ମୌର୍ଯ୍ୟ ସାମ୍ରାଜ୍ୟର ସମସାମୟିକ ଅସୁରଗଡ

ଭୀମକେଲା ଗ୍ରାମରୁ ମିଳିଲା ପୁଣି ଏକ ପୁରାତନ ମୂର୍ତ୍ତି

ଭୂବନେଶ୍ବର,୨୪/୧: ଭାରତର ବିଭିନ୍ନ ପ୍ରାଚୀନ ସଭ୍ୟତା ମଧ୍ୟରୁ ଅସୁରଗଡ ଅନ୍ୟତମ । କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ ଅନ୍ତର୍ଗତ ଅସୁରଗଡ ହେଉଛି ଅସୁରଗଡ ନଗରୀର କେନ୍ଦ୍ରୀୟଗଡ। ମୁଖ୍ୟଗଡ ସମେତ ଏହାର ବାହ୍ୟ ପ୍ରାଚୀର ଚତୁଃପାଶ୍ୱରେ ଥିବା ଭୀମକେଲା, ଲାଖଗୁଡା, ଢେକୁନପଡା, ରେଖପୁର, ଦେହେଲି, ନର୍ଲା, ବିଲାଟ, ମାଣ୍ଡେଲ, ପିପଲପଦର, ଦେବଗିରି(ବୁଢୀପଦର), ଶ୍ରୀପୁର ପ୍ରଭୃତି ଗ୍ରାମରୁ ମୂଲ୍ୟବାନ ପ୍ରତ୍ନତାତ୍ୱକ ଅବଶେଷମାନ ପ୍ରାପ୍ତ ହୋଇଛି। ଏହି ସବୁ ପ୍ରାତ୍ନତାତ୍ତ୍ବିକ ଉପାଦାନ ପାଇଁ ଅସୁରଗଡ ଭାରତର ପ୍ରାତ୍ନତାତ୍ତ୍ବିକ ମାନଚିତ୍ରରେ ସ୍ଥାନ ପାଇପାରିଛି ।

କିଛି ଦିନ ପୂର୍ବରୁ ଭୀମକେଲା ଗ୍ରାମ ସାନ୍ଦୁଲ ନଦୀ ଅବବାହିକାରେ ଏକ ପୁରାତନ ନାରୀ ମୂର୍ତି ପ୍ରାପ୍ତ ହୋଇଥିବା ବେଳେ ସେହି ସ୍ଥାନରୁ ହିଁ ପୁଣି ଏକ ପୂରାତନ ମୂର୍ତ୍ତି ମିଳିଛି । ଥବିର ପାତ୍ର ନାମକ ଜଣେ ଯୁବକ ଗୋ ଚାରଣ କରୁଥିବା ସମୟରେ ଏକ ପଥରର ମୂର୍ତ୍ତି ପାଇଛନ୍ତି। ପଥର ମୂର୍ତ୍ତିର ଗୋଡ ଅଂଶ ଭାଙ୍ଗି ଯାଇଥିବା ବେଳେ ଏକ ସମତଳ ପଥରରେ ପ୍ରତିମାଟି ଖୋଦେଇ ହୋଇଥିବା ଜଣାପଡିଛି। ପୁରୁଷମୂର୍ତ୍ତିର ମସ୍ତକରେ ପଗଡି, ମୁଖ ଗୋଲାକାର, ଦୁଇ ହାତ ତଳକୁ ଲମ୍ବି ଏକ ଗୋଳାକାର ଜିନିଷ ଧରିଥିବା ମନେହେଉଛି। ଖଣ୍ଡିତ ମୂର୍ତ୍ତିର ଉଚ୍ଚତା ୧୩ ସେ.ମି, ପ୍ରସ୍ଥ ୮ ସେ.ମି । କଟିଦେଶ କୃଶ ଓ ବକ୍ଷଦେଶ ସ୍ଫୀତ ଆକାର ରହିଛି। ପଥରର ଉପର ଅଂଶରେ ଏକ ଛୋଟ ଗାତ (କଣା) ଥିବାରୁ ଗୃହ ମଧ୍ୟରେ ମୂର୍ତ୍ତିଟିକୁ ଟଙ୍ଗାଇ ହୁଏତ ଲୋକେ ପୂଜାପାଠ କରୁଥିବା ମନେହେଉଛି । ଏଠାରେ ସୂଚନା ଯୋଗ୍ୟଯେ ସାନ୍ଦୁଲ ନଦୀ ଅବବାହିକା ତଥା ଅସୁରଗଡ ସନ୍ନିକଟ ଭିମକେଲା ଗ୍ରାମରେ ଗୁପ୍ତ କାଳର ଏକ ବିଷ୍ଣୁ ପ୍ରତିମା ରହିଛି ଯାହା ବର୍ତ୍ତମାନ ଗ୍ରାମ ଦେବତା ଭାବେ ପୂଜା ପାଉଛନ୍ତି। ଅସୁଗଡ ମୂଖ୍ୟ ଦୂର୍ଗ ଚତୁଃ ଦିଗରେ ବିଭିନ୍ନ ଦେବାଦେବୀ ସ୍ଥାପିତ ହୋଇଥିବା ଦୃଷ୍ଟିରୁ ସେହି ସମୟରେ ଲୋକେ ଭଗବାନଙ୍କୁ ମଧ୍ୟ ବିଶ୍ବାସ କରୁଥିବା ଜଣାପଡିଛି ।

