ଭୁବନେଶ୍ବର,୨୦/୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କଂଗ୍ରେସରୁ ବହିଷ୍କୃତ ହେବା ପରେ ଉଗ୍ର ରୂପ ଧାରଣ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ମନ ଭିତରେ ଥିବା ସବୁ ଅକୁହା କଥା ପ୍ରକାଶ କରିଛନ୍ତି ।
ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଗଠବନ୍ଧନ ଥିବା ଅଭିଯୋଗ ଆଣି ଶ୍ରୀକାନ୍ତ କହିଛନ୍ତି କି, ରାହୁଲ ଗାନ୍ଧି ଏବଂ ବିଜେଡି ସୁପ୍ରିମୋଙ୍କ ମଧ୍ୟରେ ମହାଗଠବନ୍ଧନ ହୋଇଛି । ଏହି ମହାଗଠବନ୍ଧନ ବିରୋଧରେ ଲଢେଇ ହେବ । ଆସନ୍ତା ଜାନୁଆରୀ ୨୫ରେ ରାହୁଲ ଗାନ୍ଧି ଓଡିଶା ଆସିବେ, ସେଦିନ ଏନେଇ ମହାଖୁଲାସା ହେବ ଓ ଏହାପରେ ରାହୁଲ ଦେଶବାସୀଙ୍କୁ ମୁହଁ ଦେଖାଇ ପାରିବେ ନାହିଁ ।
ଆଗକୁ ଶ୍ରୀକାନ୍ତ କହିଲେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି । ରାହୁଲ ଗାନ୍ଧୀ ଖଣିମାଫିଆଙ୍କ ସହ ମହାଗଠବନ୍ଧନ କରିଛନ୍ତି । ଓଡିଶାକୁ ଲୁଟ କରିବାରେ କଂଗ୍ରେସର ପଟ୍ଟନାୟକ, ନବୀନ ପଟ୍ଟନାୟକ ଓ ରାହୁଲ ଗାନ୍ଧୀ ହାତ ମିଳାଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶ୍ରୀକାନ୍ତ ଜେନା ।
ଏଠାରେ ସୂଚନା ଯୋଗ୍ୟ ଯେ, ଦଳବିରୋଧୀ କାର୍ଯ୍ୟ ଯୋଗୁଁ ଗତକାଲି କଂଗ୍ରେସରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ବହିସ୍କୃତ ହୋଇଥିଲେ ।