ଡାଙ୍ଗସୋରଡା ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ଅବସ୍ଥା ଶୋଚନୀୟ

ଦଶମ ଶ୍ରେଣୀର ୧୫୮ଜଣ ଛାତ୍ରଛାତ୍ରୀ ଅନ୍ତେବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନା କାଳରେ ବିଦ୍ୟାର୍ଥୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଶିକ୍ଷା ଓ କଲ୍ୟାଣ ବିଭାଗ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା ଦଶମ ଶ୍ରେଣୀର ପରୀକ୍ଷା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ୧୦୦ଦିନର ପାଠପଢାକୁ ନେଇ ବେଶ ଗୁରୁତ୍ୱ ଦିଆଯାଇଛି । ତେବେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରି ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତ ଦଶ ମାସ ଧରି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ସ୍କୁଲଗୁଡିକ ବନ୍ଦ ରହିଥିବା ଯୋଗୁଁ ସେଠାରେ ଥିବା ହଷ୍ଟେଲଗୁଡିକ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଥିବା ବେଳେ କିଛି ପୁରୁଣା କୋଠାରେ ଚାଲିଥିବା ହଷ୍ଟେଲଗୁଡିକର ମରାମତି ଆବଶ୍ୟକ ରହିଛି । ଏପରି ଏକ ଅବ୍ୟବସ୍ଥା ମଧ୍ୟରେ ରାୟଗଡ ଜିଲ୍ଳା ଚନ୍ଦ୍ରପୁର ବ୍ଳକ ଡାଙ୍ଗସୋରଡା ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହି ଦଶମ ଶ୍ରେଣୀର ୧୫୮ଜଣ ଛାତ୍ରଛାତ୍ରୀ ଅନ୍ତେବାସୀମାନେ ଭୋଗୁଛନ୍ତି ଦୁର୍ଦ୍ଦଶା ।


ମିିଳିଥିବା ସୂଚନା ପ୍ରକାରେ, ଡାଙ୍ଗସୋରଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବର୍ତମାନ ଦଶମ ଶ୍ରେଣୀର ୧୫୮ ଜଣ ଛାତ୍ରଛାତ୍ରୀ ହଷ୍ଟେଲରେ ଅନ୍ତେବାସୀ ଭାବେ ରହି ଅଧ୍ୟୟନ କରୁଛନ୍ତି । ତେବେ ସେମାନେ ପଢୁଥିବା ଶ୍ରେଣୀଗୃହ ଏବଂ ରହୁଥିବା ହଷ୍ଟେଲ ଗୃହ ମଧ୍ୟ ଦୀର୍ଘ ବର୍ଷ ହେଲା ଭାଙ୍ଗିରୁଜି ଦୁଦୁରା ଅବସ୍ଥାରେ ପଡି ରହିଛି । ସେହିପରି ବିଦ୍ୟାଳୟର କାର୍ଯ୍ୟାଳୟ ଗୃହ ମଧ୍ୟ ଅନୁରୂପ ଭାବେ ଅବ୍ୟବସ୍ଥାରେ ପଡି ରହିଛି । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ବିଦ୍ୟାଳୟଗୁଡିକର ଭିତିଭୂମିକୁ ସୁଦୃଢ କରିବା ନିମନ୍ତେ କେନ୍ଦ୍ର ତଥା ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।


ବିଶେଷ କରି ବିଦ୍ୟାଳୟଗୁଡିକରେ ଥିବା ପୁରୁଣା ଘର ଭାଙ୍ଗି ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ଘର ତଥା ହଷ୍ଟେଲ ନିର୍ମାଣ ପାଇଁ ଆଦେଶ ଜାରୀ କରିଥିଲେ ସୁଦ୍ଧା ଡାଙ୍ଗସୋରଡା ଉଚ୍ଚ ବିଦ୍ୟାଳୟ ଉପରେ ଉପରିସ୍ଥ ଅଧିକାରୀମାନେ ଦୃଷ୍ଟି ଦେଉ ନ ଥିବା ଜଣାପଡୁଛି । ଏହି ବିଦ୍ୟାଳୟରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୩୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଅପରପକ୍ଷେ ବିଦ୍ୟାଳୟର ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟରେ ଶିକ୍ଷକ ପଦବୀ ଖାଲି ପଡିଥିବା ଏକ ମୁଖ୍ୟ ସମସ୍ୟା ରହିଛି । ଫଳରେ ଶିକ୍ଷା ବିଭାଗରୁ ଶିକ୍ଷକ ଅଣାଯାଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ପ୍ରକ୍ରିୟା ଜାରି ରହିଛି ।

ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଡାଙ୍ଗସୋରଡା ପଂଚାୟତର ସରପଂଚ ଧନୁମାଝି କୁମ୍ଭରିକା ଏ ନେଇ ଜିଲ୍ଳା ମଙ୍ଗଳ ବିଭାଗ ଠାରେ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ ସୁଦ୍ଧା ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେଉ ନ ଥିବା କହିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଲାଲ ନାୟକ ବିଦ୍ୟାଳୟର ସମସ୍ୟା ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଥିବା କହିଛନ୍ତି ।


ଦଶମ ଶ୍ରେଣୀରେ ସବୁଠାରୁ ଅଧିକ ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ବେଳେ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା ଠିକ ରହିଛି ତେବେ ରହିବା ହଷ୍ଟେଲଗୁଡିକ ଶୋଚନୀୟ ହୋଇ ପଡିଥିବାରୁ ତରୁନ୍ତ ମରାମତି ପାଇଁ ଅଭିଭାବକ ତଥା ଅଂଚଳବାସୀ ଦାବି କରିଛନ୍ତି । ଏ ନେଇ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥିଙ୍କୁ ବିଦ୍ୟାଳୟର ସମସ୍ୟା ସଂପର୍କରେ ପଚାରିବାରୁ ଆଇଟିଡିଏ ତରଫରୁ ବିଦ୍ୟାଳୟରେ ମରାମତି କାର୍ଯ୍ୟ ଚାଲୁ ରହିଛି ତଥାପି ଆସନ୍ତା ୯ତାରିଖରେ ସେ ନିଜେ ଗସ୍ତ କରି ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.