ପଶ୍ଚିମାଞ୍ଚଳର କୃଷିଭିତ୍ତିକ ପର୍ବ ପୁଷ୍ ପୁନି : ଏକ ଆଲୋଚନା

ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା

ପଶ୍ଚିମାଞ୍ଚଳରେ ପୌଷମାସର ପୂର୍ଣ୍ଣମୀ ତିଥିରେ ‘ପୁଷ୍ ପୁନି’ ପର୍ବ ପାଳିତ ହୋଇଥାଏ । ଏହା ଏକ କୃଷିଭିତ୍ତିକ ପର୍ବ । ଏହାକୁ ସ୍ୱାଧୀନତାର ପର୍ବ ମଧ୍ୟ କୁହାଯାଇପାରେ । ସାହୁକାର ନିଜ କୃଷି କର୍ମରେ ସହାୟତା କରିବାପାଇଁ କୃଷିର ଆରମ୍ଭରେ ଜଣେ ବ୍ୟକ୍ତିକୁ ପାରିଶ୍ରମିକ ଦେଇ ରଖେ । ସେଇ ଶ୍ରମିକ ମାଘ ମାସରେ ଆସି ତା’ର ମାସିକ ମଜୁରୀ ନିର୍ଣ୍ଣୟ କରିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ କଥାବାର୍ତ୍ତା କରେ । ଉଭୟ କୃଷକ ଓ ଶ୍ରମିକ ମୌଖିକ ଭାବରେ ଚୁକ୍ତିବଦ୍ଧ ହୋଇଥାନ୍ତି ଯେ ପୌଷ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରମିକ ତା କାମରେ ତଥା ସାହୁକାର ତାକୁ ମାସିକ ମଜୁରୀ ଦେବାରେ କେବେ ଖିଲାପ କରେ ନାହିଁ । ସତକୁ ସତ ସରଳ କନ୍ଧ ଶ୍ରମିକଟିଏ କେବେ ତା କଥାରେ ଖିଲାପ କରେ ନାହିଁ । ସେ ନିଜ କର୍ତ୍ତବ୍ୟକରି ଚାଲିବା ଭିତରେ ଚାତକ ଭଳି ପୁଷ୍ ପୁନିକୁ ଅପେକ୍ଷା କରିଥାଏ । ଯେଉଁଦିନ ପୌଷ ପୂର୍ଣ୍ଣମୀ ହୁଏ ସେଦିନ ହୁଏ ସାହୁକାରକୁ ଦେଇଥିବା କଣ୍ଟ ଅନୁସାରେ ସ୍ୱାଧୀନ ହୋଇଥାଏ । ସେଦିନ ଆସନ୍ତା ବର୍ଷ ଶ୍ରମିକ ଭାବରେ କାର୍ଯ୍ୟ କରିବ ନା ଅନିଶ୍ଚିତ ମଜୁରୀଠୁ ରକ୍ଷା ପାଇବା ଲାଗି ପୁଣି ସେଇ ସାହୁକାର ଘରେ ବା ଅନ୍ୟଘରେ ଚୁକ୍ତି କରିବ ସେକଥା ସ୍ଥିର କରେ । ସେ ଯା’ହେଉ ପୌଷ ପୂର୍ଣ୍ଣମୀ ଦିନ ସେ ସଂପୂର୍ଣ୍ଣ ସ୍ୱାଧୀନ ଥାଏ । ସେହିଦିନୁ ଯେତେଦିନ ଇଚ୍ଛା ସେ ସ୍ୱାଧୀନ ଭାବରେ ରହିପାରେ । ଏହି ପର୍ବ ସାଧାରଣତଃ କୃଷି ବର୍ଷ ସମାପ୍ତିର ଦିନ ।

ନାରୀମାନେ ପୁଷ୍ ପୁନି ପୂର୍ବଦିନ ଅରୁଆ ଚାଉଳ ବତୁରାଇ ଢିଙ୍କିରେ ଚୁନାକୁଟି ରାତ୍ରିରେ ଆରିସା, କାକରା, ସୁଆଁଲି, ମଣ୍ଡା ଆଦି ପିଠା ଛାଣନ୍ତି । ଏହି ପିଠା ଛାଣିବା ବାସ୍ନାରେ ସମଗ୍ର ଗ୍ରାମ୍ୟ ପରିବେଶ ଚହଟି ଉଠୁଥାଏ । ପରଦିନ ସକାଳେ ସମସ୍ତ ଲୋକେ ଗାଧୋଇ ପାଧୋଇ ସାରି ନିଜ ଇଷ୍ଟ ଦେବତାଙ୍କ ଠାରେ ପୂଜା କରିବା ପରେ ସମସ୍ତ ପରିବାରର ସଦସ୍ୟ ଏକତ୍ର ବସି ପିଠା, ଖିରି, ପଣା, ସହିତ ଭାତ, ମାଛ, ମାଂସ ଆଦି ଖାଇଥାନ୍ତି । ଯେଉଁମାନେ ମଦ୍ୟପାନ କରନ୍ତି ସେମାନଙ୍କ ଲାଗି ସେଦିନ କୌଣସି କଟକଣା ନଥାଏ ।