ଅସୁରଗଡ ଦୂର୍ଗର ଐତିହାସିକ ଓ ପ୍ରାତ୍ନତାତ୍ତ୍ବିକ ଗୁରୁତ୍ବ ସଂପର୍କରେ ଅବଗତ ହେବାପାଇଁ ଅସୁରଗଡ ଦୂର୍ଗ ମଧ୍ୟରେ ଭାରତୀୟ ପ୍ରତ୍ନତାତ୍ୱକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଭୂବନେଶ୍ବର ଶାଖା ପକ୍ଷରୁ ଉତଖନନ କାର୍ଯ୍ୟ ଏକ ମାସ ଧରି ଚାଲିଥିବା ବେଳେ ଏଠାରୁ ମୌର୍ଯ୍ୟ ସମୟର ରୂପା ଖୋଦେଇ୮ ମୁଦ୍ରା, ରୂପା ଓ ତମ୍ବାର କାନ ରିଙ୍ଗ, ଗୋଡ ରିଙ୍ଗ, ରକ୍ତମଣି ପଥର, ମୁଦି, ମାଟି ଖପୁରୀ, ପୋଡା ଇଟା, ବାଟୁଳି ଖଡା, ପ୍ରବାଳ ପଥରର ମାଳି ଆଦି ସାମଗ୍ରୀ ସହ ମାଟିଆ ରଙ୍ଗର ପଥର, ରକ୍ତମଣି ପଥର, ଗୋଳାକାର ରେଖା ଥିବା ପଥର, ବିଭିନ୍ନ ରଙ୍ଗର କାଚ, କାଚ ଚୁଡିର ଅଂଶ, ବିଭିନ୍ନ ସାମଗ୍ରୀ ଗୁଣ୍ଡ କରିବା ପିଟାଣ, ଲୁହାର ଚକ, ମୁଦି, ତେଣ୍ଟା, ତୀର ଓ ତୀରର ଉପର ଅଂଶ, ବିଭିନ୍ନ ଯନ୍ତୁଙ୍କ ହାଡ ଆଦି ଉତଖନନ ବେଳେ ପ୍ରାପ୍ତ ହୋଇଛି।

ପ୍ରବାଳ ପଥରରେ ପ୍ରସ୍ତୁତ ମାଳି ଓ ବିଭିନ୍ନ ପ୍ରକାର ରୂପା ଖୋଦେଇ ମୂଦ୍ରାରୁ ଜଣାପଡୁଛିଯେ ଲୋକେ ବ୍ୟବସାୟ ସହ ସଂପୃକ୍ତ ଥିଲେ । ସେମାନେ ସମୁଦ୍ର ପଥର ବ୍ୟବହାର କରୁଥିଲେ । ମୌର୍ଯ୍ୟ ସାମ୍ରାଜ୍ୟରୁ କୁଶାଣ ସାମ୍ରାଜ୍ୟ ପର୍ଯ୍ୟନ୍ତ ସମସାମୟିକ ବହୁ ସାମଗ୍ରୀ ଏଠାରୁ ମିଳିଛି । ବାଣିଜ୍ୟ ବ୍ୟବସାୟ ସମନ୍ଦିତ ପ୍ରାତ୍ନତାତ୍ତ୍ବିକ ଅବଶେଷ ତଥା ଲୋକଙ୍କ ଉନ୍ନତ ମାନର ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ଦୃଷ୍ଟିରୁ ୫ମ ଶତାବ୍ଦୀର ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟ କେନ୍ଦ୍ରଥିଲା ଅସୁରଗଡ।

ବର୍ତମାନ ଅସୁରଗଡ ଦୂର୍ଗର ଉତଖନନ ଜାରି ରହିଥିବା ବେଳେ ଏହି ମୂଖ୍ୟଗଡ ଚତୁର୍ପାଶ୍ବ ସାନ୍ଦୁଲ ଅବବାହିକାରେ ଥିବା ଗ୍ରାମ ମାନଙ୍କରୁ ପ୍ରାତ୍ନତାତ୍ତ୍ବିକ ସାମଗ୍ରୀ ସବୁ ମିଳୁଥିବାରୁ ଅସୁରଗଡ ସହ ସଂଯୁକ୍ତ ଭୀମକେଲା ଓ ଦେବଗିରିର ପ୍ରତ୍ନତାତ୍ୱକ ଉତଖନନ ଓ ଗବେଷଣା ପାଇଁ ଦାବି ହେଉଛି। (ଦେବଗିରି)

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.