ରାୟଗଡା,୨୫/୧: ରାୟଗଡା ସହର ନ୍ୟୁ କୋଲନୀ ସ୍ଥିତ ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ ଗତ ଜାନୁୟାରୀ ୪ତାରିଖରେ ହୋଇଥିବା ୯ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ରାୟଗଡା ପୋଲିସ ସଂପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ୪ଲକ୍ଷ ଟଙ୍କା ଜବତ କରିଯାଇଛି । ଗିରଫ ଦୁଇଜଣ ହେଲେ ଗଂଜାମ ଜିଲ୍ଳା ଆସ୍କା ଥାନା ଅନ୍ତର୍ଗତ ଝାଗଦେଇ ଗ୍ରାମର ଦୁର୍ଗା ଦାସ(୨୨) ଏବଂ ନାରାୟଣପୁର(ଛଟପଦିଆ)ଗ୍ରାମର ଆଉଲୁ କାଳି(୨୮)ବୋଲି ଜଣାପଡିଛି । ସେମାନଙ୍କ ଠାରୁ ନଗଦ ୪ଲକ୍ଷ ଟଙ୍କା ସହ ଲୁଟ୍ ଘଟଣାରେ ବ୍ୟବହୃତ ଗୋଟିଏ କଳାରଙ୍ଗର ୨୨୦ସିସିର (ଓଡି୦୨ଡି୩୩୬୯) ପଲସର୍ ବାଇକ୍ ,ଗୋଟିଏ ଅପୋ ମୋବାଇଲ (ସିମ ନମ୍ବର ୬୩୦୫୬୨୫୧୩୨),ଏ.କାଳି ନାମରେ ଥିବା ଓଡି୦୭-୧୫୪୧ ଗାଡିର ଅସଲି ପ୍ରମାଣପତ୍ର ଏବଂ ଏମ.ମେରି ନାମରେ ଥିବା ଏକ ରୁପେ ଏଟିଏମ ଡେବିଟ୍ କାର୍ଡ ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ଗରିଫ ଓ ଜବତକୁ ନେଇ ଘଟଣାର ଫର୍ଦାଫାଶ କରି ଶୁକ୍ରବାର ଦିନ ସ୍ଥାନୀୟ ରାୟଗଡା ପୋଲିସ ଥାନା ପରିସରରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ରାହୁଲ ପି.ଆର.ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନା ପ୍ରକାରେ ଚଳିତ ମାସର ୪ତାରିଖ ଅପରାହ୍ନ ୩ଟା ୫୫ମିନିଟ୍ ସମୟରେ ରାୟଗଡା ସହରର ନ୍ୟିୁକୋଲନୀ ସ୍ଥିତ ଆନ୍ଧ୍ରବ୍ୟାଙ୍କରୁ ରାଣିଗୁଡା ଫାର୍ମ ଅଂଚଳର ଔଷଧ ବ୍ୟବସାୟୀ ଶ୍ରୀରାମ ଗନ୍ତାୟତ ନିଜ ଆକାଉଂଟରୁ ୯ଲକ୍ଷ ଟଙ୍କା ଉଠାଣ କରି ବ୍ୟାଙ୍କରୁ ବାହାରକୁ ଆସିଥିବା ସମୟରେ ପୂର୍ବରୁ ସେଠାରେ ପଲସର ବାଇକରେ ଜଗି ବସିଥିବା ଦୁର୍ଗା ଓ କାଳି ହଠାତ୍ ଶ୍ରୀରାମଙ୍କ ହାତରୁ ଟଙ୍କା ଭରି ବ୍ୟାଗଟି ଝାମ୍ପି ନେଇ ଚାଲିଯିବାକୁ ଚେଷ୍ଠା କରିଥିବା ବେଳେ ଶ୍ରୀରାମ ଅଧାବାଟ ଯାଏଁ ତାଙ୍କୁ ଘୋଡାଇଥିଲେ ସୁଦ୍ଧା ସେମାନେ ସେଠାରୁ ଫେରାର ହୋଇଯିବାରେ ସଫଳ ହୋଇଥିଲେ ।
ତେବେ ରାୟଗଡା ଥାନାରେ ଏ ନେଇ ଅଭିଯୋଗ ହେବା ପରେ ଥାନା କେସ ନମ୍ବର ୫୧ ଅନୁଯାୟୀ ପୋଲିସ ବ୍ୟାଙ୍କର ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ରାୟଗଡା ଜିଲ୍ଳା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଶୋକ କୁମାର ସାହୁଙ୍କ ନେତୃତ୍ୱରେ ଏସଡିପିଓ ରାଜ କିଶୋର ଦାସ,ଆଇଆଇସି କୃଷ୍ଣଚନ୍ଦ୍ର ଭତ୍ରା,ଏସ.ଆଇ.ରାଜ କିଶୋର ବେହେରା ପ୍ରମୁଖ ଏକ ଟିମ ହୋଇ ତଦନ୍ତ ଆରମ୍ଭ କରିଥିଲେ ।
ବ୍ୟାଙ୍କର ସିିସିଟିଭି ଏବଂ ଅନ୍ୟାନ୍ୟ ସ୍ଥାନର ସିସିଟିଭି ଫୁଟେଜ ପ୍ରକାରେ ଅଭିଯୁକ୍ତଙ୍କ ଫୋଟ ଜଣାପଡିବା ପରେ ସେମାନଙ୍କ ଚିହ୍ନଟ ହୋଇଥିଲା । ଅଭିଯୁକ୍ତ ଦୁର୍ଗା ଓ କାଳିଙ୍କୁ ଧରିବାରେ ପୋଲିସ ସମସ୍ତ ପ୍ରକାର ଯୋଜନା କରିଥିବା ବେଳେ ସେମାନଙ୍କ ତାଙ୍କ ମୋବାଇଲ ନମ୍ବରକୁ ଆଧର କରି ଟ୍ରାକ୍ କରାଯାଇ ଆନ୍ଧ୍ର ପ୍ରଦେଶର ବିଜୟନଗରମ ଅଂଚଳରୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା । ପରେ ଅଧିକ ଜେରା ପରେ ଜଣାପଡିଥିଲା ଯେ ସେମାନେ ଟଙ୍କା ଲୁଟ୍ କରିବା ପରେ କୋତାପେଟାରେ ରହୁଥିବା ଏ.କାଳିର ଭଉଣୀ ମେରୀଙ୍କ ଠାରେ ୪ଲକ୍ଷ ଟଙ୍କା ଦେଇ ସେଥିରୁ ୧ଲକ୍ଷ ରଖିବାକୁ କହି ବାକିତକ ୫ଲକ୍ଷ ଟଙ୍କା ନିଜ ସାଥିରେ ନେଇ ଚାଲିଯାଇଥିଲେ । ବର୍ତମାନ ଦୁର୍ଗା ଓ କାଳିଙ୍କ ଠାରୁ ୪ଲକ୍ଷ ଟଙ୍କା ଉଦ୍ଧାର ହୋଇଥିବା ବେଳେ ମେରୀ ପାଖରେ ଥିବା ୪ଲକ୍ଷ ଟଙ୍କା ଉଦ୍ଧାର ହୋଇପାରିନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଯଥାଶୀଘ୍ର ମେରୀକୁ ଗିରଫ କରାଯାଇ ବାକିତକ ୪ଲକ୍ଷ ଟଙ୍କା ଉଦ୍ଧାର କରାଯିବ ବୋଲି ଏସ.ପି. ରାହୁଲ ପି.ଆର. ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସ୍ୱତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in