ସଂଧ୍ୟା ସମୟରେ କନ୍ଧ ପୁରୁଷମାନେ ଘରଘର ବୁଲି ନାଚଗୀତ କରିଥାନ୍ତି । ଏହି ସମୟରେ ସେମାନେ ଯେଉଁ ଘର ଆଗରେ ଛିଡା ହୋଇ ପିଠା ଧାନ ଆଦି ମାଗନ୍ତି ସେତେବେଳେ ଧୁଡୁକି ବାଦ୍ୟ ବାଜୁଥାଏ । ସେଇ ବାଦ୍ୟର ତାଳେ ତାଳେ ଏକ ନିର୍ଦ୍ଦିଷ୍ଟ ଲୋକ ଗୀତ ଗାନ କରିବା ଦେଖାଯାଏ । ଯାହାକି ସମଗ୍ର ପରିବେଶକୁ ହାସ୍ୟୋଦ୍ଦୀପକ ତଥା ଉତ୍ସବମୁଖର ପରିବେଶ ସୃଷ୍ଟି କରେ । ଗୀତଟି ହେଉଛି-

ଛେର୍, ଛେର୍ ଛେରା
ଇ ଘର ବୁଢୀ କାଇଁଗଲା ?
କୁଣା ଖାଇ ଖାଇ ଛେରେଇ ହେଲା
ଛେର୍, ଛେର୍ ଛେରା ।

ଆଏଜ ପୁନି କାଏଲ ପୁନି
ଫଟା ଲୁଗା ତୁନାତୁନି
ଛେର, ଛେର୍ଛେରା ।
ଠାନ୍ ଠୁ୍ନ କଲାନେ
ଦେମି ଦେମି ବଏଲାନେ
ଛେର୍ ଛେରଛେରା ।

ଫଟା ମୁଡାର କଲାଜିଆଁ
ଧାନ ନାଇଁ ଦିଆ ଚଉଲ ଦିଆ
ଛେର୍ ଛେର୍ ଛେରା ।

ଆଏଜ୍ ଫୁଷ, କାଏଲ ଫୁଷ୍
ପୁରାହିଟା ଠୁସ ଠୁସ୍
ଛେର୍ ଛେର୍ ଛେରା ।

ଏଠାରେ ‘ଛେର୍’ର ଅର୍ଥ ‘ଦିଅ’ ଓ ‘ଛେର୍ ଛେରା’ ଶବ୍ଦର ଅର୍ଥ ‘ମେଲାଣି’ ବୋଲି ବୁଝିବାକୁ ହୁଏ । ଏହିପରି ଅନେକ ପଦ ଘରଘର ବୁଲ ଛେର୍ ଛେରା ମାଗିଥାନ୍ତି । ଘର ଭିତରୁ ଜଣେ ମହିଳା ଏକ ଛୋଟ ଟୋକେଇରେ ପିଠା, ଖିରି, ଭାତ ଆଦି ଖାଇବାକୁ ଦେଇଥାନ୍ତି । ଏହାବ୍ୟତୀତ ସେମାନଙ୍କୁ ଧାନ, ଚାଉଳ ଆଦି ଦେଇ ବିଦାୟ ଦେଇଥାନ୍ତି । ଏହିଦିନ ଗ୍ରାମର ଯୁବକମାନେ ବିଭିନ୍ନ ଗୀତ, ନୃତ୍ୟ ଓ ଯୁବତୀମାନେ ହୁମୋ, ପୁଚି ଆଦି ଖେଳ ପରିବେଷଣକରି ଜନମନ ହରଣ କରିଥାନ୍ତି । ଏହି ପର୍ବ ପାଳନ ବେଳେ ସେମାନେ ଭୁଲିଯାଅନ୍ତି ତାଙ୍କ ଅଭାବୀ ଜଞ୍ଜାଳଗ୍ରସ୍ତ ଦୁଃଖ ଜୀବନର କଥା । ଏହି ଦିନଟି ତାଙ୍କ ଲାଗି ପାଲଟିଯାଏ ନିଜକୁ ହଜେଇ ଦେବାର ଏକ ଅମୂର୍ତ୍ତ ମୂହୁର୍ତ୍ତ ।

ଗବେଷକ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାର
କୁଶୁର୍ଲା, କଳାହାଣ୍ଡି

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.