୪ ଗିରଫ, କୋର୍ଟ ଚାଲାଣ
କଳାହାଣ୍ଡି: ବେଶ୍ କିଛିଦିନ ହେଲା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନାଞ୍ଚଳରେ ବାଇକ୍ ଚୋରଙ୍କ ଉତ୍ପାତ ବଢିବାରେ ଲାଗିଥିଲା । ଏପରିକି ଲାଞ୍ଜିଗଡ଼ ବଜାର, ଚନ୍ଦନପୁର ଖେଳପଡ଼ିଆ, ଧନୁଯାତ୍ରା ପଡ଼ିଆଠାରୁ ଚାରିରୁ ଉଦ୍ଧ୍ୱର୍ ବାଇକ୍ ଚୋରି ହୋଇଥିବାବେଳେ ଏଥିପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା । ତେବେ ବହୁଦିନର ଅପେକ୍ଷା ପରେ ଏବେ ଲାଞ୍ଜିଗଡ଼ ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଏକାଥରେ ମାଷ୍ଟର ମାଇଣ୍ଡର ଭାଇ ସମେତ ଚାରିଜଣ ବାଇକ୍ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ 8ଟି ଚୋରା ବାଇକ୍କୁ ଉଦ୍ଧାର କରିଛି ଲାଞ୍ଜିଗଡ଼ ପୁଲିସ । ଏହାସହିତ ଏକ ଆନ୍ତଃରାଜ୍ୟ ବାଇକ୍ଚୋରି ର୍ୟାକେଟ୍କୁ ଠାବ କରିବାରେ ପୁଲିସ ସକ୍ଷମ ହୋଇଛି । ପୁଲିସର ଏହି ସଫଳତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବାବେଳେ ଆଜି ଚାରିଜଣ ଅଭିଯୁକ୍ତଙ୍କୁ କୋର୍ଟ୍ଚାଲାଣ କରାଯାଇଛି । ଏନେଇ ଲାଞ୍ଜିଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, କିଛିଦିନ ହେଲା ଅଞ୍ଚଳରେ ବାଇକ୍ ଚୋରି ବୃଦ୍ଧି ପାଇବା ଘଟଣା ପୁଲିସର ମୁଣ୍ଡବ୍ୟଥା ବଢାଇ ଦେଇଥିବାବେଳେ ଏହି ଚୋରମାନଙ୍କୁ ଧରିବାକୁ ପୁଲିସ ଯୋଜନା ପ୍ରସ୍ତୁତ କରିବା ସହିତ ସୁଯୋଗ ଅପେକ୍ଷାରେ ଥିଲା । ଏଥିପାଇଁ ଏକ ପୁଲିସ ଟିମ୍ ଗଠନ କରାଯାଇଥିବାବେଳେ ଏହି ଟିମ୍ରେ ଲାଞ୍ଜିଗଡ଼ ଥାନାଧିକାରୀ ସଞ୍ଜୟ କୁମାର ମଣ୍ଡଳ, ନର୍ଲା ଥାନାର ସେକେଣ୍ଡ ଅଫିସର ରାଜେନ୍ଦ୍ର କୁମାର ମହାପାତ୍ର, ଲାଞ୍ଜିଗଡ ଥାନା ଏସ୍ଆଇ ବି. କୁଲଦୀପ, ଏଏସ୍ଆଇ ଶୁକଦେବ ଛତ୍ରିଆ, ହାବିଲଦାର କେ.ଏସ୍. ପଟେଲ, ହୋମଗାର୍ଡ ଭବାନୀଶଙ୍କର ସେଠୀ, ସୁନୀଲ ପେସନିଆ ପ୍ରମୁଖ ସାମିଲ ହୋଇଥିଲେ । ଏହି ପୁଲିସ ଦଳ ରାୟଗଡା ଜିଲ୍ଲାର ମୁନିଗୁଡା, କନ୍ଧମାଳ ଜିଲ୍ଲାର ବେଲଘର ଓ ଗୁମା ତଥା ବଲାଙ୍ଗିର ଓ ଭବାନୀପାଟଣା ଅଞ୍ଚଳରେ ଚଢଉ ଜାରି ରଖିଥିଲେ । ଏହାପରେ କୌଣସି ସୂତ୍ରରୁ ସୂଚନା ପାଇ ଏହି ଟିମ୍ ରାୟଗଡା ଜିଲ୍ଲା ଅମ୍ବାଦଳାରେ ଚଢଉ କରିବାବେଳେ ସେଠାରେ ଏହି ର୍ୟାକେଟ୍ର ଅନ୍ୟତମ ମାଷ୍ଟରମାଇଣ୍ଡ କୁହାଯାଉଥିବା ସାଗର ନାଏକକୁ ଧରିଥିଲା । ତାକୁ ଥାନାକୁ ଧରିଆଣି ପଚରାଉଚୁରା କରିବା ପରେ ସେ ତାସହିତ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କ ନାମ କହିବା ସହ ଚୋରା ବାଇକ୍ ଗୁଡିକ ସଂପର୍କରେ ସୂଚନା ଦେଇଥିଲା । ତାର ସୂଚନା ଆଧାରରେ ପୁଲିସ ନୂଆପଡା ଜିଲ୍ଲା ଖଡିଆଳ ଅଞ୍ଚଳପୁରର ତୀର୍ଥ ଠେଲା, ଗଜପତି ଜିଲ୍ଲା ବି. କଳାକଟାର ନିକଲେଶ ଶବର ଓ ଭଖରାର କୁଏଲ ନାଏକଙ୍କୁ ଧରିବା ସହ ସେମାନଙ୍କଠାରୁ ୮ଟି ବାଇକ୍ ଜବତ କରିଥିଲା । ଏନେଇ ଲାଞ୍ଜିଗଡ ଥାନା କେସ୍ ନଂ.୭୫/୨୦୧୮ ଓ ଭାରତୀୟ ଦଣ୍ଡବିଧି ସଂହିତାର ୩୭୯ ଦଫାରେ ଗିରଫ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି ଲାଞ୍ଜିଗଡ ପୁଲିସ । ତେବେ ଅଭିଯୁକ୍ତ ସାଗର ନାଏକକୁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିଲେ ହେଁ ରାୟଗଡା ଜିଲ୍ଲା ଗୁଣପୁରର ଜଣକ ସମେତ ତାର ଭାଇ ମାନସ ନାଏକ ଫେରାର ଥିବା ପୁଲିସ ଦର୍ଶାଇଛି । ସେଥିମଧ୍ୟରେ ଗୁଣପୁରର ଫେରାର ବ୍ୟକ୍ତି ଜଣକ ମୁଖ୍ୟ ଆସାମୀ ହୋଇଥିବା ପୁଲିସ ସନ୍ଦେହ କରୁଥିବାବେଳେ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପଡୋଶୀ ଛତିଶଗଡ ଓ ତେଲେଙ୍ଗାନା ଯାଏଁ ଏହି ବାଇକ୍ ଚୋରି ର୍ୟାକେଟ୍ର ଚେର ଲମ୍ବିଥିବା ପୁଲିସ ଆଶଙ୍କା କରୁଛି । ଜବତ ୮ଟି ବାଇକ୍ ମଧ୍ୟରୁ ବାତେଲିମାର 1ଟି ବାଇକ୍ ଥିବା ଲାଞ୍ଜିଗଡ ଥାନାଧିକାରୀ ଶ୍ରୀ ମଣ୍ଡଳ ସୂଚନା ଦେଇଥିବାବେଳେ ଏହି ଚଢଉ ପରେ ବାଇକ୍ଚୋରମାନଙ୍କ ମଧ୍ୟରେ ହୃତକମ୍ପ୍ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି ।
ସ୍ୱତନ୍ତ୍ର ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ odiabarta.in