ଦଣ୍ଡମୁକ୍ତ ଅଞ୍ଚଳରେ ସ୍କୁଲଦିଦିଙ୍କ ଉନ୍ମତ୍ତ କାଣ୍ଡ : ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ନିର୍ଘାତ ମାଡ଼

“ବାପା, ସୀମା ଦିଦି ମତେ ମାରିଲେ”

କଳାହାଣ୍ଡି,୨୭/୧: ସମାଜରେ ସବୁବେଳେ ଗୁରୁଙ୍କୁ ଉଚ୍ଚ ଆସନ ଦିଆଯାଇଥାଏ । ଏପରିକି ଗୁରୁଙ୍କୁ ଗୋବିନ୍ଦ ଅର୍ଥାତ୍ ଭଗବାନଙ୍କଠାରୁ ମଧ୍ୟ ଅଧିକ ମର୍ଯାଦା ଦେବା ଉଚିତ ବୋଲି ସନ୍ଥ କବୀରଙ୍କ ଦୋହା କହେ । ସେହିପରି ଭାରତୀୟ ଗୁରୁକୁଳ ତଥା ଗୁରୁଶିଷ୍ୟ ପରମ୍ପରା ସାରା ବିଶ୍ୱରେ ଅକଳ୍ପନୀୟ । ହେଲେ ଆଜିର ଗୁରୁମାନେ ନିଜ ଶିଷ୍ୟ ଅର୍ଥାତ୍ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ବଦଳରେ ଯେଉଁ ପ୍ରକାର ନିର୍ଯାତନା ଦେଉଛନ୍ତି ଶୁଣିଲେ ଆଖି ଖୋସି ହେଇଯିବ । ଏହିପରି ଜଣେ ଶିକ୍ଷୟିତ୍ରୀ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷିତ ସ୍କୁଲ କୋଠରୀରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ମାରିଛନ୍ତି ନିର୍ଘାତ ମାଡ଼ । ପିଠିରେ ଆଉ ପିଚାରେ ମାଡ଼ର ଦାଗ ଆଜି ବି ଲିଭିନି । ପିଲାଟି ତିନିଦିନ ହେଲା ଖାଇପାରୁନି । ପରିବାର ଲୋକେ ଚିକିତ୍ସା ପାଇଁ ଭବାନୀପାଟଣା ନେଇ ଫେରିଲେଣି । ହେଲେ ସ୍କୁଲ କର୍ତ୍ତୃପକ୍ଷ କହୁଛନ୍ତି କିଛି ହେଇନି । ଘଟଣାଟି ଘଟିଛି ନର୍ଲା ବ୍ଲକ ଶାନ୍ତପୁର ମଧ୍ୟଇଂରାଜୀ ବିଦ୍ୟାଳୟରେ । ଏହି ସ୍କୁଲରେ ଥିବା ଜଣେ ଶିକ୍ଷୟିତ୍ରୀ ଛତିକୁଡ଼ାର ଜଣେ ଛାତ୍ରକୁ ବାଡ଼ିରେ ମାରି ପିଠି ଓ ପିଚା ଫୁଲାଇ ଦେଇଛନ୍ତି । ସ୍କୁଲ ଛୁଟି ହେବା ପରେ ପିଲାଟି ଯାଇ ଘରେ କହିବାରୁ ପରିବାରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗତକାଳି ସାଧାରଣତନ୍ତ୍ର ଦିବସ ପାଳନବେଳେ ସଂପୃକ୍ତ ଛାତ୍ରର ବାପାଙ୍କୁ ଡାକି ଥରେ ଥରେ ମାଫ୍ କର ଆଉ ଏପରି ଭୁଲ ହେବନି ବୋଲି ସଫେଇ ଦେବା ସହ ଏହାର ରଫାଦଫା କରି ଦେଇଥିବା ଜଣାପଡିଛି । ତେବେ ଏଇ ଗୋଟିଏ ଘଟଣା ନୁହେଁ ସୀମା ନାମ୍ନୀ ଏହି ଶିକ୍ଷୟିତ୍ରୀ ଜଣକ ପୂର୍ବରୁ ମଧ୍ୟ ଛାତ୍ରମାନଙ୍କୁ ଅନେକ ଅପମାନଜନକ ନାଁରେ ଡାକୁଥିବାବେଳେ ସେମାନଙ୍କ ସାମାନ୍ୟ ଭୁଲ ପାଇଁ ନିର୍ଘାତ ମାଡ ମାରୁଥିବା ଅଭିଯୋଗ ହୋଇଛି । ଏଣୁ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକ ମହଲରେ ଦାବି ହେଉଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.