ଇଷ୍ଟର୍ଣ୍ଣ ଫାଉଣ୍ଡେସନ୍ ଅଫ୍ ଆର୍ଟ ଆଣ୍ଡ୍ କଲଚର ଆୟୋଜନ କଲା ପଞ୍ଚମ ଜାତୀୟ ଚିତ୍ରକଳା ଉତ୍ସବ

● ଗୁଗୁଲ ମିଟ୍ ପ୍ଲାଟଫର୍ମରେ ହେଲା ଉଦଘାଟିତ

● ସୃଜନ ସମ୍ମାନ ଓ ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ଶିଳ୍ପୀ

ବାଲେଶ୍ଵର, ୨୮/୬ : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ୍ ଆର୍ଟ ଆଣ୍ଡ୍ କଲଚର୍ , ଓଡ଼ିଶା ପକ୍ଷରୁ ପଞ୍ଚମ ଜାତୀୟ କଳା ଉତ୍ସବ ଉଦଘାଟିତ ହୋଇ ଯାଇଛି। ଉତ୍ସବକୁ ‘ଇଫାକ୍’ର ସଭାପତି ବିଶିଷ୍ଟ ଚିତ୍ରକର ପ୍ରଦୀପ୍ତ କିଶୋର ଦାସ ଗୁଗୁଲ୍ ମିଟ୍ ପ୍ଲାଟଫର୍ମରେ ‘ଅନ୍-ଲାଇନ୍’ ସଭା ସଂଚାଳନ କରିଥିଲେ।

ଏହି ଉତ୍ସବରେ ଯୁବକବି, ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଲେଖକ ତଥା ଚିତ୍ରକର ଅମିତ୍ କାଲା ଓ ଯୁବ ଚିତ୍ରକର ପ୍ରଦୋଷ ସ୍ୱାଇଁ ଅତିଥି ଭାବରେ ଯୋଗ ଦେଇଥିଲି।

ଏହି ‘ଅନ୍-ଲାଇନ୍’ ଉତ୍ସବରେ ୧୦୦ ରୁ ଅଧିକ ଚିତ୍ରକର, ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇଥିଲେ। ପ୍ରଥମେ ପ୍ରଦୀପ୍ତ କିଶୋର ଦାସ ‘ଇଫାକ୍’ର ଉଦ୍ଦେଶ୍ୟ, ଗତ ବର୍ଷ ଅନୁଷ୍ଠିତ କାର୍ଯ୍ୟକ୍ରମର ବିବରଣୀ, କୋଭିଡ୍ ୧୯ ଯୋଗୁଁ କଳା ଉତ୍ସବକୁ ଡିଜିଟାଲ୍ ଫର୍ମାଟରେ ପାଳନ କରାଯିବା ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଏହାପରେ ଚଳିତବର୍ଷର ‘ସୃଜନ ସମ୍ମାନ’ ବିଜେତାଙ୍କ ନାମ ଏବଂ ‘ଇଫାକ୍’ର ପୁରସ୍କୃତ ଶିଳ୍ପୀଙ୍କ ନାମ ଘୋଷଣା କରାଯିବା ସହ ସେମାନଙ୍କର କଳାକୃତିକୁ ପ୍ରଦର୍ଶିତ କରାଯାଇଥିଲା।

ଅତିଥି ପ୍ରଦୋଷ ସ୍ୱାଇଁ ଏହି ମହାମାରୀ ସମୟରେ ଚିତ୍ରକରମାନେ କିଭଳି ବିପଦକୁ ଖାତିର୍ ନକରି ନିଜର ଚିତ୍ର ମାଧ୍ୟମରେ ସମାଜକୁ ସଚେତନ କରି ପାରିଛନ୍ତି, ସେ ବିଷୟରେ ଆଲୋକପାତ କରିଥିଲେ । ବର୍ତ୍ତମାନର କଳା, କଳାକାର ଓ ସେମାନଙ୍କ ଭବିଷ୍ୟତ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ। ଛାତ୍ରମାନଙ୍କୁ ତାଙ୍କ କଳା ସାଧନାର ନିଷ୍ଠାପର ରହିବାକୁ ସେ ମଧ୍ୟ ପରାମର୍ଶ ଦେଇଥିଲେ।

ଅତିଥି ଅମିତ୍ କାଲା କଳା ଓ ସୌନ୍ଦର୍ଯ୍ୟ ଶାସ୍ତ୍ର ଉପରେ ବିଶେଷ ଆଲୋଚନା କରିଥିଲେ। କଳାକାର ବ୍ରହ୍ମାଙ୍କ ସ୍ୱରୂପ। ସେ ସୃଷ୍ଟିର ପରମ ଆନନ୍ଦ ଲାଭ କରିଥାଏ। କୌଣସି ବିଷମ ପରିସ୍ଥିତିରେ ମଧ୍ୟ କଳାକାର ବିଭ୍ରାନ୍ତ ହୋଇ ନଥାଏ। ସୃଷ୍ଟି ଓ ରଚନାର ପ୍ରକ୍ରିୟା ହିଁ ସବୁଠାରୁ ମହତ୍ୱପୂର୍ଣ୍ଣ। ସେଥିପାଇଁ ପ୍ରତ୍ୟେକ ଶିଳ୍ପୀ ସୃଷ୍ଟିର ପ୍ରକିୟା ପ୍ରତି ଧ୍ୟାନ ଦେବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ ।

