ନୂଆପଡ଼ା : ଅନ୍ତ ହେଲା ଚାଷୀଙ୍କ ଜଳ ଯୁଦ୍ଧ

ନୂଆପଡ଼ା,୨୪ା୧: ନୂଆପଡ଼ାରେ ଚାଷୀଙ୍କ ଜଳଯୁଦ୍ଧର ଅନ୍ତ ଘଟିଛି। ସ୍ୱଭିମାନୀ ଚାଷୀଙ୍କ ଆଗରେ ଜିଲ୍ଲା ପ୍ରଶାସନ ନରମିଛି। ଅପର ଜୋଙ୍କ ଜଳସେଚନ ପ୍ରକଳ୍ପରେ ତଳମୁଣ୍ଡ ଚାଷୀ ପାଣି ପାଇଥିବାବେଳେ ଉପର ମୁଣ୍ଡ ଚାଷୀଙ୍କ ଦାବି ପୂରଣ ପାଇଁ ପ୍ରଶାସନ ପ୍ରତିଶୃତି ଦେଇଛି। ଜିଲ୍ଲାପାଳ ଡା. ପୋମା ଟୁଡୁ ଖୋଦ ଆନ୍ଦୋଳନ ସ୍ଥଳକୁ ଯାଇ ଉପର ମୁଣ୍ଡ ଚାଷୀଙ୍କୁ ନିର୍ଭରଯୋଗ୍ୟ ପ୍ରତିଶୃତି ଦେବା ପରେ ଦୀର୍ଘ ୨୯ ଦିନ ଧରି ଚାଲିଥିବା ଆନ୍ଦୋଳନର ଅବସାନ ଘଟିଛି।

ହାଇକୋର୍ଟର ନିର୍ଦ୍ଦେଶ ପାଳନ କରି ଜିଲ୍ଲା ପ୍ରଶାସନ ତଳମୁଣ୍ଡର ଚାଷୀଙ୍କୁ ପାଣି ପ୍ରଦାନ କରିଥିବା ବେଳେ ଉପର ମୁଣ୍ଡର ଦାବି ସମୂହକୁ ପୂରଣ କରିବାକୁ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି । କାଲି ସନ୍ଧ୍ୟାରେ ତଳ ମୁଣ୍ଡର ଚାଷୀଙ୍କ ପାଇଁ ପାଣି ଛଡା ଯାଇଥିବାରୁ ରବି ଫସଲ କରିବାକୁ ଆଶା ବାନ୍ଧିଛନ୍ତି ଚାଷୀକୁଳ।

ଗତକାଲି ଅପରାହ୍ନ ପ୍ରାୟ ୨ଟା ୩୦ମି.ରେ ଜିଲ୍ଲାପାଳ ଡା. ପୋମା ଟୁଡୁ, ଏସପି ସ୍ମିତ ପି ପରମାର ପଞ୍ଚମପୁରଠାରେ ଯୋଗେଶ୍ୱର କୃଷକ ମଞ୍ଚ ତରଫରୁ ଉପରମୁଣ୍ଡ ଚାଷୀଙ୍କୁ ନେଇ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ଯାଇଥିଲା । ଜିଲ୍ଲାପାଳ ଓ ଏସପିଙ୍କୁ ଆନ୍ଦୋଳନକାରୀ ଚାଷୀ ଫୁଳତୋଡା ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ପ୍ରସନ୍ନ ଚନ୍ଦ୍ର ମହାପାତ୍ର, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରସନ୍ନ ପାଢ଼ୀ, ସିଭିଲ ବାର ଏସୋସିଏସନ ସମ୍ପାଦକ ବିଶ୍ୱମଣି ପାଣିଗ୍ରାହୀ, ଆଇନଜୀବୀ କୁମୁଦ ହୋତା ପ୍ରମୁଖ ଉପସ୍ଥିତ ଥିଲେ।


