଜରୁରୀ ମଧ୍ୟ । ତେଣୁ ବିଶ୍ୱ ପରିବେଶ ଦିବସ ଅବସରରେ ଆମେ ସମସ୍ତେ ଶପଥ ନେବା ଓ ପରିବେଶର ସମସ୍ତ ଉପାଦାନ ଯେପରି ସୁରକ୍ଷିତ ରହନ୍ତି, ସେଥିପ୍ରତି ଯତ୍ନବାନ ହୋଇ ଖୁସିରେ ଜୈବ ବିବିଧତାର ଉତ୍ସବ ପାଳନ କରିବା ।

ବିଜ୍ଞାନ ଶିକ୍ଷକ, ଜୟଦୁର୍ଗା ହାଇସ୍କୁଲ୍
ନର୍ଲାରୋଡ, କଳାହାଣ୍ଡି
ମୋ: ୯୪୩୮୦୫୨୧୧୫

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta