ଦୀପ୍ତିମୟୀ ସିଂଙ୍କ କ୍ଷୁଦ୍ରଗଳ୍ପ : ଗୋଟେ କାରାବାସ ପଛର କାହାଣୀ

ଦୀପ୍ତିମୟୀ ସିଂ

ରଝୋ ରଝୋ ବର୍ଷା । ଚାରିଆଡେ ଶୂନ୍‌ଶାନ୍ । ରାତିର ବହଳ ଅଂଧାରରେ ଷ୍ଟ୍ରିଟ ଆଲୁଅ କାଇଁ ଧୂଆଁ ଧୂଆଁ ଲାଗୁଛି । ଏତିକି ବେଳେ ପିସିଆର୍ ଭେନ୍‌ର ସାଇରନ୍ ମନଟାକୁ ଆନ୍ଦୋଳିତ କରି ପକାଇଲା । ସାମ୍ନାରେ ସେଇ ଆଲୁଅ ତଳେ ବସିଛନ୍ତି ମନୋରମା ଓ ତାଙ୍କର ତିନି ବର୍ଷର ଝିଅ ମାନୁନି । ଗାଡି ଆସି ଅଟକିଗଲା ମନୋରମା ପାଖରେ । ବର୍ଷାର ଧାର ଗାଢ଼ ହେଲେ ବି ମନୋରମାଙ୍କ ଆଖିର ଲୁହଧାର ସ୍ପଷ୍ଟ ବାରି ହୋଇପଡୁଥିଲା । କୋଳରେ ତିନି ବର୍ଷର ରକ୍ତ ରଞ୍ଜିତ ଝିଅ । ତା ଦେହକୁ ଧରି ସ୍ତବ୍ଧ ହୋଇଯାଇଛନ୍ତି ସେ । ଗାଡିର ହର୍ଣ୍ଣ ବି ଶୁଭୁନି ତାଙ୍କୁ । ଗାଡିରୁ ଓହ୍ଲାଇ ଆସିଲେ ଦୁଇଜଣ ପୋଲିସ ବାବୁ । ସାଙ୍ଗେ ସାଙ୍ଗେ ପ୍ରଶ୍ନର ବାଣ? କିଛି ଶୁଭୁ ନାହିଁ ମନୋରମାଙ୍କୁ । ବାରମ୍ବାର ବାରମ୍ବାର ପ୍ରଶ୍ନ ପଚାରିବା ପରେ ବି ସେ ସ୍ତବ୍ଧ ନିଥର ନିଶ୍ଚଳ । କେତେ ଦୂରରେ ଦେଖିବାକୁ ପାଇଲେ ଜଣେ ପୁରୁଷର କ୍ଷତାକ୍ତ ଶରୀର ପଡିରହିଛି । ଧାଇଁ ଗଲେ ସମସ୍ତେ । ଲାଗୁଥିଲା ଏଇ କିଛି ସମୟ ପୂର୍ବରୁ କିଛି ଗୋଟିଏ ବଡ ଧରଣର ଅଘଟଣ ଯାଇଛି । ମନୋରମାଙ୍କ କୋଳରେ ଥିବା ନିଷ୍ପାପ ଝିଅଟିକୁ ଛୁଁଇଁଲା ପରେ ଜଣାପଡିଲା, ସେ ବଞ୍ôଚଛି ।
ଏତିକି ଶୁଣିଲା ପରେ ସତେ ଯେମିତି ସଞ୍ଜିବନୀର ସ୍ପର୍ଶ ପାଇଲେ ମନୋରମା । ଜୋର୍ ଜୋର୍‌ରେ ମାମୁନି ମା ମାମୁନି ମୋ ମାମୁନି, କହି ଲୁହ ପୋଛି ତାକୁ କୋଳରେ ଧରିବାକୁ ଲାଗିଲେ । କେବଳ ଗୋଟିଏ ଶବ୍ଦ ବୋଉ କହି ଚେତା ହରାଇଲା ମାମୁନି । ସାଙ୍ଗେ ସାଙ୍ଗେ ପୋଲିସଙ୍କ ସହାୟତାରେ ଡାକ୍ତରଖାନାକୁ ନେଇଗଲେ ମାମୁନିକୁ । ଦୂରରେ ପଡିଥିବା ସ୍ୱାମୀଙ୍କର ମୃତଦେହକୁ ଦେଖି ମଧ୍ୟ ଗାଡିରେ ବସି ଆଗେଇ ଚାଲିଲେ ଡାକ୍ତରଖାନାକୁ । ସ୍ୱାମୀଙ୍କୁ କୋଳେଇ ନେଇ ଅଭାଗିନିର ମଥା ପିଟିବାକୁ ତାଙ୍କ ପାଖରେ ସମୟ ନାହିଁ । ଯେତେ ଯେତେ ଗାଡି ଆଗକୁ ବଢୁଛି, ସେତେବେଳେ ମନୋରମାଙ୍କୁ ନିଜ ସ୍ୱାମୀଙ୍କ ଠାରୁ ଦୂରେଇ ଯିବାର ଯନ୍ତ୍ରଣା, ଦୋହଲାଇ ଦେଉଛି । ଲିଭିଯାଇଥିବା ସିନ୍ଦୂର ଗାର ଠାରୁ ବୋଧ ହୁଏ ଗର୍ଭକଷ୍ଟ ଅଧିକ । ଗାଡି ଯେତେ ଯେତେ ଆଗକୁ ବଢୁଛି, ମନୋରମାଙ୍କ ଆଖିର ଲୁହ ସେ ଗାଡିର ଚକ ତଳେ ଚାପିହୋଇଯାଇଛି । ଶେଷରେ ଦୂରରୁ ଶୁଭିଲା ହୋ ହାଲ୍ଲାର ଶଦ୍ଦ । ଯେଉଁଠି ଥାଏ ମୃତ୍ୟୁର ଶୋକ ତ ଶୁଣି ଜନ୍ମର ଆନନ୍ଦ । ହଁ ହଁ ଏଇଟା ଡାକ୍ତରଖାନା ହୋଇଥିବ ନିଶ୍ଚୟ । ଅଧା ରାତି ହୋଇଥିବାରୁ ଗହଳି ଚହଳି କମିଥିଲେ ବି ଶେଷ ହୋଇନାହିଁ । ସାଙ୍ଗେ ସାଙ୍ଗେ ମାମୁନି କି ନେଇଗଲେ ଅପରେସନ ଥିଏଟର୍ ଭିତରକୁ । ମନୋରମା ପ୍ରକୃତିସ୍ଥ ହେବାକୁ ଚାହୁଁଥିଲା । ବୁଝିବାକୁ ଚାହୁଁଥିଲା ପରିସ୍ଥିତିକୁ । କଣ ହୋଇଗଲା କିଛି ସମୟ ମଧ୍ୟରେ । ସତରେ ଏ ସ୍ୱପ୍ନ ନା ବାସ୍ତବ! ଏଇ ସମୟ ମଧ୍ୟରେ ବାହାରିଆସିଲେ ଡାକ୍ତର ଜଣେ । ଡାକିଲେ ପୋଲିସ ବାବୁଙ୍କୁ । କଣ କଥା ହେଲେ କେଜାଣି, ବୋଧେ କାନର ପରଦାରେ ମନୋରମାଙ୍କର ଦୀର୍ଘ ପାଚେରି ସୃଷ୍ଟି ହୋଇଛି । ଶୁଭୁନି କିଛି ତାଙ୍କୁ । ସେ ନିଜ ଅଜାଣତରେ ଫେରିଯାଇଛନ୍ତି କିଛି ସମୟ ପଛକୁ । ଖୁସିରେ ଫେରୁଥିଲେ ବାପା ଘରୁ ।ଗେଟ୍ ଟୁଗେଦର୍ ଥିଲା ସମସ୍ତ ପରିବାରର । ବୋଧେ ରାତି ଏଗାରଟା ହେଇଥିଲା । ବାପା ମନା କଲେ: ମାନୁ ଯାଆନି, ଏତେ ରାତିରେ କାହିଁକି ଯିବୁ
