ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ : ନୂଆ ମୂହଁ ସୁଶୀଲ ଶବରଙ୍କୁ ନେଇ ଚର୍ଚା

କଳାହାଣ୍ଡି,୧୨/୧୧:
୨୦୧୯ ନିର୍ବାଚନ ଯେତେ ପାଖେଇ ଆସୁଛି, କଳାହାଣ୍ଡିର ରାଜନୈତିକ ପାଣିପାଗ ସେତେ ଗରମ ହେବାରେ ଲାଗିଛି । ଏହି ପରିପ୍ରେକ୍ଷିରେ ଲାଞ୍ଜିଗଡ ବିଧାନସଭା କ୍ଷେତ୍ରର ଚିତ୍ରକୁ ନେଇ ନାନା କଳ୍ପନା ଜପନା ଆରମ୍ଭ ହୋଇଛି । ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀ ଟିକଟ ପାଇବା ନେଇ ଆଶା ଆଶଙ୍କାରେ ଥିବାବେଲେ ନୂଆ ମୁହଁଙ୍କ ଆବିର୍ଭାବ ଓ କଂଗ୍ରସ, ବିଜେପିର ରଣନିତି ଲାଞ୍ଜିଗଡ ସମିକରଣକୁ ରୋଚକ ମୋଡ ଦେବାରେ ଲାଗିଛି । ନୂଆମୁହଁ ଭାବରେ ଇଂ. ସୁଶୀଲ କୁମାର ଶବର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ଗସ୍ତକରି ସାଧାରଣ ଜନତାଙ୍କ ସମସ୍ୟା ବିଷୟରେ ଅବଗତ ହେଉଥିବା ଦେଖିବାକୁ ମିଲୁଛି ।


ଆମେ ଯଦି ଲାଞ୍ଜିଗଡ ଅଞ୍ଚଳର ବାସ୍ତବ ଚିତ୍ର ଉପରେ ଦୃଷ୍ଟି ନିକ୍ଷେପ କରିବା ତେବେ ଏହି କ୍ଷେତ୍ରର ସମସ୍ୟା ଜର୍ଜରିତ ଚିତ୍ର ଆଖି ସାମ୍ନାରେ ଝଳସି ଉଠିବ । ୨୦୦୯ ପୂର୍ବରୁ ଲାଞ୍ଜିଗଡ ନର୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିଲା । ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ହେବାପରେ କଂଗ୍ରେସର ଶିବାଜି ମାଝୀ ବିଜେଡିର ତୁଙ୍ଗ ନେତା ବଳଭଦ୍ର ମାଝୀଙ୍କୁ ହରାଇ ବିଧାୟକ ହୋଇଥିଲେ । ଶିବାଜି ବିଧାୟକ ହେବାପରେ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀର ଚିତ୍ରରେ ଆଖିଦୃଷିଆ ପରିବର୍ତନ ହୋଇ ପାରିନଥିବା ଆଲୋଚନା ହେଉଛି । ଲାଞ୍ଜିଗଡ ମାଟିର ପୁଅ ବଳଭଦ୍ର ମାଝୀ ୧୯୯୦ ମସିହାରେ ଜନତା ଦଳ ପ୍ରାର୍ଥୀ ଭାବେ ନର୍ଲାରୁ ବିଜୟ ଲାଭ କରି ତାଙ୍କର ଇନିଂସ୍ ଆରମ୍ଭ କରିଥିଲେ । ସେହି ସମୟରେ ଏଠାରୁ କଂଗ୍ରେସ ବିଧାୟକ କୁମରମଣି ଶବରଙ୍କୁ ହରାଇବା ତାଙ୍କ ପାଇଁ ଏକ ବଡ଼ ସଫଳତା ଥିଲା । ଏହାପରେ ୧୯୯୫ ମସିହାରେ ସେହି ଜନତା ଦଳର ପ୍ରାର୍ଥୀ ହୋଇ ପୂର୍ବତନ କଂଗ୍ରେସ ବିଧାୟକ ତେଜରାଜ ମାଝୀଙ୍କୁ ହରାଇ ବିଧାୟକ ହୋଇଥିଲେ । ୨୦୦୦ ଓ ୨୦୦୪ରେ ବିଜେଡି ପ୍ରାର୍ଥୀ ଭାବେ ନର୍ଲା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ବିଜେଡି ସରକାରର ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ । ନର୍ଲାରେ ୪ଥର ବିଧାୟକ ହୋଇ ସେହି ସମୟରେ ନର୍ଲା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଲାଞ୍ଜିଗଡ ଅଞ୍ଚଳର ଉନ୍ନତି ପାଇଁ ସେ ବିଶେଷ କିଛି କରିପାରିନଥିବା ଚର୍ଚା ହେଉଛି । ୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ହେବାପରେ ସେ ଲାଞ୍ଜିଗଡ଼ରୁ ବିଜେଡି ଟିକଟରେ ଲଢ଼ି କଂଗ୍ରେସର ଶିବାଜୀ ମାଝୀଙ୍କ ଠାରୁ ହାରିଥିଲେ । ଏହା ତାଙ୍କ ରାଜନୈତିକ କ୍ୟାରିୟରର ସବୁଠାରୁ ବିପର୍ଯ୍ୟସ୍ତ ସମୟ ବୋଲି କୁହାଯାଏ । ୨୦୧୪ ନିର୍ବାଚନରେ କଂଗ୍ରେସ ଓ ବିଜେପିର ଦୂର୍ବଳ ପାର୍ଥୀତ୍ବର ସୂଯୋଗନେଇ ସେ ବିଧାୟକ ହୋଇପାରିଥିଲେ ବୋଲି ରାଜନୈତିକ ସମିକ୍ଷକମାନେ ମତ ପ୍ରକାଶ କରନ୍ତି । ବିଗତ ୫ବର୍ଷ ମଧ୍ୟରେ ବଳଭଦ୍ର ନିଜ ନିର୍ବାଚନମଣ୍ଡଳୀକୁ ଅବହେଳା କରି ଜନତାଙ୍କଠାରୁ କ୍ରମଶଃ ଦୂରେଇ ଯାଉଥିବା ଅଭିଯୋଗ ହେଉଛି । ବିକାଶ ପଥରେ ଉଧେଇ ପାରିନାହିଁ ଲାଞ୍ଜିଗଡ଼ । ଅଞ୍ଚଳର ଜନ ଅସନ୍ତୋଷ ବିଧାୟକଙ୍କ ପାଇଁ କ୍ଷତି କାରକ ହୋଇପାରେ । ବଳଭଦ୍ର ଜିଲ୍ଲା ବିଜେଡି ସଭାପତି ଥିବା ସମୟରେ ଗତ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡିର ୩୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୩୩ଟି ଆସନ ମାରିନେଲା ବିଜେପି । କଂଗ୍ରେସ ଖାତାକୁ ୨ଟି ଆସନ ଯାଇଥିବାବେଳେ ବିଜେଡି ଗୋଟିଏ ଆସନ ପାଇ ଲଜ୍ଜାଜନକ ପରାଜୟ ବରଣକଲା । ଏହି ଘଟଣା ପରେ ବିଜେଡିରୁ ବଳଭଦ୍ରଙ୍କ କାଟତି କମିଥିଲା ଓ ବିଜେଡି ସୁପ୍ରିମୋ ତାଙ୍କ ହାତରୁ ଜିଲ୍ଲା ସଭାପତି ପଦ ଛଡ଼େଇ ନେଇଥିଲେ । ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା ବଳଭଦ୍ର ଏଥର ଟିକଟ ପାଇଲେ ମଧ୍ୟ ହାରିବା ଥୟ ବୋଲି ଲାଞ୍ଜିଗଡ଼ ଭୋଟରମାନଙ୍କ ଠାରୁ ମତ ପ୍ରକାଶ ପାଉଛି । ଜିଲ୍ଲାରେ ବିଜେଡିର ପାଣିପାଗ ଯାହା, ଏଥର ବଳଭଦ୍ରଙ୍କ ଟିକଟ କଟିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି ।


