ଆବାସ ଯୋଜନା ଘୋଟାଲା: ପଡ଼ିଛି ଫାଉଣ୍ଡେସନ, ଉଠିଛି ଛାତ ଲେବଲର ବିଲ୍


କୋକସରା: ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଆସୁଥିବା ଆବାସ ଯୋଜନାକୁ ସରକାରୀ କର୍ମଚାରୀ ମାନେ ସ୍ପଷ୍ଟ ଦିବାଲୋକରେ ହରିଲୁଟ କରୁଥିବା ପରି ଏକ ସଂଗିନ ଅଭିଯୋଗ ଆସିଛି କୋକସରା ବ୍ଲକରୁ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ଏହି ବ୍ଲକ ଆମପାଣି ପଞ୍ଚାୟତ କୁଟ୍ରୁ ଗାଁର ଲେଖାଆମ ପଡାର ସୋମବାରୁ ସାନ୍ତା ଏବଂ ଇଶ ସାନ୍ତାଙ୍କୁ ୨୦୧୯/୨୦ ରେ ଆବାସ ଯୋଜନା କାର୍ଯ୍ୟାଦେଶ ମିଳିଥିଲା। ହେଲେ ଜିଓଟେଗ କରୁଥିବା କର୍ମଚାରୀ ଏହି ଦୁଇ ଆଦିବାସୀଙ୍କ ଆବାସ ଗୃହକୁ ଠିକାରେ ନେଇ ନିର୍ମାଣ କରିଦେବି ବୋଲି କହିଥିଲେ। ଜିଓଟେଗ କରୁଥିବା ବ୍ୟକ୍ତି ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲେଇ ସେମାନଙ୍କ ଘର ନିର୍ମାଣ ନକରି ଟଙ୍କା ଉଠେଇ ନେଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଶେଷରେ ଜିଓଟେଗ ଭଳି ଯାନ୍ତ୍ରିକ ତଥ୍ୟକୁ ଜାଲିଆତି କରି ପ୍ଳିନ୍ଥ ନ ପଡ଼ିଥିଲେ ମଧ୍ୟ ଛାତ ଲେବଲ ପର୍ଯ୍ୟନ୍ତ ଚଞ୍ଚକତାର ସହିତ ବିଲ କରେଇ ନେଇଥିବା ଅଭିଯୋଗ ଆସିଛି। ଇସ ସାନ୍ତାର ଜମାଖାତାରେ ତିନୋଟି କିସ୍ତିରେ ୧ଲକ୍ଷ ଟଙ୍କା ଜମାହୋଇଥିଲା। ଏଥିରୁ ଇସ ସାନ୍ତା ୫୫ ହଜାର ଟଙ୍କା ଉଠାଇ ଜିଓଟେଗ କରୁଥିବା ଲୋକଙ୍କୁ ଦେଇଥିବା ପ୍ରକାଶ କରିଛନ୍ତି। ସେହିପରି ସୋମବାରୁ ସାନ୍ତାଙ୍କ ଜମା ଖାତାରେ ଦୁଇ କିସ୍ତିରେ ୫୫ ହଜାର ଟଙ୍କା ପଡ଼ିଛି ଓ ଏହି ଟଙ୍କା ଜିଓଟେଗ କରୁଥିବା ଲୋକେ ନେଇଯାଇଛି। ଅନ୍ୟପଟେ ସୋମବାରୁ ସାନ୍ତାଙ୍କ ଘର ଆରମ୍ଭ ହୋଇନାହିଁ।

ଲୋକେ ଘର ନିର୍ମାଣ କରି ବିଲ ପାଇଁ ମାସ ମାସ ଅପେକ୍ଷା କରୁଥିବା ବେଳେ ଏପଟେ ଘର ନ ଥାଇ ବିଲ ହେବା ଘଟଣା ବିଭାଗୀୟ କର୍ମଚାରୀମାନଙ୍କ ପ୍ରତେକ୍ଷ ସମ୍ପୃକ୍ତି ଥିବା ଇଙ୍ଗିତ କରୁଛି। ଏନେଇ କୋକସରା ବିଡିଓ ମନୀଷା ଦାସଙ୍କୁ ଯୋଗାଯୋଗ କରିଥିଲେ ହେଁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

କଳାହାଣ୍ଡି ଜିଲ୍ଲା କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in