ଆନ୍ଦୋଳନରତ ଚାଷୀଙ୍କୁ ଜିଲ୍ଲାପାଳ କହିଥିଲେ ଯେ, ହାଇକୋର୍ଟର ଆଦେଶକୁ ସମ୍ମାନ ଦେଇ ଚଳିତ ବର୍ଷ ରବି ଫସଲ ପାଇଁ ତଳ ମୁଣ୍ଡର ଚାଷୀଙ୍କୁ ପାଣି ପ୍ରଦାନ କରିବା ଆମ କର୍ତ୍ତବ୍ୟ । ଆସନ୍ତା ବର୍ଷ ରବି ଫସଲ ଭିତରେ ଆମେ ରାଜ୍ୟ ସରକାରଙ୍କୁ ଜଣାଇ ବନ ବିଭାଗର ଅନୁମତି ନେଇ ପ୍ରକଳ୍ପରେ ୩୫୪ ମିଟର ପାଣି ସଂରକ୍ଷଣ କରାଯିବ ଓ ଅଧିକ ପାଣି ଗଚ୍ଛିତ ରହିଲେ ରବି ଫସଲ ପାଇଁ ସହଜରେ ଉଭୟ ମୁଣ୍ଡର ଚାଷୀଙ୍କୁ ପାଣି ପ୍ରଦାନ କରାଯିବ। ଏଥିପାଇଁ ତୁରନ୍ତ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯିବ। ଆସନ୍ତା କାଲି ଅପର ଜୋଙ୍କ ଜଳସେଚନ ପ୍ରକଳ୍ପର ୭ଟି ପାଣି ପଞ୍ଚୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ଅନ୍ୟ ୧୩ଟି ପାଣି ପଞ୍ଚାୟତ ନିର୍ବାଚନ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। କୋର୍ଟର ରହିତାଦେଶ ପ୍ରତ୍ୟାହାର ହେବା ପରେ ତୁରନ୍ତ ନିର୍ବାଚନ ହେବ। ଉପରମୁଣ୍ଡର ଚାଷୀଙ୍କ ଦାବି ଅନୁସାରେ ସହକାରୀ ନିର୍ବାହୀଯନ୍ତ୍ରୀ ଇଂ କବିରାଜ ବେହେରାଙ୍କୁ ଜୋଙ୍କରୁ ପ୍ରତ୍ୟାହର କରାଯିବ। ସେହିପରି ରୋଟେସନ ଭିତ୍ତିରେ ପାଣି ଆବଣ୍ଟନକୁ ରଦ୍ଦ କରାଯିବ। ଆଗାମୀ ଦିନରେ ପାଣି ପଞ୍ଚାୟତ ନିୟମ ମୁତାବକ ପାଣି ଆବଣ୍ଟନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।


ଜିଲ୍ଲାପାଳଙ୍କ ପ୍ରତିଶୃତି ପାଇ ଉପରମୁଣ୍ଡ ଚାଷୀ ଆନ୍ଦୋଳନରୁ ଓହରି ଥିଲେ। ଚାଷୀ ପୁରୁଷୋତ୍ତମ ଦେବାଙ୍ଗନ, ଯମୁନାଲାଲ ୟାଦବ, ଲାଲସିଂ ମାଝି, ବିକାଶ ସାହୁ, ବିନୟ କୁମାର ବିଶି, ରାମଚରଣ ସାହୁ, ଲକ୍ଷ୍ମଣ ରାଉତ, ଟିକେଶ୍ୱର ୟାଦବ, ଶୋଭାରାମ ସାହୁ, ସନ୍ତୋଷ ସାହୁ, ଧରମବନ୍ଧା ସମିତିସଭ୍ୟ ଭୁନେଶ୍ୱରୀ ଦଣ୍ଡସେନା ପ୍ରମୁଖ ହଜାର ହଜାର ପୁରୁଷ ଓ ମହିଳା ଚାଷୀ ଉପସ୍ଥିତ ଥିଲେ ।

ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଆଇନଜିବୀ ଟିମ କେନାଲ ହିଡରେ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲକୁ ଯାଇଥିଲେ। ଅପରାହ୍ନ ସାଢେ ୩ଟାରେ ପ୍ରକଳ୍ପର ପାଣିକୁ ଅନୁଧ୍ୟାନ କରି ତଳ ମୁଣ୍ଡର ଚାଷୀଙ୍କୁ ଚାଷ ପାଇଁ କେନାଲ ଗେଟ ଖୋଲିଥିଲେ। ସନ୍ଧ୍ୟା ୬ଟାରେ ଶାନ୍ତି ଶୃଙ୍ଖଳା ସହିତ ଆନ୍ଦୋଳନ ସ୍ଥଳ ଅତିକ୍ରମ କରି ପାଣି ତଳ ମୁଣ୍ଡକୁ ଆସିଥିଲା। ପୂର୍ବରୁ ଜିଲ୍ଲା ପ୍ରଶାସନର ଆନ୍ତରିକତା ଅଭାବରୁ କୌଣସି ସମାଧାନ ହୋଇ ପାରୁନଥିଲା। ତେବେ ଏବର ଜିଲ୍ଲାପାଳ ନିଜେ ଆଗେଇ ଆସି ବିଭିନ୍ନ ସଂଗଠନ ସହ ମାରାଥନ ବୈଠକ କରି ସମାଧାନ ପାଇଁ ବିଚାର ବିମର୍ଶ କରିଥିଲେ। ଶେଷରେ ଉପରମୁଣ୍ଡର ସ୍ୱଭିମାନୀ ଚାଷୀ ଆଗରେ ପ୍ରଶାସନ ନରମି ଯାଇ ସମାଧାନ କରିବାରେ ସଫଳ ହୋଇଥିଲା। ଏବେ ତଳ ମୁଣ୍ଡର ଚାଷୀ ରବି ଫସଲ ପାଇଁ ପାଣି ପାଇ ଖୁସି ବ୍ୟକ୍ତ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ବରିଷ୍ଠ ଆଇନଜୀବୀ ପ୍ରସନ୍ନ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡା. ଟୁଡୁ, ଏସପି ଶ୍ରୀ ପରମାର, ଜୋଙ୍କ ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ଚରଣ ସାହୁ, ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ପାଢ଼ୀ, ସିଭିଲ ବାର ଏସୋସିଏସନ ସମ୍ପାଦକ ଶ୍ରୀ ପାଣିଗ୍ରାହୀ ସମେତ ବହୁ ଆଇନଜୀବୀ, ପାଣି ପଞ୍ଚାୟତ ଶୀର୍ଷ କମିଟି ଅଧ୍ୟକ୍ଷ ରାଜେଶ ନିଗମ, ପାଣି ପଞ୍ଚାୟତ ସଭାପତି ଧନୀରାମ ସାହୁ, ମହେଶ ନିଆଲ, ରାଜେଶ ସାହୁ, ଅଶୋକ ମିତ୍ର, ଯୋଗେଶ୍ୱର କୃଷକ ମଞ୍ଚ ସଭାପତି ପ୍ରକାଶ ଦୀକ୍ଷିତ, ଆବାହକ ଭରତଲାଲ ରାଉତ, କମଲେଶ ଦୀକ୍ଷିତ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

ଜିଲ୍ଲାପାଳ ଦେଇଥିବା ପ୍ରତିଶୃତି ଉପରେ ଉକ୍ତ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଉଭୟ ପକ୍ଷ ରାଜି ହେବାରୁ ଉପର ମୁଣ୍ଡ ଚାଷୀଙ୍କ ଅନୁରୋଧ କ୍ରମେ ଜିଲ୍ଲାପାଳ ଓ ଏସପି ଆନ୍ଦୋଳନ ସ୍ଥଳକୁ ଯାଇ ପ୍ରତିଶୃତି ଦେଇଥିଲେ।

ନୂଆପଡ଼ାରୁ ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ୍ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.