ଲାଞ୍ଜିଗଡ ପାଇଁ ବଳଭଦ୍ର ପୁନର୍ବାର ଟିକଟ ପାଇବେ କି କଟିବେ କିମ୍ବା ତାଙ୍କୁ ଅନ୍ୟ ନିର୍ବାଚନୀ କ୍ଷେତ୍ରରୁ ସୂଯୋଗ ଦିଆଜିବ ତାହା ବିଜେଡି ସୁପ୍ରିମୋଙ୍କ ଉପରେ ନିର୍ଭର କରେ । ଏପରି ସ୍ଥିତିରେ ନୂଆ ମୂହଁ ମାନଙ୍କ ଆବିର୍ଭାବ ସହ ଜନପ୍ରିୟତା ଆଗାମୀ ଦିନରେ ରାଜନୈତିକ ପାଣିପାଗରେ କିଛି ପରିବର୍ତନର ଆଭାଷ ଦେଉଛି । ଜନତା ମଧ୍ୟ ପୁରୁଣା ମୁହଁ ପରିବର୍ତେ ନୂଆ ମୂହଁକୁ ଆଦରି ନେଇ ପାରନ୍ତି ବୋଲି ଚର୍ଚା ଆଲୋଚନା ଜୋର ଧରିଛି । ଆଶାୟୀ ବିଧାୟକ ପ୍ରାର୍ଥୀ ଭାବେ ଇଂ. ସୁଶୀଲ କୁମାର ଶବର ନିର୍ବାଚନ ମଣ୍ଡଳୀର ମେଲଗୁଟୁ , ବିନାୟକ ପୁର , ପୋଖରିବନ୍ଧ , ମୁଣ୍ଡାଗାଁ , କମର୍ଧା , ମସ୍କାଗୁଡା , ମେର୍ଡିକୁପା , ପିପୋଲପଡା , ଗନ୍ଧରବାରୁ , ବକଟି , ବାମନକଟା ଆଦି ଗ୍ରାମ ପରିଦର୍ଶନ କରି ଜନ ସଂପର୍କରେ ରହିଥିବା ଦେଖାଯାଉଛି । ଏହାସହ ବିଭିନ୍ନ ସଭା ସମିତିରେ ଅତିଥି ଭାବେ ତାଙ୍କୁ ଦେଖିବାକୁ ମିଲୁଛି । ତାଙ୍କର ଲାଞ୍ଜିଗଡ ଗସ୍ଥ ସମୟରେ ଆମ ପ୍ରତିନିଧି ତାଙ୍କ ସହ ସ୍ବଲ୍ପ ଆଳାପ କରିଥିଲେ । ଆଗାମୀ ଦିନରେ ଜନତାଙ୍କ ଆଶିର୍ବାଦ ହେଲେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଓ ଏହାର ସୁସମାଧାନ ସହ ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ , ପାନୀୟଜଳ , ଜୀବନ ଜିବିକାରେ ଉନ୍ନତି , କୃଷି ଆଦି ଉପରେ ଅଧୀକ ଗୁରୁତ୍ବ ଦେଇ ଜନତାଙ୍କ ସେବା କରିବି ବୋଲି ମତ ପ୍ରକାଶ କରିଥିଲେ ।


ବର୍ତମାନ ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀର ବିଜେପି , ବିଜେଡି ଓ କଂଗ୍ରେସରୁ କିଏ କିଏ ରଣାଙ୍ଗନକୁ ଓହ୍ଲାଇବେ ତାହା ସ୍ପଷ୍ଟ ହୋଇପାରି ନଥିବାବେଲେ ଏହି ଦଳ ମାନଙ୍କରୁ ଅନେକ ଆଶାୟୀ ପ୍ରାର୍ଥୀ ଆଶାୟୀ ଅଛନ୍ତି । ଏମାନଙ୍କ ଟିକଟ ଦଳିୟ ହାଇକମାଣ୍ଡ ମାନଙ୍କ ଉପରେ ନିର୍ଭର କରେ । ତେବେ ଏଥର ଜନତା ନୂଆ ଯୁବ ନେତାଙ୍କ ଉପରେ ଅଧୀକ ଭରଷା କରିବେ ବୋଲି ରାଜନୈତିକ ପାଣିପାଗରୁ ସୂଚନା ମିଲୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.