ତେଜି ବଂଶର ଗୈାରବ ଗାଥା ଏବଂ ଗଉଡ ବାଡି ପୂଜା ପରମ୍ପରା


ପାରମ୍ପାରିକ ପୂଜାର୍ଚ୍ଚନା ପରେ ନଭେମ୍ବର ୨୦ ତାରିଖ ଶୁକ୍ରବାର ଦିନ ତେଜି ବଂଶର ଗଉଡ ବାଡି ବାହାର ହୋଇଛନ୍ତି। ଏହି ବାଡି ବିଭିନ୍ନ ଗ୍ରାମ ଭ୍ରମଣ କରିବାପରେ ମାଘ ମାସରେ ପୁ୍ନଶ୍ଚ ସ୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ। ଦିର୍ଘ ୨୦ ବର୍ଷ ପରେ ବାଡି ବାହାରି ଥିବାରୁ ଏହାକୁ ନେଇ ତେଜି ବଂଶ ତଥା ଅଞ୍ଚଳର ଯାଦବ ମାନଙ୍କ ମଧ୍ୟରେ ଉତ୍ସବ ମୁଖର ପରିବେଶ ସୃଷ୍ଟି ହୋଇଛି।

ତୁମରା ଗାଁରେ ରହିଛି ତେଜି ବଂଶର ଗାଦି

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତୁମରା ଗାଁରେ ତେଜି ବଂଶର ମୁଖ୍ୟ ଉପାସନା ସ୍ଥଳ (ଗାଦି) ରହିଛି। ଅଞ୍ଚଳର କାନ୍ଦୁଲଡୁଙୁଗରୀ, ଚାହାଁରପାଲି, ଅନ୍ତର୍ଲା (ତେଜି ପଡା) ଓ ତୁମରା ଗାଁର ତେଜି ବଂଶର ଦାୟାଦମାନେ ନିଜ ନିଜ ଘରୁ ବାଡି ଆଣି ତୁମରା ଗାଦି ଘରେ ପହଞ୍ଚି ଥାନ୍ତି ସେଠାରେ ସ୍ବର୍ଗତ ଗଙ୍ଗାରାମ ତେଜିଙ୍କ ପୁତ୍ର ତଥା ବଂଶର ମୁଖ୍ୟ ପୂଜାରୀ ଉଦେନାଥ ତେଜି ପାରମ୍ପାରିକ ରିତି ନିତି ଅନୁକ୍ରମେ ପୂଜାର୍ଚ୍ଚନା କରିଥାନ୍ତି।

