ପ୍ରେମ ପାହାଡରେ ଆଲୋକୀକରଣ ବ୍ୟବସ୍ଥାର ଶୁଭାରମ୍ଭ


ହେଲେ ଅତ୍ୟାବଶ୍ୟକୀୟ ପାନୀୟ ଜଳ ଓ ଶୈାଚାଳୟର ନାହିଁ ବ୍ୟବସ୍ଥା

ରାୟଗଡ, (ଶିବ ନାରାୟଣ ଗୈାଡ): ପ୍ରାତଃ ଓ ସଂଧ୍ୟା ଭ୍ରମଣ ପାଇଁ ରାୟଗଡ ସହରବାସୀଙ୍କ ନିମନ୍ତେ ଆନନ୍ଦ ଉପଲବ୍ଧ କରାଉଛି ପ୍ରେମ ପାହାଡ । ପ୍ରତିଦିନ ଶତାଧିକ ଲୋକେ ପ୍ରେମ ପାହାଡର ଚର୍ତୁପାଶ୍ୱର୍ରେ କରାଯାଇଥିବା ଚଲାପଥ ରାସ୍ତାରେ ପଥ ଭ୍ରମଣ କରି ବେଶ ଆନନ୍ଦ ଉପଭୋଗ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିଃ. ତରଫରୁ ପ୍ରେମ ପାହାଡରେ ପଥ ଆଲୋକୀକରଣର ବ୍ୟବସ୍ଥା କରାଯାଇଛି । ଯାହାକୁ ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପଥ ଆଲୋକୀକରଣ ବ୍ୟବସ୍ଥାର ଶୁଭ ଉଦଘାଟନ କରିଥିଲେ । ତେବେ ଯେଉଁ ସ୍ଥାନକୁ ପ୍ରାତଃ ଓ ସଂଧ୍ୟାରେ ଶତାଧିକ ପଥ ଭ୍ରମଣକାରୀମାନେ ଯାଉଛନ୍ତି ସେହି ଠାରେ ଅତ୍ୟାବଶ୍ୟକୀୟ ପାନୀୟ ଜଳ ଏବଂ ଶୈାଚାଳୟର ବ୍ୟବସ୍ଥା ନ କରାଯାଇ ଆଲୋକୀକରଣର ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଉଛି ବୋଲି ଭ୍ରମଣକାରୀମାନେ ଚର୍ଚ୍ଚା କରୁଛନ୍ତି ।


ଏହି ପ୍ରେମ ପାହାଡକୁ ପ୍ରାତଃ ଓ ସଂଧ୍ୟା ସମୟରେ ଅନେକ ବରିଷ୍ଠ ମହିଳା ଓ ପୁରୁଷଙ୍କ ଠାରୁ ଆରମ୍ଭ କରି ଯୁବକଯୁବତୀ ଓ କୁନି କୁନି ପିଲାମାନେ ଆସି ପଥ ଭ୍ରମଣ କରିବା ସହ ବ୍ୟାୟାମ କରିଥାନ୍ତି । ଏହି ସମୟରେ ପାନୀୟ ଜଳର ଆବଶ୍ୟକତା ହେଉ ଅଥବା ଶୈାଚାଳୟର ଆବଶ୍ୟକତା ହେଲେ କୈାଣସି ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ପଥ ଭ୍ରମଣକାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ମିିଳିଥିବା ସୂଚନା ପ୍ରକାରେ କୋରାପୁଟ ଲୋକସଭା ସାଂସଦ ନିଜ ପାଣ୍ଠିରୁ ୫ଲକ୍ଷ ଟଙ୍କା ରାୟଗଡ ପୈାର ପରିଷଦକୁ ଇ-ଶୈାଚାଳୟ ନିର୍ମାଣ ନିମନ୍ତେ ପ୍ରଦାନ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଅନୁଦାନକୁ ଖର୍ଚ୍ଚ କରାଯାଇ ନ ଥିବା ଜଣାପଡିଛି ।


ସେହିପରି ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ନିଜ ପାଣ୍ଠିରୁ ୫ଲକ୍ଷ ଟଙ୍କା ପାହାଡ ଉପରେ ଏକ ଗୃହ ନିର୍ମାଣ ନିମନ୍ତେ ପ୍ରଦାନ କରିଥିବା ବେଳେ ତାହା ମଧ୍ୟ ନିର୍ମାଣ ହୋଇ ନ ଥିବା ଜଣାପଡିଛି । ଜିଲ୍ଳା ପର୍ଯ୍ୟଟନ ଅଧିକାରିଣୀ ତାଲିନା ପ୍ରଧାନୀଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ପ୍ରେମ ପାହାଡର ଉନ୍ନତୀକରଣ ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୧୬-୧୭ବର୍ଷରେ ପ୍ରଥମ ପର୍ଯ୍ୟାୟରେ ୧କୋଟି ଟଙ୍କା ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨୦୧୭-୧୮ ଆର୍ଥିକ ବର୍ଷରେ ୧କୋଟି ୧୮ଲକ୍ଷ ମୋଟ ୨କୋଟି ୧୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଥରାସ୍ତା, ସୁରକ୍ଷା ପାଚେରୀ, ମୁଖ୍ୟ ଫାଟକ, ସିଟ୍ ବ୍ୟବସ୍ଥା ଓ ଗମ୍ଭୁଜଗୁଡିକ ନିର୍ମାଣ କରାଯାଇଥିଲା ।


ପ୍ରାତଃ ଓ ସଂଧ୍ୟା ସମୟରେ ବୃଦ୍ଧି ପାଉଥିବା ପଥ ଭ୍ରମଣକାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଶକ୍ତି ବିଭାଗ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୯୪ ଲକ୍ଷ ୧୬ହଜାର ଟଙ୍କା ବ୍ୟୟ ଅଟକଳରେ ୩.୭୫ମିଟର ବିଶିଷ୍ଠ ଡେକୋରେଟିଭ୍ କାଷ୍ଟ ଆଇରନ୍‌ର ୧୨୦ଟି ପୋଲ ସହ ୬୦ୱାଟ୍ ବିଶିଷ୍ଠ ଏଲଇଡି ଲାଇଟ୍ ସାଜ ସରଂଜାମ ବ୍ୟବସ୍ଥା ମାଧ୍ୟମରେ ପ୍ରେମ ପାହାଡରେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି । ତେବେ ଆଲୋକୀକରଣ ବ୍ୟବସ୍ଥା ଶୁଭାରମ୍ଭକୁ ନେଇ ସହରବାସୀ ଖୁସିବ୍ୟକ୍ତ କରିଥିବା ବେଳେ ଯଥାଶୀଘ୍ର ପ୍ରେମ ପାହାଡରେ ଶୈାଚାଳୟ ଏବଂ ପାନୀୟ ଜଳର ବ୍ୟବସ୍ଥାକୁ ମଧ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉ ବୋଲି ପଥ ଭ୍ରମଣକାରୀମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।