କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପାଳନ କଲା ରେଜାଙ୍ଗଲା ଶୈାର୍ଯ୍ୟ ଦିବସ 


କଳାହାଣ୍ଡି: ୧୯୬୨ ନଭେମ୍ବର ୧୮ ତାରିଖରେ ଭାରତ-ଚୀନ ଯୁଦ୍ଧ ସମୟରେ ରେଜାଙ୍ଗଲାରେ ୧୨୦ ବୀର ଭାରତୀୟ ଜବାନ ଅଦମ୍ୟ ସାହାସ ଏବଂ ପରାକ୍ରମର ପରିଚୟ ଦେଇ ୧୩୦୦ ଚୀନ୍ ସୈନ୍ୟଙ୍କୁ ନିହତ କରିଥିଲେ। ଏହି ବୀର ଜବାନଙ୍କ ସ୍ମୃତିରେ ରେଜାଙ୍ଗଲର ଚୁଶୁଲ ଠାରେ ଅହୀର ଧାମ ସ୍ମାରକୀ ନିର୍ମାଣ ହୋଇଛି, ଯାହା ଏହି ବୀର ସୈନିକ ମାନଙ୍କ ଗାଥା ମନେ ପକାଇଦିଏ। ଏହା ଏପରି ଏକ ଯୁଦ୍ଧ ଥିଲା ଯେଉଁଠି ବରଫପାତ ସମୟରେ ୧୩୦୦ ଚୀନ୍ ସୈନିକଙ୍କ ସାମ୍ନାରେ ୧୨୦ ଭାରତୀୟ ସୈନ୍ୟ ଥିଲେ। ରେଜାଙ୍ଗଲା ପୋଷ୍ଟରେ ହୋଇଥିବା ଏହି ଯୁଦ୍ଧରେ ୧୩ କୁମାଉଁ ବାଟାଲିୟନର ୧୨୦ ଜବାନଙ୍କ ମଧ୍ୟରୁ ୧୧୪ ଅହୀର (ଯାଦବ) ଜବାନ ସହିଦ୍ ହୋଇ ଯାଇଥିଲେ। ଏହି ବୀର ଜବାନମାନଙ୍କ ସ୍ମୃତିରେ ପ୍ରତିବର୍ଷ ନଭେମ୍ବର ୧୮ ତାରିଖ ଦିନ ରେଜାଙ୍ଗଲା ଶୈାର୍ଯ୍ୟ ଦିବସ ପାଳନ କରାଯାଇଥାଏ।

 

(Click here to see Video 🖕)

କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ନର୍ଲା ବ୍ଲକ ବୁଢୀପଦର ଠାରେ ରେଜାଙ୍ଗଲା ଶୈାର୍ଯ୍ୟ ଦିବସ ପାଳିତ ହୋଇଯାଇଛି। ମହାସଭାର ସଂପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରେଜାଙ୍ଗଲା ସହୀଦଙ୍କ ସ୍ମୃତି ଚାରଣ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ ରେଜାଙ୍ଗଲା ସହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାସହ ଅହୀର ରେଜିମେଣ୍ଟ ଗଠନ ଦାବୀ ଦୋହରାଇଥିଲେ। ଯୁବ ଲେଖକ ସୁଧିର କୁମାର ଧଙ୍ଗଡାମାଝୀ ଏହି ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସଭାରେ ଉପସ୍ଥିତ ଜନତା କ୍ୟାଣ୍ଡେଲ ଜାଳି ଦେଶ ମାତୃକାର ସେବା ପାଇଁ ପ୍ରାଣବଳି ଦେଇଥିବା ବୀର ଜବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in