: ନାଇଁ ବାପା ପଳେଇବି । ସକାଳେ ତମ ଜ୍ୱାଇଁଙ୍କ ଅଫିସ୍ ଅଛି । ଡେରିହୋଇ ଯିବ । ପୁଣି ମାମୁନି ସ୍କୁଲ ବି ଯିବ । ସମସ୍ତଙ୍କଠୁ ହସର ଲହରିଭରା ବିଦାୟ ନେଇ ଆଗେଇ ଚାଲିଗଲେ ସେମାନେ । ସ୍ୱାମୀ ମନୋରଞ୍ଜନ ଓ ଝିଅ ମାମୁନିର ଥଟ୍ଟା ପରିହାସରେ ଶୂନ୍‌ଶାନ ରାସ୍ତା ବି ଲାଗୁଥିଲା ପରିପୂର୍ଣ୍ଣ । ଏତିକି ବେଳେ ଅଚାନକ୍ ତାଙ୍କ ସାମ୍ନାରେ ମୁହାଁମୁହିଁ ହେଲା ଗୋଟେ ବୋଲେରୋ । ଧଡ଼ାସ୍ କରି ପିଟିଦେଲା ବାଇକ୍‌କୁ । ଛିଟିକି ପଡିଲେ ତିନିଜଣ । ଚେତାଶୂନ୍ୟ ହୋଇଗଲେ । ଆଉ ଚେତା ଆସିଲା ବେଳକୁ ଯାହା ଦେଖିଲେ ମନୋରମା, ନିଜ ଆଖିକୁ ବିଶ୍ୱାସିପାରିଲେନି । ପୋଲିସ୍ ବାବୁ ଜଣକ ଡାକରେ ସେ ଏବେ ଲେଉଟିଲେ ଅତୀତରୁ ।

ପଚାରିଲେ: ଆପଣଙ୍କ କିଏ ନିଜଲୋକ ଅଛନ୍ତି ? ମୋବାଇଲ୍ ନମ୍ବର ଦିଅନ୍ତୁ । ଆମେ ଏଠାକୁ ତାଙ୍କୁ ଡକାଇବୁ ।
ବାପାଙ୍କର ଗେହ୍ଲା ଝିଅ ମନୋରମା । ଦୁଃଖ ଆସିଲେ ପ୍ରଥମେ ମନେ ପଡନ୍ତି ସେ । ହଲେ କାହିଁକି ତାଙ୍କ ନମ୍ବର ଆଜି ମନେପଡୁନି ।
:ମୋର ଆଉ କିଏ ନିଜର ଅଛନ୍ତି ? କେହି ନାହିଁ, କେହି ନାହିଁ ।
: ଧୈର୍ଯ୍ୟ ଧରନ୍ତୁ ମାଡାମ୍ ସବୁଠିକ୍ ହୋଇଯିବ । ଆପଣଙ୍କ ହାତରୁ ବହୁତରକ୍ତ ବାହାରୁଛି । ଚାଲନ୍ତୁ ଫା୍‌ଷ୍ଟ ଏଡ୍ କରାଇନେବେ ।
: ନା ମୋର ଦରକାର ନାହିଁ । ମୋତେ ଖାଲି କୁହନ୍ତୁ ମୋ ଝିଅ ମାମୁନି କେମିତି ଅଛି? ମୋ ଦେହରେ ଖଣ୍ଡିଆ ନାହିଁ ହେଲେ ତା ଦେହରେ ଏତେ ରାମ୍ପୁଡା ଚିହ୍ନ କେମିତି ?
କଣ ଉତ୍ତର ଦେବେ ବୁଝି ପାରୁନଥିଲେ ପୋଲିସ୍ ବାବୁ । କହିଲେ : ଅପେକ୍ଷା କରନ୍ତୁ । ସମୟ ଆସିଲେ ସବୁ ଜାଣି ପାରିବେ ଆପଣ ।
: ଆଉ କଣ ଜାଣିବି ସାର୍ ମୋ ସ୍ୱାମୀଙ୍କର ମୃତ୍ୟୁ ଦେହକୁ ଛାଡି ଆସିବାର ଯନ୍ତ୍ରଣା, ନାଁ ମୋ ଝିଅର ରକ୍ତାଙ୍କ ଦେହକୁ ଜାବୁଡି ଧରିବାର କଷ୍ଟ । କୁହନ୍ତୁ କୁହନ୍ତୁ ମୋତେ?