ମଗଧା ଯାଦବଙ୍କ ୧୨୦ ବଂଶ ପରମ୍ପରାରେ ତେଜି ବଂଶର ସମ୍ୟକ ପରିଚିତି

ଐତିହାସିକ ତଥ୍ୟ ଅନୁସାରେ କଳିଙ୍ଗ ଯୁଦ୍ଧରେ ଯୋଗ ଦେବାକୁ ସମ୍ରାଟ ଅଶୋକଙ୍କ ସହ ମଗଧରୁ ଯଦୁବଂଶୀମାନେ ଆସିଥିଲେ। କଳିଙ୍ଗ ଯୁଦ୍ଧ ପରେ ଏମାନେ ଆଉ ମଗଧ ଫେରିନଯାଇ ଆଟବିକ ବିଦ୍ୟାଧର ରାଜ୍ୟ (ବର୍ତ୍ତମାନର ଅବିଭକ୍ତ କଳାହାଣ୍ଡି, କୋରାପୁଟ ଓ ବସ୍ତର) ଏବଂ କୋଶଳାଞ୍ଚଳରେ ବସବାସ କଲେ। ସମ୍ରାଟ ଅଶୋକ ଆଟବିକ ଅଞ୍ଚଳ ଅଧିକାର କରି ପାରିନଥିଲେ ମଧ୍ୟ ଆଟବିକ ଓ ମଗଧା ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଅନୁଶାସନ ପ୍ରଣୟନ କରିଥିଲେ। ପରବର୍ତ୍ତୀ ସମୟରେ ମଗଧରୁ ଅନେକ ମଗଧା ଯାଦବ ପଶ୍ଚିମ ଓଡିଶାରେ ଆସି ବସତି ସ୍ଥାପନ କରିଛନ୍ତି। ମଗଧା ଯାଦବଙ୍କ ୧୨୦ ବଂଶ ମଧ୍ୟରୁ ତେଜି ବଂଶଜମାନେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରନ୍ତି। ବାଡି ପୂଜା ମାଧ୍ୟମରେ ଏହି ବଂଶର ବିରତ୍ବର ଦିଗ ପ୍ରତିପାଦିତ ହୋଇଥାଏ। ବାଡି ବାହାରିବା ଠାରୁ ଆରମ୍ଭ ହୋଇ ବାଡି ସୁପା ପର୍ଯ୍ୟନ୍ତ ଛତ୍ରେ ଛତ୍ରେ ସାମରିକ କଳା ଓ ଦୃଷ୍ୟ ପରିଦୃଶ୍ୟ ହୋଇଥାଏ, ଯାହା ତେଜି ବଂଶର ଗାରିମାମୟ ଅତିତକୁ ମନେ ପକାଇଦେଇଥାଏ। ପ୍ରାଚୀନ କାଳରେ ଏହି ବଂଶଜ ମାନେ ଦୁର୍ଦ୍ଦଶ ଯୋଦ୍ଧା ଭାବେ ଖ୍ୟାତ ଥିଲେ। ତେଜି ବଂଶର ଦୁଦଭାଇ ହେଉଛନ୍ତି କଟା ବଂଶ। ଏହି ଦୁଇ ବଂଶ ମଧ୍ୟରେ ବୈବାହିକ ସମ୍ବନ୍ଧ ସ୍ଥାପିତ ହୋଇନଥାଏ। ଏହା ବ୍ୟତିରେକ ଅନ୍ୟାନ୍ୟ ମଗଧା ବଂଶ ଯଥା; ବାଗ, ନାଗ, କରୁଆଁ, ବନ୍ଦିଛୋଡ, ବଗର୍ତ୍ତୀ, ଦୀପ, ମଟାଲି, ଘି, ରଁତେ, ବେମାଲ, ଚିନାଗୁନ, ଛତର, ଭଇଁସାଲ, ପୋଢ, ହାତୀ, ମଣିହିରା, କବାଟ, ଜୁଆଡ, ଜାଲ, ପାୟାସିଂ, ଚନ୍ଦନ, ସୁନାନୀ, ଚଣ୍ଡି, ବଛା ସମେତ ଅନ୍ୟାନ୍ୟ ବଂଶ ସହିତ ଏମାନଙ୍କ ବନ୍ଧୁ ସଂପର୍କ ରହିଥାଏ ତଥା ବୈବାହିକ ସମ୍ବନ୍ଧ ମଧ୍ୟ ସ୍ଥାପିତ ହୋଇଥାଏ।

