‘ରେବତୀ’ ପକ୍ଷରୁ ସମ୍ବାଦପତ୍ର ବିତରକଙ୍କ ସହ ଅନୁଷ୍ଠିତ ହେଲା ବନ୍ଧୁମିଳନ କାର୍ଯ୍ୟକ୍ରମ

ବାଲେଶ୍ବର, (କୃଷ୍ଣ କୁମାର ମହାନ୍ତି): ମାସିକ ପାରିବାରିକ ଫିଚର୍ ପତ୍ରିକା ‘ରେବତୀ’ ପକ୍ଷରୁ ସମ୍ବାଦପତ୍ର ବିତରକଙ୍କୁ ନେଇ ବୁଧବାର ସନ୍ଧ୍ୟାରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ‘ରେବତୀ’ର ବାଲେଶ୍ଵର ଓଟି ରୋଡ୍ ସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ରେବତୀ’ର ମାର୍ଗଦର୍ଶକ ତଥା ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା, ‘ରେବତୀ’ର ସମ୍ପାଦିକା ତଥା ବିିଶିଷ୍ଟ ସମାଜସେବୀ ସୁବାସିନୀ ଜେନା, ବାଲେଶ୍ବର ନ୍ୟୁଜ୍ ପେପର୍ ହକର୍ସ ଏସୋସିଏସନର ସଭାପତି ଅରୁଣ ସ୍ବାଇଁ, ସମ୍ପାଦକ ଅନିରୁଦ୍ଧ ଲେଙ୍କା, କୋଷାଧ୍ୟକ୍ଷ ଯୋଗେନ୍ଦ୍ର ତପସ୍ବୀ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରଥମେ ‘ରେବତୀ’ର ସହଯୋଗୀ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ସ୍ବାଗତ ସମ୍ଭାଷଣ ଦେବା ପରେ ପତ୍ରିକାର ମାର୍ଗଦର୍ଶକ ଶ୍ରୀ ଜେନା ତାଙ୍କ ଅଭିଭାଷଣରେ ‘ରେବତୀ’ ପତ୍ରିକା ତରଫରୁ ଉପସ୍ଥିତ ବିତରକ ଭାଇମାନଙ୍କୁ ନବବର୍ଷ ଓ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇବା ସହ ବାଲେଶ୍ବର ମାଟିରୁ ପ୍ରକାଶ ପାଉଥିବା ମାସିକ ପତ୍ରିକା ‘ରେବତୀ’ର ପ୍ରସାର ଦିଗରେ ସମସ୍ତଙ୍କର ଆନ୍ତରିକ ସହଯୋଗ କାମନା କରିଥିଲେ। ପତ୍ରିକାର ସମ୍ପାଦିକା ଶ୍ରୀମତୀ ଜେନା ଉପସ୍ଥିତ ବିତରକ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପତ୍ରିକାର ପରିବାର ସହିତ ଜଡ଼ିତ ହୋଇ ସହଯୋଗର ହାତ ବଢାଇବା ପାଇଁ ନିବେଦନ କରିଥିଲେ। ଏଥିସହିତ ବିତରକମାନଙ୍କ ସହଯୋଗ ବିନା ପତ୍ରିକା ପ୍ରସାର ସମ୍ଭବ ନୁହେଁ ବୋଲି କହିବା ସହ ଏ ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସଂଘର ସଭାପତି ଶ୍ରୀ ସ୍ବାଇଁ ଉପସ୍ଥିତ ସମସ୍ତ ବିତରକ ଭାଇମାନଙ୍କୁ ଶପଥବଦ୍ଧ କରାଇ ‘ରେବତୀ’ ପତ୍ରିକା ବିକ୍ରି ପାଇଁ ଉଦ୍ୟମ କରିବାକୁ କହିଥିଲେ। ବିତରକ ଭାଇମାନେ ତାଙ୍କ କଥାରେ ସହମତି ପ୍ରକାଶ କରିଥିଲେ। କୋଷାଧ୍ୟକ୍ଷ ଶ୍ରୀ ତପସ୍ବୀ ଏହି ଅବସରରେ ବିତରକ ଭାଇମାନଙ୍କ ପକ୍ଷରୁ ପତ୍ରିକା ବିତରଣରେ ଥିବା ସମସ୍ୟା କଥା ଉଲ୍ଳେଖ କରିଥିଲେ।

‘ରେବତୀ’ର ସହଯୋଗୀ ସମ୍ପାଦକ କୃଷ୍ଣ କୁମାର ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ସମ୍ପାଦିକା ଶ୍ରୀମତୀ ଜେନା ଉପସ୍ଥିତ ଶତାଧିକ ବିତରକ ଭାଇମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଏଥିସହିତ ଆଗାମୀ ଦିନରେ ସେମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ଏବଂ ଅନ୍ୟାନ୍ୟ ଅସୁବିଧାରେ ସବୁ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେବା ସହିତ ‘ରେବତୀ’ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.