କଣ ହେଉଛି ମୋ ଛୁଆର, କଣ କିଛି ଗୋଟେ ହୋଇଛି… କ’ଣ କୁହନ୍ତୁ । ପାଟି ଖନେଇ ଗଲା ମନୋରମାର । : ଆପଣଙ୍କ ଝିଅ ସହିତ ଗେଙ୍ଗ୍‌ରେପ୍ ହୋଇଛି । ତା ଅବସ୍ଥା ଏବେ ସଙ୍କଟାପନ୍ନ ।
ଚମକିଗଲେ ମନୋରମା । କଣ କହିଲେ ରେପ୍‌! ତା ପୁଣି ତିନି ବର୍ଷର କଅଁଳିଆ ଛୁଆ ସହିତ? ଢାଏ କିନା ପଡିଗଲେ ତଳେ । ଏତିକି ବେଳେ ଓଟିରୁ ବାହାରିଆସିଲେ ଡାକ୍ତର ।
: ଝିଅକୁ ହୋସ୍ ଆସିଛି । ସେ ତା ମାକୁ ଖୋଜୁଛି । ଧାଇଁଗଲେ ମନୋରମା । ଦେଖିଲେ ଘରେ ଛାତ ଫଟଉଥିବା ତାଙ୍କର ସେଇ ନଟ୍‌ଖଟ ମାମୁନି ଆଜି ନିଶ୍ଚଳ ହୋଇ ପଡିରହିଛି ଚାରି ଗୋଡଥିବା ଗୋଟିଏ ନିର୍ଜୀବ ବସ୍ତୁ ଉପରେ । ଖଟର ଗଦିରେ ଜମ୍ପିଙ୍ଗ୍ ଜମ୍ପିଙ୍ଗ୍ କହି ଡେଉଁଥିବା ସେଇ ମାମୁନି ଆଜି ଖଟର କୋଳରେ ଶୋଇଛି ଡାକୁଛି ମା ମା! : କଣ ହେଲା ତୋର ।
: ମା’ମୋ ଦେହ କାଇଁ ଏମିତି ପୋଡୁଛି । ମତେ ସେ ଅଙ୍କଲ୍ ମାନେ ଭୁଲ୍‌ରେ ପାଉଡର ଜାଗାରେ ଲଙ୍କାଗୁଣ୍ଡ ଲଗେଇଦେଲେ କି ? ମା’ ସେ ଅଙ୍କଲ୍‌ମାନେ ଜମ୍ମାରୁ ଭଲ ନଥିଲେ । ବାପାଙ୍କୁ କହିବ ସମସ୍ତଙ୍କୁ ଗାଡି ଚେପେଇଦେବେ ।
: ତୁ ବେଶି କଥା କହନି ମାମୁନି ଆଉ କାନ୍ଦେନି । ଦେଖିକୁ କାଲି ତୁ ପୁରା ଠିକ୍ ହେଇଯିବୁ ।
: ମୁଁ କାନ୍ଦିବିନି .. ଯେ ମା.. ତୁ ବି ତ କାନ୍ଦୁଛୁ ? ଓ ହୋ.. ମୋ ପାଇଁ ନୁହଁ ମୁଁ ପରା କାଲି ଠିକ୍ ହୋଇଯିବି ।
: ପୁଣି କାଇଁ କାନ୍ଦୁଛ ମା .. ବାପା..କାହାନ୍ତି, କୁଆଡେ ଗଲେ? ମୋ ପାଖକୁ ଆସୁନାହାନ୍ତି ଯେ!