ତେଜି ବଂଶର ଦେବାଦେବୀ ଉପାସନା ଏବଂ ବାଡି ପୂଜା ପରମ୍ପରା

ବିଶ୍ବର ଅନ୍ୟତମ ପ୍ରାଚୀନ ସଂସ୍କୃତି ମଧ୍ୟରେ ‘ଯାଦବ ସଂସ୍କୃତି’ ଅନ୍ୟତମ। ଯାଦବ ସଂସ୍କୃତିରେ କେନ୍ଦୁ ବାଡ଼ିର ଯଥେଷ୍ଟ ଗୁରୁତ୍ବ ରହିଛି। ଦ୍ବାପର ଯୁଗରେ କୃଷ୍ଣ ବଳରାମଙ୍କ ଠାରୁ ବାଡିଖେଳ ଉଦ୍ଭବ ହୋଇ ସାରା ଆର୍ଯ୍ୟାବର୍ତ୍ତର ଯାଦବ ମାନଙ୍କ ମଧ୍ୟରେ ‘ବାଡି ଖେଳ’ ଆଦୃତ ହୋଇଥିଲା। ବାଡି ଖେଳ ଏକ ସାମରିକ କଳା ଯାହା କେବଳ ଯଦୁବଂଶଜମାନେ ହଁ ଖେଳିଥାନ୍ତି। ମଗଧା ଯାଦବ ମାନଙ୍କ ବାଡି ପୂଜନ ଓ କ୍ରିଡ଼ା ସ୍ବତନ୍ତ୍ର ଧରଣର ହୋଇଥାଏ। ତେଜି ବଂଶଜମାନେ ଭଏଁରୁ ଦେବତା ହିସାବରେ ବାଡି ବାହାର କରନ୍ତି। ପରମ୍ପରା ଅନୁସାରେ ୧୨ ବର୍ଷରେ ଥରେ ବାଡି ବାହାରହୋଇ ଗ୍ରାମ ଗ୍ରାମ, ନଗ୍ର ନଗ୍ର ବୁଲି ମାଘ ମାସରେ ସ୍ବସ୍ଥାନକୁ ଫେରି ଆସିଥାନ୍ତି। ଏହି ସମୟରେ ବାଡିଖେଳ ପ୍ରଦର୍ଶିତ ହୋଇଥାଏ। ଅନ୍ୟାନ୍ୟ ଗ୍ରାମର ଯାଦବମାନେ ସମ୍ମାନର ସହ ବାଡିକୁ ସ୍ବାଗତ କରିଥାନ୍ତି ଏବଂ ବନ୍ଦାପନା କରିଥାନ୍ତି। ଏହି ପରମ୍ପରା ମଗଧା ଯାଦବ ମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ସହାୟକ ହୋଇଥାଏ। ବିଶ୍ବାସ ଅନୁସାରେ ଦେବତା ବାହାରେ ବୁଲି ଭକ୍ତଜନ ମାନଙ୍କୁ ଦର୍ଶନ ଦେବାର ଇଚ୍ଛା କରିବାପରେ ବାଡି ବାହାରିଥାଏ। ବାଡି ବାହାରିବା ଦିନ ଆଖପାଖ ଗାଁରୁ ବାଡିସହ ତେଜି ବଂଶଜମାନେ ତୁମରାଗାଁର ମୁଖ୍ୟ ଆସ୍ଥାନ (ଗାଦି)ରେ ପହଞ୍ଚିଥାନ୍ତି। ସେଠାରେ ସ୍ବର୍ଗତ ଗଙ୍ଗାରାମ ତେଜିଙ୍କ ପୁତ୍ର ଉଦେନାଥ ତେଜି ବର୍ତ୍ତମାନ ଏହି ବଂଶର ମୁଖ୍ୟ ପୂଜକ ଭାବେ ବାଡି ବାହାର କରିବା ସହ ପୂଜା କରିଥାନ୍ତି। ଗଉଡ ବାଡି ପୂଜାରେ ତେଜି ବଂଶର ୧୩୦ ପରିବାରର ଯୋଗ ଦେଇଥାନ୍ତି। ଯାହା ସେମାନଙ୍କ ସଂଘ ବଦ୍ଧତାର ପ୍ରମାଣ ଦେଇଥାଏ। ଏହା ଗୁପ୍ତ ପୂଜା ହୋଇଥିବା କାରଣରୁ ଏସମନ୍ଧରେ ଏହି ଆଲେଖ୍ୟରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇପାରୁ ନାହିଁ। ତେବେ ବାଡିପୂଜାର ମୁଖ୍ୟ ଦେବତା ଭାବରେ ଭଏଁରୁ ଦେବତା ପୂଜା ପାଇଥାନ୍ତି। ଏହା ବ୍ୟତିରେକ ତେଜି ବଂଶଜମାନେ କଣାଭଏଁରୋ ମାଲଛମା, ବାବରା ପରଦେଶେନ, କାଲିସୁନ୍ଦରୀ, ମିର୍ଚ୍ଚୁ, ଠେଙ୍ଗା ଆଦି ଦେବାଦେବୀଙ୍କୁ ଆରାଧନା କରିଥାନ୍ତି।

ଉପସଂହାର

ହଜାର ହଜାର ବର୍ଷଧରି ପଶ୍ଚିମ ଓଡିଶାର ଆଦିବାସୀ ଓ ହରିଜନ ସଂପ୍ରଦାୟ ସହ ଶାନ୍ତିରେ ସହାବସ୍ଥାନ କରି ଆସୁଥିବା ମଗଧା ଯାଦବଙ୍କ ବିଭିନ୍ନ ପର୍ବପର୍ବାଣୀ ତଥା ବାଡି ପୂଜା ସେମାନଙ୍କ ଅତିତର ସମୃଦ୍ଧ ସଂସ୍କୃତି ବିଷୟରେ ମନେପକାଇ ଦିଏ। ସେହି ସମୟରେ ୧୨ ବର୍ଷରେ ଥରେ ବାଡି ବାହାରିବା ଦ୍ବାରା ୧୨୦ ବଂଶ ଯାଦବ ଏକ ହୋଇ ଯାଉଥିଲେ। ବ୍ୟକ୍ତି କିମ୍ବା ବଂଶ ମଧ୍ୟରେ ରହି ଯାଇଥିବା ମନୋମାଲିନ୍ୟ ବାଡି ବାହାରିବା ସହ ଦୁର ହୋଇଯାଉଥିଲା। ତେଣୁ ବାଡି ପୂଜା, ବାଡି ବାହାରିବା ତଥା ବାଡି ଖେଳ ଯାଦବ ସମାଜକୁ ଏକତା ରଜ୍ଜୁରେ ବାନ୍ଧି ରଖିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଥାଏ। ଏହି ପରମ୍ପରା ମାଧ୍ୟମରେ ତେଜି ବଂଶ ତଥା ମଗଧା ଯାଦବଙ୍କ ଯୋଦ୍ଧା ପ୍ରବୃତ୍ତି ଓ ଭ୍ରମଣଶିଳ ମାନସିକତାର ପରିଚୟ ମିଳିଥାଏ।

ଉପସ୍ଥାପନା:

ସୁଶିଲ କୁମାର ତେଜି

ଗୋଲାମୁଣ୍ଡା ବ୍ଲକ ପ୍ରତିନିଧି OdiaBarta.in