ଏହି ଉତ୍ସବରେ ଅଶୋକ କୁମାର ଗୁପ୍ତାଙ୍କ ନାମ ‘ସୃଜନ ସମ୍ମାନ’ ପାଇଁ ଘୋଷିତ ହୋଇଥିଲା। ୬୭ ବର୍ଷୀୟ ଶ୍ରୀ ଗୁପ୍ତା ବିହାରରେ ଜନ୍ମ ଗ୍ରହଣ କରି ଶାନ୍ତିନିକେତନରୁ କଳା ଶିକ୍ଷା ଲାଭ କରି ହରିଦ୍ଵାରକୁ ନିଜର କର୍ମସ୍ଥଳୀ ଭାବେ ବାଛି ନେଇଥିଲେ। ଉତ୍ତରାଖଣ୍ଡ ରାଜ୍ୟରେ କଳାର ଉନ୍ନତି ପାଇଁ ସେ ବହୁ କାର୍ଯ୍ୟ କରିଛନ୍ତି। ସେ ନୂତନ ପିଢିଙ୍କ ପାଇଁ ପ୍ରେରଣାର ଉତ୍ସ।
‘ଇଫାକ୍’ର ପ୍ରଫେସନାଲ୍ ବିଭାଗର ପୁରସ୍କୃତ ଶିଳ୍ପୀ ମାନେ ହେଲେ ସଂଚିତା ଗାଙ୍ଗୁଲି, (କଲିକତା) ଶ୍ରେଷ୍ଠକୃତି ପୁରସ୍କାର, ରଘୁନାଥ ଜେନା, ଲକ୍ଷ୍ମଣ, ଶ୍ରେଷ୍ଠ ପେଣ୍ଟିଂଗ୍ ପୁରସ୍କାର, ପ୍ରତାପ ମାନା, (କଲିକତା), ଶ୍ରେଷ୍ଠ ଡ୍ରଇଂ ପୁରସ୍କାର। ସେହିପରି ପ୍ରଫେସନାଲ୍ ବିଭାଗରେ ଉଚ୍ଚ ପ୍ରଶଂସନୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀମାନେ ହେଲେ ରାହୁଲ ଡିମାନ୍, (ଆମ୍ବଲାସିଟି), ସାମ୍ଭାପ୍ରସାଦ ବିଶ୍ୱାସ(ନଦିଆ ), କାର୍ତ୍ତିକ ଚନ୍ଦ୍ର ଦିଣ୍ଡା (ପୂର୍ବ ମେଦିନପୁର), ବିବେକ ପ୍ରକାଶ (ରାଜସ୍ଥାନ), ସରୋଜ ରାଣୀ (ବାରଣାସୀ), ଟିକମ୍ ଖଣ୍ଡପା (ଯୋଧପୁର୍), ନିଲୁକାନ୍ ବାରିଆ (ଯାଜପୁର), ତନୁଜ ମୃଧ୍ (ମେଦିନପୁର)। ସେହିପରି ଛାତ୍ର କଳା ବିଭାଗରେ ବାଲେଶ୍ଵର ଆର୍ଟ କଲେଜର ଛାତ୍ର କିଶୋର ଚନ୍ଦ୍ର ନାୟକଙ୍କୁ ଶ୍ରେଷ୍ଠ କୃତି ପୁରସ୍କାର, ଦିଲ୍ଲୀର ଶିବାଙ୍ଗି କାଳର ଶ୍ରେଷ୍ଠ ପେଣ୍ଟିଙ୍ଗ୍ ପୁରସ୍କାର, ମୁମ୍ବାଇର ଆର୍ଦଶ ରାକେଶ ପାଳନଦୀଙ୍କୁ ଶ୍ରେଷ୍ଠ ମୁଦ୍ରଣ କଳା ପୁରସ୍କାର, ଉତ୍ତରପ୍ରଦେଶର ପ୍ରଦୀପ କୁମାରଙ୍କୁ ଶ୍ରେଷ୍ଠ ଭାସ୍କର୍ଯ୍ୟ ପୁରସ୍କାର ପାଇଁ ମନନୀତ କରାଯାଇଛି।

ସେହିପରି ଛାତ୍ର ବିଭାଗର ଉଚ୍ଚ ପ୍ରଶଂସନୀୟ ପୁରସ୍କାର ପାଇଁ ରୁଶଲି ଜିସ୍ବଲ୍ (ବାରଣାସୀ), ରାମସ୍ଵମେର (ଲକ୍ଷ୍ନାଓ), ଉତ୍କର୍ଷ ଜୈସବଲ୍ (କୁରୁକ୍ଷେତ୍ର), ବିବେକ ଶାହ (କଲିକତା), ମାନି ଦାସ(ମାଲଦା), ସୁଧୀର କୁମାର ନାୟକ (କେନ୍ଦ୍ରାପଡ଼ା ଆର୍ଟ କଲେଜ) ମହେନ୍ଦ୍ର ପ୍ରତାପ (ମିର୍ଜାପୂର୍), କୁଲଦୀପ (ଚଣ୍ଡୀଗଡ଼) ପ୍ରଭୃତିଙ୍କୁ ମନୋନୀତ କରା ଯାଇଥିଲା।

ଏହି କଳା ଉତ୍ସବରେ ଭାରତର ବିଭିନ୍ନ ରାଜ୍ୟରୁ ଶିଳ୍ପୀ ସାମ୍ବାଦିକ ଓ ସାହିତ୍ୟିକମାନେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ କବି ଶ୍ରୀଦେବ, ଶିଳ୍ପୀ ଆର୍ଯ୍ୟପ୍ରଜ୍ଞା, ଦିଲୀପ ମଲିକ୍, ନୃସିଂହ ଚରଣ ଓଝା, ପ୍ରୀତମ ନାୟକ, ଦେବବ୍ରତ ଦେ, ଲକ୍ଷିତ ସୋନି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ମନୋଜ କୁମାର ସିଂହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.