ଏତିକି ବେଳେ ଧଇଁସଇଁ ହେବାକୁ ଲାଗିଲା ମାମୁନି । ଜୋରରେ ଚିତ୍କାର କଲେ ମନୋରମା: ଡକ୍ଟର, ଡକ୍ଟର । ସାଙ୍ଗେ ସାଙ୍ଗେ ଅକ୍ସିଜେନ୍ ଦିଆଗଲା । କରୁଣ ଭାବରେ ଚାହିଁଥାଏ ମାମୁନି । ଘଡିଏ ପାଇଁକି ଚୁପ ହେଉନଥିବା ମାମୁନି, ଆଜି ତା ଆଖିରେ ସତେ ଯେମିତି କହି ଦେଉଛି ବାକିଥିବା ସବୁ କଥା । ମା’ର ହାତରୁ ଜୋରରେ ଧରିଥାଏ ଧିରେ ଧିରେ ହାତ ହୁଗୁଲିଗଲା । ପିଲାଦିନେ ହାତ ହୁଗୁଳିଗଲେ ସେ ପୁଣି ଜୋରରେ ଧରି ଚାଲୁଥିଲା, ସେ ପୁଣି କାହିଁ ଧରୁନି । ଏବେ ଆଉ କାହିଁ ଧରୁନି । ଧର ମାମୁନି ଧର…ତୋ ମାମା । ହାତକୁ ଧର ମାମୁନି, ତୁ ଛାଡନି ମୋ ହାତ ପଡିଯିବୁ । ଦେଖ ଦେଖ ତୋ ବାପା ଆସିବେ । ଡାକ୍ତର କହିଲେ ଆଉ କିନ୍ତୁ ହେଇ ପାରିବନି । ଆମର ସମସ୍ତ ଚେଷ୍ଟା ସତ୍ତ୍ୱେ ଆମେ ତାକୁ ବଞ୍ଚାଇ ପାରିଲୁନି । ଚାରିଆଡେ ପ୍ରଚାର ହେଇଗଲା ଖବର । ବାପା ଓ ଝିଅର ଜୁୁଇ ଜଳୁଥାଏ ଏକା ସାଙ୍ଗରେ । ସବୁବେଳେ ବାପା ଯୁଆଡେ ବାହାରିଲେ ମାମୁନି ତାଙ୍କ ସାଙ୍ଗରେ ଜିଦ୍ ଧରେ ଯିବା ପାଇଁ ବୋଧେ ଜିଦରେ ପଳେଇଗଲା ।
ନିସ୍ତବ୍ଧ ମନୋରମାର ଲୁହ ବି ଶୁଖିଗଲାଣି ଏଇ କିଛି ଦିନ ଭିତରେ । ଚାରିଆଡେ ଖାଲି ମିଡ଼ିଆ ଭାଷଣ । ଆପଣଙ୍କୁ ନ୍ୟାୟ ମିଳିବ । ଦୋଷୀଙ୍କୁ ଦଣ୍ଡ ମିଳିବ । ଏଇ କଥା ଶୁଣିଆସୁଛି ସବୁ ଜାଗାରୁ ।

ଆଜି କୋର୍ଟତାରିଖ । ମନୋରମା କୋର୍ଟକୁ ଯାଇଛି । ପ୍ରଥମ କରି ଦେଖିବେ ସେ ଦୋଷୀଙ୍କୁ । ସେମାନେ ଥିଲେ ତିନିଜଣ । ଦେଖିଲେ ଲାଗିବ ଏମାନେ ଜାଣିନାହାନ୍ତି, ମାମୁନି ସହିତ କଣ ହେଲା? ଚାଲିଲା କୋର୍ଟ ଶୁଣାଣି । ଏଇ ଭିତରେ ଜଣେ ଦୋଷୀର ବିବେକ ବୋଧେ ଜାଗ୍ରତ ହେଇଗଲା । ବଖାଣି ବସିଲା ସବୁ । ସେମାନେ ଥିଲେ ତିନିଜଣ । ରୁପେଶ, ସୁବୀର ଓ ଧିରଜ । ସମସ୍ତେ ଇଞ୍ଜିନିଅରିଂ କରନ୍ତି । ସେଦିନ ରାତିରେ ମାତ୍ରାଧିକ ମଦପିଇ ଗାଡି ଚଲାଉଥିଲେ । ବର୍ଷା କାରଣରୁ ରାସ୍ତାର ଗଳି କନ୍ଦି ବି ଅସ୍ପଷ୍ଟ ଦେଖାଯାଉଥିଲା । ଭୁଲରେ ସେମାନେ ପିଟିଦେଲେ ବାଇକ୍‌ରେ । ମନୋରଞ୍ଜନଙ୍କ ମୁତ୍ୟୁ ହେଲା । ମାତ୍ର ସ୍ତ୍ରୀ ଓ ଝିଅ ପଛରେ ବସିଥିବାରୁ ଦୂରକୁ ଝିଟ୍‌କିଗଲେ । ଧିରେ ଧିରେ ମାମୁନିର ଚେତା ଫେରିଆସିବାକୁ ଲାଗିଲା । ମାମୁନି ସେମାନଙ୍କ ବିଷୟରେ ସମସ୍ତଙ୍କୁ କହିଦେବ । ଏଇ ଭୟରେ ସେମାନେ ସେହି ମୁର୍ମୁଷ ଅବସ୍ଥାରେ ହିଁ ନିଶାରେ ଚୁରମାର ହେଇ ଝିଅଟି ମୁତ୍ୟୁ କି ଜୀବିତ, ତାହା ସେମାନେ ଜାଣିପାରିନଥିଲେ । ମାମୁନିଙ୍କୁ ମରିଯାଇଥିବ ଭାବି ସେମାନେ ଛାଡି ଚାଲିଯାଇଥିଲେ ଯେତେବେଳେ ମନୋରମାଙ୍କ ଚେତା ଆସିଲା । ସେତେବେଳକୁ ବହୁ କଷ୍ଟରେ ଖୋଜି ସେ ମାମୁନିକୁ କୋଳରେ ଧରି ଏକ ଲାଇନ ଖୁଣ୍ଟ ସାମ୍ନାରେ ବସିଥିଲେ । ଯାହାପରେ ପୋଲିସ ମନେରାମାଙ୍କୁ ଦେଖିଥିଲା । ଏତିକି ଭିତରେ କୋର୍ଟ ପରିସରରେ ହୋ ହାଲ୍ଲା ଚାରିଆଡେ । ଜଜ୍‌ଙ୍କର ଶୁଣାଣି ଆସିଲା । ଏ ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବ । ଏତିକି ଶୁଣିଲା ପରେ ଦୁର୍ଗା ରୂପକୁ ଚାଲିଆସିଲେ ମନୋରମା । ରାଗରେ ଚିତ୍କାର କରିବାକୁ ଲାଗିଲେ ରହିଯାଆନ୍ତୁ: ଜଜ୍ ମହାଶୟ । ମତେ କିଛି କହିବାକୁ ଦିଅନ୍ତୁ । ଅନୁମତି ମିଲିଲା ମନୋରମାଙ୍କୁ । କାଠଗଡା ଭିତରକୁ ଗଲେ ସେ । ଲୁହ ଛଳଛଳ ଆଖିରେ ସେ ଜଜ୍‌ଙ୍କ ମୁହଁକୁ ଚାହିଁ କହିଲେ
: ଏମାନଙ୍କୁ ଆଜୀବନ କାରାଦଣ୍ଡ ଦେଉଛନ୍ତି ଆପଣ! ଆଜୀବନ ଦଣ୍ଡ ତ ମତେ ମିଳିଛି । ମୋ ସିନ୍ଦୁର ଓ ମୋ କୋଳକୁ ଶୂନ୍ୟ କରିଥିବା ଏ ଅପରାଧୀଙ୍କୁ ଯେଉଁ ଦଣ୍ଡ ଦେଲେ ବି କମ୍ ପଡ଼ିଯିବ ।
ବିଧାତା, ମା’କୁ ଜନ୍ମ ଦେବାର ଅଧିକାର ତ ଦେଲା । ହେଲେ କିଏ ଏମାନଙ୍କୁ ଅଧିକାର ଦେଲା, ମୋ କୋଳକୁ ଶୂନ୍ୟ କରିବାକୁ? ମୋର କେବଳ ଗୋଟିଏ ଅନୁରୋଧ ମୋ ଅଂଶ, ମୋ ଆତ୍ମାକୁ ଯେଉଁମାନେ ବିଚ୍ ରାସ୍ତାରେ ପକେଇ ଦେଲେ; ମୋତେ ବି ସେମାନଙ୍କୁ ଟିକ୍ ଟିକ୍ କରି ମାରି ଫୋପାଡି ଦେବାର ଅଧିକାର ଦିଆଯାଉ । ତା ହେଲେ ଆପଣ ନ୍ୟାୟର ଦେବତା ହେବେ! ନିସ୍ତବ୍ଧ ଥିଲେ ଜଜ୍ । ଜଣେ ମା’ର ଏଭଳି ଏକ ଦମ୍ଭିଲାପଣରେ ନୀରବିଯାଇଥିଲା ସମଗ୍ର କୋର୍ଟ ।

 

ଦର୍ପନସାଗର ଲେନ୍‌, ମନ୍ଦାରବଗିଚା ପଡ଼ା, ଭବାନୀପାଟଣା
ମୋ: ୯୮୫୩୯୮୪୫୮୦

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.